ତେହେରାନ, ୧୯|୦୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ଧାରଣ କଲାଣି । କେହି ହେଲେ ପଛକୁ ହଟୁ ନାହାଁନ୍ତି । ପରସ୍ପର ଉପରେ ବୋମା ଏବଂ ମିସାଇଲ ମାଡ଼ କରୁଛନ୍ତି । ଏସବୁ ଭିତରେ ତେହେରାନରେ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି । ଦେଶର କଠୋରପନ୍ଥୀମାନେ ରାଷ୍ଟ୍ରପତି ମାସୁଦ୍ ପେଜେସକିଆନ୍ ଏବଂ ଆମେରିକା ସହ ଶାନ୍ତି ଆଲୋଚନାରେ ସାମିଲ ଶୀର୍ଷ ନେତାଙ୍କ ଉପରେ ଦେଶବିରୋଧୀ କାର୍ଯ୍ୟକଳାପର ଅଭିଯୋଗ ଲଗାଇଛନ୍ତି । ଆମେରିକା ସହ ଚୁକ୍ତି କରି ସେମାନେ ଇସଲାମିକ କ୍ରାନ୍ତିର ମୂଳ ସିଦ୍ଧାନ୍ତ ଏବଂ ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ ହୋଇଛି ।

Also Read :- ଆମେରିକା- ଜର୍ମାନୀ ଫେଲ୍ ! ଭାରତରେ ତିଆରି ହେବ ରୁଷର ମାରାତ୍ମକ ଟ୍ୟାଙ୍କ T-90MS

ସିଏନଏ ରିପୋର୍ଟ ଅନୁସାରେ, ସୁପ୍ରିମ ଲିଡର୍ ଅଲ୍ଲୀ ଖାମେନିଙ୍କ ଅନ୍ତିମ ସଂସ୍କାରରେ ଏହି ଅସନ୍ତୋଷ ପଦାରେ ପଡିଥିଲା । ରାଷ୍ଟ୍ରପତିଙ୍କ ବିରୋଧରେ ସେଠାରେ ଉପସ୍ଥିତ ଲୋକେ ନାରାବାଜି କରିଥିଲେ । ମୁର୍ଦାବାଦର ନାରା ଲଗାଇଥିଲେ । ଏହାସହ ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଘଚିଙ୍କ ଉପରେ ପଥର ମାଡ଼ କରିଥିଲେ । ଏପରିକି ଉଭୟଙ୍କୁ ଲୋକେ ଦେଶଦ୍ରୋହୀ କହିଥିଲେ ।

ହତ୍ୟା ଧମକ

କଠୋରପନ୍ଥୀ ଧାର୍ମିକ ଗାୟକ ମହମ୍ମଦ ଅଲୀ ବଖସୀ କହିଛନ୍ତି ଯେ, ସେ ରାଷ୍ଟ୍ରପତିଙ୍କୁ ଛାଡିବେ ନାହିଁ । ଦରକାର ପଡିଲେ ଜୀବନ ମଧ୍ୟ ନେଇଯିବେ । ଯଦି ସର୍ବୋଚ୍ଚ ନେତାଙ୍କ ସର୍ତ୍ତ ପୂରଣ ନହୁଏ ତାହାଲେ ଲୋକଙ୍କ ହାତରେ ରକ୍ତର ଛିଟା ଦେଖିବାକୁ ମିଳିବ । ସାମ୍ନାରେ ରାଷ୍ଟ୍ରପତିଙ୍କ ତଣ୍ଟି ଥିବ । ଇରାନକୁ ସେମାନେ ନର୍କ କରିଦେବେ ବୋଲି ମଧ୍ୟ ଗାୟକ ଧମକ ଦେଇଛନ୍ତି ।

କୁହାଯାଉଛି ଯେ, ଇରାନରେ ଉଠିଥିବା ଏହି ବିଦ୍ରୋହର ବଡ଼ କାରଣ ହେଲା ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନିଙ୍କ ରହସ୍ୟମୟ ଅନୁପସ୍ଥିତି । ପିତାଙ୍କ ଦେହାନ୍ତ ପରେ ସେ ସର୍ବୋଚ୍ଚ ନେତା ହୋଇଥିଲେ । ହେଲେ ଏବେସୁଦ୍ଧା ସେ ଦେଶବାସୀଙ୍କୁ ସମ୍ବୋଧନ କରିନାହାଁନ୍ତି । ନିଜକୁ ଗଣମାଧ୍ୟମ ଆଗକୁ ଆଣୁ ନାହାଁନ୍ତି । ସେ ନିଜ ଜୀବନ ବଞ୍ଚାଇବାକୁ କେଉଁ ଏକ ଗୁପ୍ତ ସ୍ଥାନରେ ଲୁଚି ରହିଥିବା ଆଶଙ୍କା କରାଯାଉଛି ।

କଠୋରପନ୍ଥୀଙ୍କ ବିରୋଧରେ ଆକ୍ସନ୍

ଅନ୍ୟ ଦିଗରେ ଇରାନ ସରକାର କଠୋରପନ୍ଥୀଙ୍କ ବିରୋଧରେ କଡା଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୁଜବ ସୃଷ୍ଟି କରୁଥିବାରୁ କଠୋରପନ୍ଥୀ ନେତା ସାଂସଦ ମହମ୍ମୁଦ ନବାବ୍ୟାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ସମିତିରୁ ହଟାଇ ଦିଆଯାଇଛି । ସେ ଗତ ୬ ମାସ ହେଲା ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ ।