ନୂଆଦିଲ୍ଲୀ: ଇସ୍ରାଏଲ ବିରୁଦ୍ଧରେ ଆକ୍ରମଣ ବନ୍ଦ କରିବାକୁ ସୋମବାର ଇରାନ ଘୋଷଣା କରିଛି । ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ଦୁଇ ମାସ ପରେ ଦୁଇ ଦେଶ ମଧ୍ୟରେ ପୁଣି ଆକ୍ରମଣ, ପ୍ରତିଆକ୍ରମଣ ଆରମ୍ଭ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଶେଷ ଏବଂ ଆକ୍ରମଣ ବନ୍ଦ କରିବାକୁ କଡ଼ା ଶବ୍ଦରେ କହିଥିଲେ ।

ଫାର୍ସ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଇରାନର ସଶସ୍ତ୍ର ବାହିନୀ ଇସ୍ରାଏଲ ବିରୁଦ୍ଧରେ ସାମରିକ ଅଭିଯାନ ସମାପ୍ତ ଘୋଷଣା କରିଛି । କିନ୍ତୁ ଚେତାବନୀ ଦେଇଛି ଯେ ଯଦି ଇସ୍ରାଏଲ ଲେବାନନ ଉପରେ ପୁଣି ଆକ୍ରମଣ କରେ, ତେବେ ଜବାବରେ ଅଧିକ କଠୋର ଆକ୍ରମଣ କରାଯିବ ।

ଏହା ପୂର୍ବରୁ ଇରାନ କହିଥିଲା, "ଇରାନ ଗତକାଲି ଲେବାନିଜ୍ ଲୋକଙ୍କ ସମର୍ଥନରେ ବେରୁତର ଦକ୍ଷିଣ ଅଞ୍ଚଳରେ ଆକ୍ରମଣ କରିବା ପରେ ଇସ୍ରାଏଲକୁ ଜବାବ ଦେଇଥିଲା । ତେଣୁ, ସଶସ୍ତ୍ର ବାହିନୀର ଅଭିଯାନ ବନ୍ଦ କରିବାକୁ ଘୋଷଣା କରାଯାଇଛି । କିନ୍ତୁ ଯଦି ଦକ୍ଷିଣ ଲେବାନନ୍ ଉପରେ ଆକ୍ରମଣ ଏବଂ ଘୃଣ୍ୟ କାର୍ଯ୍ୟ ଜାରି ରହେ, ତେବେ ଅଧିକ କଠୋର ପଦକ୍ଷେପ ନିଆଯିବ ।"

ଉତ୍ତେଜନା ବଢିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ କରିଥିଲେ । ଏହା ସତ୍ତ୍ୱେ, ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା । ତେବେ ଟ୍ରମ୍ପଙ୍କ ଆହ୍ୱାନ ପରେ ହିଁ ଇରାନ ଘୋଷଣା କରିଛି ଯେ ସେ ଇସ୍ରାଏଲ ଉପରେ ଆକ୍ରମଣ କରିବ ନାହିଁ ।

ସେପଟେ ଲେବାନନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧବିରତି ସମୟରେ ଇସ୍ରାଏଲ ତାଙ୍କ ଦେଶ ଉପରେ ପ୍ରାୟ ୩୫୦୦ ଥର ବୋମା ଆକ୍ରମଣ କରିଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲେବାନନ ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୩,୬୧୩ ଜଣ ପ୍ରାଣ ହରାଇଛନ୍ତି ।