ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷକୁ ନେଇ ସାଧାରଣ ଆମେରିକୀୟ ନାଗରିକଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। CBS News-YouGov ର ଏକ ସର୍ବଶେଷ ସର୍ଭେ ଅନୁଯାୟୀ, ପ୍ରାୟ ୭୬% ଆମେରିକୀୟ ମନେକରନ୍ତି ଯେ, ଏହି ଯୁଦ୍ଧ ଟ୍ରମ୍ପ ପ୍ରଶାସନର ଆକଳନଠାରୁ ଅଧିକ ଜଟିଳ ଓ କଠିନ ରୂପ ନେଇଛି। ଜୁଲାଇ ୨୨ ରୁ ୨୪ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୭୬% ଲୋକ କହିଛନ୍ତି ଯେ, ଯୁଦ୍ଧ ଯେତିକି ସହଜ ହେବ ବୋଲି ଭାବିଥିଲେ, ତାହାଠାରୁ ଅଧିକ ସଙ୍କଟଜନକ ହୋଇଛି। 

ମାତ୍ର ୨୦% ଲୋକ ଏହା ଆଶା ଅନୁଯାୟୀ ଚାଲିଛି ବୋଲି କହିଥିବା ବେଳେ କେବଳ ୪% ଏହାକୁ ସହଜ ମନେକରିଛନ୍ତି।   ସଂଘର୍ଷକୁ ନେଇ ୫୮% ନାଗରିକ ଅନିଶ୍ଚିତ ଏବଂ ୫୭% ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁଦ୍ଧର ପରିଣାମକୁ ନେଇ ୩୬% ଲୋକ ନିରାଶ ଥିବା ବେଳେ ମାତ୍ର ୧୯% ଲୋକ ଆଶାବାଦୀଅଛନ୍ତି। ମାତ୍ର ୨୨% ଲୋକ ବିଶ୍ୱାସ କରନ୍ତି ଯେ, ଏହି ସଂଘର୍ଷରେ ଇରାନ ଶକ୍ତିଶାଳୀ କିମ୍ବା ସୁବିଧାଜନକ ସ୍ଥିତିରେ ଅଛି। 

ଆମେରିକା ଓ ଇରାନ ମଧ୍ୟରେ ସାମରିକ ଆକ୍ରମଣ-ପ୍ରତ୍ୟାକ୍ରମଣ ଏବଂ କୂଟନୈତିକ ତିକ୍ତତା ବୃଦ୍ଧି ପାଇବା ଯୋଗୁଁ ଶକ୍ତି ବଜାର ପ୍ରଭାବିତ ହୋଇଛି । ହର୍ମୁଜ ପ୍ରଣାଳୀ ଏବଂ ମଧ୍ୟପ୍ରାଚ୍ୟର ଅନ୍ତର୍ଜାତୀୟ ତୈଳ ଯୋଗାଣ ପ୍ରଭାବିତ ହେବାର ଭୟ ବଢ଼ିଛି। ଏହି ସଂଘର୍ଷ ପୂର୍ଣ୍ଣାଙ୍ଗ ଆଞ୍ଚଳିକ ଯୁଦ୍ଧରେ ପରିଣତ ହୋଇ ମଧ୍ୟପ୍ରାଚ୍ୟର ସ୍ଥିରତାକୁ ସମ୍ପୂର୍ଣ୍ଣ ବିପନ୍ନ କରିବାର ଆଶଙ୍କା ଦେଖାଦେଇଛି।