ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ସୁନା ଚୋରି ଗ୍ୟାଙ୍ଗର ଆତଙ୍କ। ସୁନା ସଫା କରିବା ବାହାନା କରି ଲୁଟି ନେଲେ ସୁନା। କୋଶଳା ଓ ଛେଣ୍ଡିପଦାରୁ ସୁନା ସଫା କରିବା କହି ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ଏକ ସୁନା ଚୋରି ଗ୍ୟାଙ୍ଗ ଛେଣ୍ଡିପଦା ଥାନା ଅଞ୍ଚଳର କୋଶଳା ଗଙ୍ଗା ସାହିରେ ପଶିଥିଲେ। ସେଠାରେ ସରସ୍ୱତୀ ନାଥଙ୍କ ପରିବାର ଲୋକ କେହି ନଥିବା ବେଳେ ତାଙ୍କ ମାଙ୍କୁ ସୁନା ସଫା କରିବା ପାଇଁ ପାଉଡ଼ର ବିକ୍ରି କରିବାକୁ ଆସିଛୁ ବୋଲି କହିଥିଲେ। ଆପଣଙ୍କ ସୁନା ଦିଅନ୍ତୁ କେମିତି ସଫା ହେଉଛି କହି ପ୍ରଥମେ ହାତରେ ପନ୍ଧିଥିବା ମୁଦିକୁ ସଫା କରିଥିଲେ। ମୁଦି ସଫା ହୋଇ ଯିବା ପରେ ବେକରେ ପିନ୍ଧିଥିବା ଚେନକୁ ମାଗି ପାଉଡ଼ର ମଧ୍ୟରେ ପକାଇଥିଲେ।

Also Read: ବଢ଼ିଲା ସୁଜିତ ଦାସଙ୍କ ଅଡୁଆ, ଶରଣକୁଳ ଥାନାର ପୂର୍ବତନ IICଙ୍କ ନାଁରେ NBW ଜାରି

୧୦ ମିନିଟ ପରେ ପାଉଡରରୁ ଚେନ କାଢ଼ିବାକୁ କହି ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ। ସେମାନେ ଯିବାପରେ ମହିଳା ଯେତେବେଳେ ଦେଖନ୍ତି ତାଙ୍କର ସୁନା ଚେନ ପାଉଡ଼ର ଭିତରେ ନାହିଁ। ସେତେବେଳକୁ ଦୁର୍ବୃତ୍ତମାନେ ଚକମା ଦେଖାଇ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଚେନ ନେଇ ଫେରାର ହୋଇଯାଇଥିଲେ।

ସେହିପରି ସମାନ ଢଙ୍ଗରେ ବୁଧବାର ମଧ୍ୟାହ୍ନ ସମୟରେ ଛେଣ୍ଡିପଦା ଥାନା ପଛ ପାଖ ବେହେରା ସାହିରେ ବୃଦ୍ଧା ପ୍ରତୀମା ପ୍ରଧାନଙ୍କ ଠାରୁ ଅନୁରୂପ ଭାବେ ଠକି ନେଇ ଫେରାର ହୋଇ ଯାଇଥିଲେ। ଏନେଇ ପରିବାର ଲୋକ ଛେଣ୍ଡିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇଟି ମାମଲା ରୁଜୁ କରିବା ସହିତ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜକୁ ନେଇ ଛାନଭିନ ଚଳାଇଛି।