ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସାକିବ୍ ହୁସେନ୍ ଏକ ବଡ଼ ଖୁଲାସା କରିଛନ୍ତି । ଟିମର ସିନିୟର ଖେଳାଳି ଇଶାନ କିଷାନଙ୍କ ଉଦାରତାକୁ ନେଇ ଏକ ବୟାନ ଦେଇଛନ୍ତି । ସାକିବ୍ କହିଛନ୍ତି, ଇଶାନ ତାଙ୍କୁ ୬ରୁ ୭ ଯୋଡ଼ି ଦାମୀ ବୋଲିଂ ସ୍ପାଇକ୍ ଜୋତା ଗିଫ୍ଟ କରିଛନ୍ତି ।

ଏକ ସାକ୍ଷାତକାରରେ ସାକିବ କହିଛନ୍ତି, "ମୋ ପାଖରେ ଏବେ ୬ ଯୋଡ଼ି ସ୍ପାଇକ୍ ଜୋତା ଅଛି । ମୋ ପାଇଁ ଇଶାନ ଭାଇ ଆଣି ଦେଇଛନ୍ତି । ସେ ମତେ ପଚାରିଥିଲେ କେଉଁ ଜୋତା ପିନ୍ଧିବାକୁ ଭଲ ପାଉ ? ମୁଁ ଆଡିଡାସ୍‌ର 'ଏଡିପାୱାର' ବୋଲି କହିବା ପରେ ସେ ତୁରନ୍ତ ମୋ ପାଇଁ ସେଗୁଡ଼ିକର ବ୍ୟବସ୍ଥା କରିଦେଇଥିଲେ ।"

ବିହାର ଗୋପାଳଗଞ୍ଜର ଏକ ଗରିବ ପରିବାରରୁ ଆସିଥିବା ସାକିବଙ୍କ ପାଇଁ ୧୦ରୁ ୧୫ ହଜାର ଟଙ୍କାର ପ୍ରଫେସନାଲ୍ କ୍ରିକେଟ୍ ଜୋତା କିଣିବା ଅସମ୍ଭବ ଥିଲା । ପୂର୍ବରୁ ଆର୍ଥିକ ଅଭାବ ଯୋଗୁଁ ସେ ଶସ୍ତା ରାସ୍ତାକଡ଼ ଜୋତା ପିନ୍ଧି ଖେଳୁଥିଲେ, ଯେଉଁଥିପାଇଁ ତାଙ୍କ ଗୋଡ଼ର ଗଣ୍ଠିରେ ବାରମ୍ବାର ଆଘାତ ଲାଗୁଥିଲା । ଏପରିକି ଦିନେ ତାଙ୍କ ମାଆ ନିଜ ଗହଣା ବିକ୍ରି କରି ତାଙ୍କୁ ଜୋତା କିଣି ଦେଇଥିଲେ ।

ଯେତେବେଳେ ଇଶାନ କିଷାନ, ସାକିବ୍ଙ୍କ ଏହି ସମସ୍ୟା ବିଷୟରେ ଜାଣିବାକୁ ପାଇଲେ, ସେ ନିଜ ଆଡ଼ୁ ସାହାଯ୍ୟର ହାତ ବଢ଼ାଇଥିଲେ । ସାକିବ କହିଛନ୍ତି, "ଇଶାନ ଭାଇ ମତେ କହିଲେ ଯେ ସେ ମୋ ପାଇଁ ଜୋତା ଆଣିଦେବେ। ମୁଁ ୧୨,୦୦୦ରୁ ୧୫,୦୦୦ ଟଙ୍କାର ବ୍ରାଣ୍ଡେଡ୍ ଜୋତା କିଣିବା କଥା ଚିନ୍ତା ସୁଦ୍ଧା କରିପାରୁନଥିଲି । ସେ ମୋତେ ୬-୭ ଯୋଡ଼ି ସ୍ପାଇକ୍ ଜୋତା ଗିଫ୍ଟ କରିଛନ୍ତି ।"

ସାକିବ୍ ଚଳିତ ପୂରା ଆଇପିଏଲ୍ ସିଜନ୍ ଇଶାନ ଦେଇଥିବା ଜୋତା ପିନ୍ଧି ଖେଳିଛନ୍ତି । ସାକିବ୍ ହୁସେନ୍ ଚଳିତ ସିଜନରେ ୧୧ଟି ମ୍ୟାଚ୍ରୁ ୧୫ଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ, ପଡ଼ିଆ ବାହାରେ ଇଶାନ କିଷାନଙ୍କର ଏହି ମହାନତାକୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଖୁବ୍ ପ୍ରଶଂସା କରୁଛନ୍ତି ।