ନୂଆଦିଲ୍ଲୀ : ଗଲ୍ଫ କ୍ଷେତ୍ର ସୋମବାର ହାଇଆଲର୍ଟରେ ରହିଛି। କାରଣ ଇରାନ ଆଜି ୟୁଏଇ, କ୍ୱେତ ଓ ବାହାରିନ ଉପରକୁ ବ୍ୟାପକ ମିଜାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଇରାନର ଦୁଇ ପ୍ରମୁଖ ଇସ୍ପାତ କାରଖାନା ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣର ପ୍ରତିକ୍ରିୟାରେ ଏହି ଆକ୍ରମଣ ହେଉଥିବା ଜଣାପଡିଛି। ତେହେରାନ ଏବେ ଗଲ୍ଫ କ୍ଷେତ୍ରର ଏଇଭଳି ଔଦ୍ୟୋଗିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛି। ଏଥିରେ ଏମିରେଟସ ଗ୍ଲୋବାଲ ଆଲୁମିନିୟମ ଅବୁଧାବୀରେ ଥିବା ତାର ଅଲ-ତାୱିଲା ଉତ୍ପାଦନ କେନ୍ଦ୍ରର ବ୍ୟାପକ କ୍ଷୟକ୍ଷତି ହୋଇଥିବା ପୁଷ୍ଟି କରିଛି।

ସେହିପରି ଆଲୁମିନିୟମ ବାହରୀନ ଯାହାକୁ ଅଲବା ନାମରେ ମଧ୍ୟ ଜଣାଯାଏ ଇରାନ ଆକ୍ରମଣର ପୁଷ୍ଟି କରିଛି। ଇରାନ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ଏହି ଆକ୍ରମଣରେ ଆମେରିକା ସୈନ୍ୟ ଓ ବିମାନ କମ୍ପାନୀ ଫ୍ୟାସେଲିଟିକୁ ଟାର୍ଗେଟ କରିଛି। ଏଥିରେ କମ୍ପାନୀର ଦୁଇ ଜଣ କର୍ମଚାରୀ ସାଧାରଣ ଆହତ ହୋଇଥିବା କୁହାଯାଇଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ମିଜାଇଲ ଡିଫେନ୍ସ ସିଷ୍ଟମ ୨୯ ମାର୍ଚ୍ଚ ରବିବାର ୨୦ଟି ବାଲିଷ୍ଟିକ୍ ମିଜାଇଲ ଓ ୩୭ଟି ଡ୍ରୋନକୁ ରୋକି ଥିଲା। ଆମେରିକାର ଆକ୍ରମଣ ପରଠାରୁ ଇରାନ ୟୁଏଇ ଉପରକୁ ଏପର୍ଯ୍ୟନ୍ତ ୪୦୦ଟି ବାଲିଷ୍ଟିକ୍, ୧୫ଟି କ୍ରୁଜ ଓ ୧,୯୦୦ଟି ଡ୍ରୋନ ଆକ୍ରମଣ କରିଛି।

ଗଲ୍ଫରେ ଥିବା ଆଲୁମିନିୟମ ଉତ୍ପାଦକମାନେ ବିଶ୍ୱର ପାଖପାଖି ୯% ଧାତୁ ଯୋଗାଣ କରିଥାନ୍ତି। ଏଥିରେ ଯାତାୟାତ ନିମନ୍ତେ ହୋର୍ମୁଜ ବନ୍ଦ ହେବା ପରେ ଆଲୁମିନିୟମ ରପ୍ତାନୀ ଏକପ୍ରକାର ଠପ ହୋଇଯାଇଛି। ଏଥି ମଧ୍ୟରେ ଇସ୍ରାଏଲ ସୋମବାର ତେହେରାନ କେନ୍ଦ୍ରସ୍ଥଳରେ ଥିବା ଇରାନ ଭିତ୍ତିଭୂମି ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲୀ ସେନା କହିଛି ଯେ ଏହି ଆକ୍ରମଣରେ ଇରାନର ଅସ୍ତ୍ରଶସ୍ତ୍ର ଗୋଦାମ, ଉତ୍ପାଦନ ସ୍ଥଳ, ବାଲିଷ୍ଟିକ୍ ମିଜାଇଲ ଉତ୍ପାଦନ ଓ ଭଣ୍ଡାରଣ ଉପରେ ବ୍ୟାପକ ଗୋଳା ମାଡ଼ କରାଯାଇଛି। ଏଥିରେ ଇରାନର ବାୟୁରକ୍ଷା ପ୍ରଣାଳୀ ଓ ତଦାରଖ କେନ୍ଦ୍ରଗୁଡିକୁ ମଧ୍ୟ ନଷ୍ଟ କରାଯାଇଛି। ଏହି ଆକ୍ରମଣରେ ଅସ୍ଥାୟୀ କମାଣ୍ଡ କେନ୍ଦ୍ର ଧ୍ୱସ୍ତ ହୋଇଥିବା ବେଳେ ଏଠାରେ କାର୍ଯ୍ୟରତ କମାଣ୍ଡରମାନେ ମଧ୍ୟ ପ୍ରାଣ ହରାଇଛନ୍ତି।