ନୂଆଦିଲ୍ଲୀ: ଯେତେବେଳେ ଆକାଶରୁ ମୃତ୍ୟୁ ବର୍ଷୁଥିଲା ଓ ଭବନସବୁ ଧ୍ୱଂସସ୍ତୁପରେ ପରିଣତ ହେଉଥିଲେ ସେତେବେଳେ ଇରାନ ସୁପ୍ରିମଲିଡର ଆୟତୁଲ୍ଲା ଅଲୀ ଖାମେନୀଙ୍କ କାର୍ଯ୍ୟାଳୟର ଗତିବିଦ୍ଧି କଣ ଥିଲ? ସେହି କ୍ଷଣର ଅନୁଭବ ବଖାଣିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀ,ଏଥିରେ ସେ କିପରି ମୃତ୍ୟୁମୁହଁରୁ ଅଳ୍ପକେ ବର୍ତ୍ତିଛନ୍ତି ତାହା ମଧ୍ୟ କହିଛନ୍ତି। ଲେବାନନର ଏକ ଟେଲିଭିଜନ ଚ୍ୟାନେଲରେ ଅରାଘଚୀ ସେହି ଭୟାବହ ରାତିର ଅନୁଭବ ସମ୍ପର୍କରେ କହିଛନ୍ତି ଯାହା ଏବେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରୁଛି।

ସେ କହିଛନ୍ତି ଯେ ୨୮ ଫେବୃଆରୀ ଯୁଦ୍ଧ ଆରମ୍ଭ କ୍ଷଣରେ ଯେତେବେଳେ ସୁପ୍ରିମ ଲିଡର ଆୟତୁଲ୍ଲା ଅଲୀ ଖାମେନୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ ହେଲା ଅରାଘଚୀ ସ୍ୱୟଂ ସେହି ବିଲ୍ଡିଂରେ ଉପସ୍ଥିତ ଥିଲେ। ଅରାଘଚୀ ସେହି କ୍ଷଣକୁ ମନେ ପକାଇ କହିଛନ୍ତି ଯେ ଯେତେବେଳେ ସେ ଧ୍ୱଂସସ୍ତୁପ ତଳୁ ଜୀବିତ ବାହାରକୁ ଆସିଲେ ସେତେବେଳେ ତାଙ୍କ ପ୍ରଥମ ଚିନ୍ତା ସୁପ୍ରିମ ଲିଡରଙ୍କ ସୁରକ୍ଷାକୁ ନେଇ ଥିଲା। ଆକ୍ରମଣ ପରର ୪୮ ଘଣ୍ଟା ସେ ଏହି ଅନିଶ୍ଚିତତା ମଧ୍ୟରେ ଥିଲେ ଯେ ଖାମେନୀ କେଉଁ ପରିସ୍ଥିତିରେ ଅଛନ୍ତି?

ସୁରକ୍ଷାଗାର୍ଡ ଓ କମାଣ୍ଡରମାନେ ବାରମ୍ବାର ତାଙ୍କୁ ବଙ୍କର ଅଥବା ସୁରକ୍ଷିତ ସ୍ଥାନକୁ ପଳାଇବାକୁ କହିଥିଲେ। ହେଲେ ଖାମେନୀ ସ୍ପଷ୍ଟ ରୂପେ ମନା କରିଥିଲେ। ସେ କହିଥିଲେ ଯେଉଁ ପର୍ଯ୍ୟନ୍ତ ଇରାନର ପ୍ରତିଟି ନାଗରିକ ନିକଟରେ ସୁରକ୍ଷିତ ସ୍ଥାନ ନହୋଇଛି, ସେ ପର୍ଯ୍ୟନ୍ତ ମୁଁ କୁଆଡେ ଯିବିନି। ମୋ ଲୋକେ ଯାହା ସହିବେ ତାହା ମୁଁ ମଧ୍ୟ ସହିବି। ଏହିପରି ଖାମେନୀ ବିପଦ ସତ୍ତ୍ୱେ ସେହିଠାରେ ରହି ଯୁଦ୍ଧ ପରିସ୍ଥିତିର ଦେଖରେଖ କରୁଥିଲେ।

ଏହି ଟେଲିଭିଜର ସାକ୍ଷାତକାରରେ ଅରାଘଚୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂ-ରାଜନୈତିକ ସ୍ଥିତି ନେଇ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯୁଦ୍ଧ ପୂର୍ବରୁ ଇରାନ ପାରସ୍ୟ ଉପସାଗରରେ ନିଜ ପଡୋଶୀ ଦେଶଙ୍କୁ କଡ଼ା ତଥା ସ୍ପଷ୍ଟ ଚେତାବନୀ ଦେଇଥିଲା। ଅରାଘଚୀ କହିଛନ୍ତି ଯେ ଯଦି କୌଣସି ପଡୋସୀ ଦେଶର ଆମେରିକୀୟ ସୈନ୍ୟ ଘାଟିକୁ ଇରାନ ବିରୋଧରେ ଉପଯୋଗ କରାଯାଏ ତେବେ ଇରାନ ଏହାର ବିନାଶକାରୀ ଜବାବ ଦେବ। ଅରାଘଚୀ କହିଛନ୍ତି ଯେ କ୍ଷେତ୍ରିୟ ସରକାରମାନେ ଯୁଦ୍ଧରେ ସେମାନଙ୍କ ଭୂମି ଉପଯୋଗକୁ ବିରୋଧ କରିଥିଲେ, ହେଲେ ୱାସିଂଟନ ସେମାନଙ୍କ ବିରୋଧକୁ ଖାତିର କରିନଥିଲା ଓ ଇରାନ ଉପରେ ଆକ୍ରମଣ କରିଥିଲା।

ଅରାଘଚୀଙ୍କ ଏହି ବୟାନ ଦର୍ଶାଉଛି ଆମେରିକା, ଇସ୍ରାଏଲ ଓ ଇରାନ ଯୁଦ୍ଧ କେତେ ଭୟାନକ ଥିଲା ଓ କିପରି ଇରାନର ଶୀର୍ଷ ନେତୃତ୍ୱ ମୃତ୍ୟୁ ମୁହଁରୁ ଫେରିଲେ। ଗଲ୍ଫ ଦେଶମାନଙ୍କରେ ଥିବା ଆମେରିକା ସାମରିକ ଘାଟିକୁ ନେଇ ଇରାନର ଏହି ଚେତାବନୀ ମଧ୍ୟପ୍ରାଚ୍ୟରେ ଏକ ନୁଆ ଯୁଦ୍ଧକୁ ଜନ୍ମ ଦେବନିତ?