ତେହେରାନ,୦୯/୦୮:ଇରାନର ସୁପ୍ରିମ ଲିଡର ମୋଜତବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅନେକ କଥା ସାମ୍ନାକୁ ଆସୁଛି । ଇସ୍ରାଏଲ ଭଲି ଦେଶ ଖାମେନି ସଙ୍କଟାପନ୍ନ ବୋଲି ଦାବି କରୁଛନ୍ତି । ଆଉ କେହି କେହି ସେ ଗୁରୁତର ଥିବା କହୁଛନ୍ତି । ଏପରି ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ଇରାନୀ ନ୍ୟୁଜ୍ ଚ୍ୟାନେଲ୍ ମେହର ନ୍ୟୁଜ୍ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଖାମେନି ଠିକ୍ ଥିବା ଏବଂ ସମ୍ପୂର୍ଣ୍ଣ ସୁସ୍ଥ ନଜର ଆସୁଛନ୍ତି ।

ତେବେ ମୋଜତବାଙ୍କ ଭିଡିଓ କେତେ ତାରିଖର ତାହା ସ୍ପଷ୍ଟ ହୋଇନାହିଁ । ନିକଟରେ ଇସ୍ରାଏଲ ମିଡିଆ କହିଥିଲା ଯେ, ଖାମେନି ଗୁରୁତର ଅଛନ୍ତି । କିନ୍ତୁ ଇରାନ ସରକାର ଏସବୁ ଗୁଜବକୁ ଦୂରେଇବା ପାଇଁ ଭିଡିଓ ଜାରି କରିଥିବା କୁହାଯାଉଛି । ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଖାମେନି ଏକ ଗଦି ଉପରେ ବସିଛନ୍ତି । ତାଙ୍କ ପାଖରେ ଅନ୍ୟ କିଛି ବ୍ୟକ୍ତି ବସିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି । ଏଥିରେ ଖାମେନି ପୂରା ଫିଟ୍ ନଜର ଆସିଛନ୍ତି ।

ଇସ୍ରାଏଲର ଦାବି

ଇସ୍ରାଏଲୀ ଟେଲିଭିଜନ ଚ୍ୟାନେଲ ୧୪ର ରିପୋର୍ଟ ମୁତାବକ, ସର୍ବୋଚ୍ଚ ନେତାଙ୍କ ଅବସ୍ଥା ଗୁରୁତର ରହିଛି । ଜେରୁସାଲେମ ପୋଷ୍ଟର ଏକ ସୂତ୍ର ଦାବି କରିଥିଲା ଯେ, ଯଦି ମୋଜତାବାଙ୍କ ମୃତ୍ୟୁ ଖବର ମଧ୍ୟ ଆସେ, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହି ଦାବି ଇରାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି।

ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ନିଜ ପିତାଙ୍କ ମୃତ୍ୟୁ ପରେ ମୋଜତାବା ସର୍ବୋଚ୍ଚ ନେତା ପଦ ଗ୍ରହଣ କରିଥିଲେ । କିନ୍ତୁ ଏହି ଦାୟିତ୍ୱ ନେବା ପରଠାରୁ ସେ ସାଧାରଣରେ ଦେଖାଯାଇ ନାହାନ୍ତି ଏବଂ କେବଳ ଲିଖିତ ବିବୃତି ମାଧ୍ୟମରେ ଦେଶବାସୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ।

Also Read :- ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ଶେଷ ବେଳକୁ ଲୋପ ପାଇବ ମଣିଷ ଜାତି

କୁହାଯାଉଛି ଯେ, ପ୍ରାରମ୍ଭିକ ସାମରିକ ଆକ୍ରମଣ ସମୟରେ ମୋଜତାବାଙ୍କ ମୁହଁରେ ଗମ୍ଭୀର ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ନିଜକୁ ଗୋପନ ରଖିଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ, ସେ ଆକ୍ରମଣକୁ ଏଡାଇବା ପାଇଁ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଲାଗି ମଧ୍ୟସ୍ଥିମାନଙ୍କର ସହାୟତା ନେଉଛନ୍ତି। ଏହି ସମୟରେ ସାଉଦି ସମ୍ବାଦ ସଂସ୍ଥା ଅଲ-ହଦତ ଦାବି କରିଥିଲା ଯେ ମୋଜତାବା ବର୍ତ୍ତମାନ ଇରାନରେ ନାହାନ୍ତି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦାବି କରିଥିଲେ ଯେ ସାମରିକ ଆକ୍ରମଣ ପରେ ମୋଜତାବା ଜୀବିତ ଥିବା ସମ୍ଭାବନା ମାତ୍ର ୧୦ ପ୍ରତିଶତ ରହିଛି ।