ତେହରାନ: ପୁଣି ହର୍ମୁଜ ଜଳପଥ ବନ୍ଦ ଘୋଷଣା କଲା ଇରାନ। ଆମେରିକା ଉପସାଗରୀୟ ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଆଣି ଇରାନ ପୁଣିଥରେ ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ଜଳପଥ 'ହର୍ମୁଜ ପ୍ରଣାଳୀକୁ ବନ୍ଦ ଘୋଷଣା କରିଛି। ଏହି ଜଳମାର୍ଗ ଦେଇ କୌଣସି ଜାହାଜ ଚଳାଚଳ କରିପାରିବ ନାହିଁ ବୋଲି ଇରାନ କହିଛି। ହେଲେ ଆମେରିକା ଇରାନର ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ବାଣିଜ୍ୟିକ ଜାହାଜ ଚଳାଚଳ ସ୍ୱାଭାବିକ ରହିଛି ବୋଲି କହିଛି।

ଇରାନ ଦ୍ୱାରା ଚଳିତ ବର୍ଷ ମେ ମାସରେ ଗଠିତ ହୋଇଥିବା 'ପର୍ସିଆନ ଗଲ୍ଫ ଷ୍ଟ୍ରେଟ ଅଥରିଟି' (ପିଜିଏସଏ) ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ ଆମେରିକୀୟ ସେନାର ବେଆଇନ ଗତିବିଧି ଯୋଗୁ ବର୍ତ୍ତମାନ ଏହି ପ୍ରଣାଳୀ ଦେଇ ଯାତାୟାତ ସମ୍ଭବ ନୁହେଁ। ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରିବା ପରେ ଜାହାଜଗୁଡ଼ିକର ଅନୁମତି ଆବେଦନ ଉପରେ ବିଚାର କରାଯାଇ ପରମିଟ୍ ଦିଆଯିବ। ଜୋର୍ଡାନ, କୁଏତ, ଓମାନ ଏବଂ କତାରରେ ଥିବା ଆମେରିକା ଠିକଣା ଉପରେ ମିସାଇଲ ଓ ଡ୍ରୋନ ମାଡ଼ କରିବାର କିଛି ଘଣ୍ଟା ପରେ ଇରାନ ଏହି ଘୋଷଣା କରିଛି।

ଆମେରିକାର ପ୍ରତିକ୍ରିୟା ଓ ଟ୍ରମ୍ପଙ୍କ ଆଶ୍ୱାସନା

ଇରାନର ଏହି ଦାବିକୁ ଆମେରିକା ତୁରନ୍ତ ଖାରଜ କରିଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ୍ସରେ ପୋଷ୍ଟ କରି କହିଛି, "ଇରାନର ଏହି ଧମକ ସତ୍ତ୍ୱେ ବାଣିଜ୍ୟିକ ଜାହାଜଗୁଡ଼ିକ ସେହି ଜଳପଥ ଦେଇ ଯାତାୟାତ କରୁଛନ୍ତି। ହର୍ମୁଜ ପ୍ରଣାଳୀ ସମସ୍ତଙ୍କ ପାଇଁ ମୁକ୍ତ ଏବଂ ଏହାର ସୁରକ୍ଷା ପାଇଁ ଆମେରିକା ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ହର୍ମୁଜ ଉପରେ ଇରାନର କୌଣସି ନିୟନ୍ତ୍ରଣ ନାହିଁ।" ଏଥି ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏକ ସାକ୍ଷାତକାରରେ ବିଶ୍ୱ ବଜାରକୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ସାମରିକ ତିକ୍ତତା ସତ୍ତ୍ୱେ ବାଣିଜ୍ୟିକ ଜାହାଜ ଚଳାଚଳ ଜାରି ରହିଛି।

ଆଣବିକ ବୋମା ଠାରୁ ବି ଶକ୍ତିଶାଳୀ ହର୍ମୁଜ ପ୍ରଣାଳୀ: ଇରାନ

ସାମରିକ ବିବାଦ ଘନେଇବା ସହ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ବରିଷ୍ଠ ପରାମର୍ଶଦାତା ମହସେନ ରେଜାଇ କହିଛନ୍ତି ଯେ, "ଏହି ରଣନୈତିକ ଜଳପଥ ଇରାନ ପାଇଁ ଏକାଧିକ ଆଣବିକ ବୋମା ଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ। ଇରାନ ଏହାର ସୁରକ୍ଷା କରିବ।"

ସେପଟେ ଆମେରିକା ପୁଣିଥରେ ଇରାନ ଉପରେ ଆକ୍ରମଣ କରିବା ପରେ ଇରାନ ମଧ୍ୟ ଉପସାଗରୀୟ ଦେଶଗୁଡିକରେ ଥିବା ଆମେରିକାର ଠିକଣା ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ରବିବାର ଇରାନ ପକ୍ଷରୁ ଜୋର୍ଡାନ, କୁଏତ, ଓମାନ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଥିବା ଆମେରିକା ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଉପରେ ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଛି। କତାରରେ ମିସାଇଲ ଆକ୍ରମଣ ପ୍ରତିହତ କରାଯିବା ପରେ ତାର ଭଗ୍ନାବଶେଷ ପଡ଼ି ଜଣେ ଶିଶୁ ସହିତ ୩ ଜଣ ଆହତ ହୋଇଛନ୍ତି। ଓମାନ ଏହି ଆକ୍ରମଣକୁ ନେଇ କଡ଼ା ପ୍ରତିବାଦ କରିଥିବା ବେଳେ ଓମାନରେ ଥିବା ଆମେରିକୀୟ ଦୂତାବାସ ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କହିଛି।

ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି କତାର ମଧ୍ୟ ମାଛଧରା ଡଙ୍ଗା ଓ ଅନ୍ୟାନ୍ୟ ଛୋଟ ଜାହାଜଗୁଡ଼ିକୁ ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ ଦେଇଛି। ଏହାରି ମଧ୍ୟରେ ଆମେରିକା ସେନା ଗତ ତିନି ଦିନରେ ଇରାନର ୩୦୦ରୁ ଅଧିକ ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ଦେଇଛି, ଯେଉଁଥିରେ ଶନିବାର ରାତିର ୧୪୦ଟି ଆକ୍ରମଣ ସାମିଲ ରହିଛି।

ବିଶ୍ୱ ବାଣିଜ୍ୟ ଉପରେ ଚାପ

ହର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ମଧ୍ୟରୁ ଅନ୍ୟତମ। ଆମେରିକ-ଇରାନ ଯୁଦ୍ଧ ପୂର୍ବରୁ ବିଶ୍ୱର ପ୍ରାୟ ୨୦ ପ୍ରତିଶତ (ଏକ ପଞ୍ଚମାଂଶ) ତେଲ ଏବଂ ଏଲ୍.ଏନ୍.ଜି (LNG)ର ପରିବହନ ଏହି ସଂକୀର୍ଣ୍ଣ ଜଳପଥ ଦେଇ ହେଉଥିଲା। ତେଣୁ ଏଠାରେ ସାମାନ୍ୟ ବାଧା ଉପୁଜିଲେ ମଧ୍ୟ ବିଶ୍ୱ ବଜାର ଏବଂ ଜାଳେଣି ଗ୍ୟାସ ଦର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ଭାରତ ମଧ୍ୟ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛି।