ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ତୁର୍କୀ ଗସ୍ତ ସମୟରେ ଅତି ଗୁପ୍ତ ଭାବେ ନିଜର ବିମାନ ବଦଳାଇବା ଘଟଣା ପଛରେ ଏକ ବଡ଼ ସୁରକ୍ଷା ଚେତାବନୀ ରହିଥିଲା। 'ନ୍ୟୁୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଯାତ୍ରା କରୁଥିବା ବିମାନ ଉପରେ ଇରାନ ମିସାଇଲ୍ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଆମେରିକା ଗୁଇନ୍ଦା ସଂସ୍ଥା ନିକଟରେ ପୂର୍ବରୁ ସୂଚନା ପହଞ୍ଚିଥିଲା। ନାଟୋ (NATO) ସମ୍ମିଳନୀର ଶେଷ ଦିନ ଜୁଲାଇ ୮ ରେ ଟ୍ରମ୍ପ ଅଙ୍କାରା ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ସୁରକ୍ଷା ସମ୍ବନ୍ଧୀୟ ସୂଚନା ମିଳିଥିଲା।

ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ମିଳିଥିବା ସୂଚନା ଅନୁଯାୟୀ, 'ଏୟାର ଫୋର୍ସ ୱାନ୍' (Air Force One) ବିମାନକୁ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରାଯିବାର ଆଶଙ୍କା ଥିଲା। ସମ୍ମିଳନୀ ସ୍ଥଳ ନିକଟରେ ଜଣେ ବ୍ୟକ୍ତି କାନ୍ଧରେ ରଖି ନିକ୍ଷେପ କରାଯାଉଥିବା ମିସାଇଲ୍ ଧରି ବୁଲୁଥିବାର ଦେଖାଯାଇଥିଲା।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଇରାନର ଗୁପ୍ତଚରମାନେ ଅଙ୍କାରାରେ ଟ୍ରମ୍ପ ରହୁଥିବା ହୋଟେଲ୍ ଏବଂ ସେ କେଉଁ ମହଲାରେ ରହୁଛନ୍ତି, ତାହାର ସଠିକ୍ ସୂଚନା ପାଇସାରିଥିଲେ। ତେଣୁ ଟ୍ରମ୍ପଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ହୋଇଥିଲା 'ରହସ୍ୟମୟ ଅପରେସନ୍' । ଏହି ଗୁଇନ୍ଦା ତଥ୍ୟକୁ ଗୁରୁତ୍ବର ସହ ନେଇ ଆମେରିକା ସୁରକ୍ଷା ଦଳ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଏକ ଚତୁର ଯୋଜନା କରିଥିଲେ । ଟ୍ରମ୍ପ ସାମ୍ବାଦିକମାନଙ୍କ ସମ୍ମୁଖରେ ପୁରୁଣା 'ଏୟାର ଫୋର୍ସ ୱାନ୍' ବିମାନରେ ଚଢ଼ିଥିଲେ, ଯାହାଦ୍ୱାରା ଶତ୍ରୁପକ୍ଷ ଭାବିବେ ଯେ, ସେ ସେହି ବିମାନରେ ଯାତ୍ରା କରୁଛନ୍ତି।

ବିମାନଟି ହ୍ୱାଇଟ୍ ହାଉସ କର୍ମଚାରୀ, ସୁରକ୍ଷାକର୍ମୀ ଏବଂ ସାମ୍ବାଦିକମାନଙ୍କୁ ନେଇ ଆକାଶକୁ ଉଡ଼ାଣ ଭରିବା ପରେ, ଟ୍ରମ୍ପଙ୍କୁ ବିମାନବନ୍ଦରର ଏକ କ୍ୟାଟରିଂ କଣ୍ଟେନର ଭିତରେ ରଖି ଅନ୍ୟତ୍ର ନିଆଯାଇଥିଲା। ପରେ ତାଙ୍କୁ ଏକ ସ୍ୱତନ୍ତ୍ର ଛୋଟ ସାମରିକ ବିମାନରେ ବସାଇ ଗୋପନ ଭାବରେ ତୁର୍କୀରୁ ବାହାର କରାଯାଇଥିଲା। ଏହି ଯୋଜନା ବିଷୟରେ ସାମ୍ବାଦିକମାନଙ୍କୁ ଆଗରୁ କୌଣସି ସୂଚନା ଦିଆଯାଇନଥିବାରୁ, ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରାଯାଇଥିବାରୁ ଅନେକ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ।