ବଡ଼ବିଲ: ଖଣି ମାଫିଆଙ୍କ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଲୱେ ସାଇଡିଂ ନିକଟରେ ଥିବା ଡମ୍ପିଙ୍ଗ ୟାର୍ଡରୁ ଲୁହାପଥର ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ସିଏସ୍ ସୁରେଶ, ରାଉରକେଲା ଅଞ୍ଚଳର ବିଭୁଦେନ୍ଦ୍ର ମହାପାତ୍ର ଏବଂ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୁଇଁପୁର ଗ୍ରାମର ରାହୁଲ କୁମାର ସେଠୀ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ନୟାଗଡ଼ ରେଲୱେ ସାଇଡିଂ ଅଞ୍ଚଳରୁ ବେଆଇନ ଭାବେ ଲୁହାପଥର ବୋଝେଇ ହୋଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଏକ ଲୁହାପଥର ବୋଝେଇ ଟ୍ରକ, ଗୋଟିଏ ଜେସିବି ମେସିନ ଏବଂ ଏକ ସ୍କର୍ପିଓ ଗାଡ଼ିକୁ ପୋଲିସ ଜବତ କରିଛି।

Also Read: ଛେଣ୍ଡିପଦାରେ ସୁନା ଚୋରି ଗ୍ୟାଙ୍ଗ ଆତଙ୍କ, ସୁନା ସଫା କରିବା ବାହାନାରେ ଲୁଟି ନେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚେନ

କେବଳ ସେତିକି ନୁହେଁ, ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୩ ଲକ୍ଷ ଟଙ୍କା, ୩ଟି ମୋବାଇଲ ଫୋନ୍ ଏବଂ ୩ଟି ଓ୍ବାକିଟକି ମଧ୍ୟ ଜବତ କରାଯାଇଛି। ଓ୍ବାକିଟକି ଜବତ ହେବା ଘଟଣା ଏହି ଚୋରାଚାଲାଣ ନେଟୱର୍କ କେତେ ସୁସଂଗଠିତ ଥିଲା ତାହା ସ୍ପଷ୍ଟ କରୁଛି। ଏହି ରାକେଟ୍ ପଛରେ ଆଉ କାହାର ସମ୍ପୃକ୍ତି ଅଛି ଏବଂ ଏହି ଲୁହାପଥର କେଉଁଠାକୁ ଚାଲାଣ କରାଯାଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।