ନୂଆଦିଲ୍ଲୀ, ୧୩/୦୯ : ଏକାଧିକ ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବ ଏହାର ଗୁରୁତ୍ବପୂର୍ଣ ଇଷ୍ଟ -ୱେଷ୍ଟ ତୈଳ ପାଇପଲାଇନକୁ ବନ୍ଦ କରିଦେଇଛି। ଗୁରୁବାର ହୋଇଥିବା ଡ୍ରୋନ୍ ଆକ୍ରମଣରେ ପାଇପଲାଇନ ସହ ଜଡ଼ିତ ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏଥିସହ କେତେଜଣ ଆହତ ମଧ୍ୟ ହୋଇଥିଲେ । ଇରାନ ଯୁଦ୍ଧ ଯୋଗୁ ହୋର୍ମୁଜ ପ୍ରଣାଳୀ ବନ୍ଦ ହେବା ପରେ ସାଉଦି ଆରବ ଏହି ପାଇପଲାଇନ ମାଧ୍ୟମରେ ଦିନକୁ ପ୍ରାୟ ୫୦ ଲକ୍ଷ ବ୍ୟାରେଲ ତୈଳ ପଠାଉଥିଲା।

ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ପାଇପଲାଇନ ଉପରେ ଗୁରୁବାର ଏକାଧିକ ଡ୍ରୋନ୍ ଆକ୍ରମଣ ହୋଇଛି। ମନ୍ତ୍ରଣାଳୟର ଟିମ୍ ପାଇପଲାଇନକୁ ସୁରକ୍ଷିତ ରଖିବା ଏବଂ କେତେ କ୍ଷତି ହୋଇଛି ଜାଣିବା ଲାଗି କାମ ଚଲାଇଛନ୍ତି। କେହି ଅଦ୍ୟାବଧି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନ ଥିଲେ ହେଁ ଇରାନ ହିଁ ଆକ୍ରମଣ କରାଇଥିବା କୁହାଯାଉଛି।

Also Read :- ନେପାଳ ବନ୍ୟା : ୧୩୮୫ରେ ପହଁଚିଲା ମୃତ୍ୟୁସଂଖ୍ୟା, ଏବେବି ୫ହଜାର ନିଖୋଜ

ଆମେରିକୀୟ ଅଧିକାରୀଙ୍କ ମୁତାବକ, ଆକ୍ରମଣରେ ପାଇପଲାଇନ ପାଖରେ ବନିଥିବା ଷ୍ଟେସନକୁ ଟାର୍ଗେଟ କରାଯାଇଥିଲା। ଏହି ଷ୍ଟେସନ ପାଇପଲାଇନରେ ତୈଳକୁ ଆଗକୁ ପଠାଇବାରେ ସହାୟକ ହୋଇଥାଏ। ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି, ଷ୍ଟେସନରେ ନିଆଁ ଲାଗିବା ପରେ ଏହା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟ ଏକ ଚିତ୍ରରେ ସେଠାରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଛି। ଇରାକ ଏହି ଆକ୍ରମଣକୁ ନିନ୍ଦା କରିଛି। ଆକ୍ରମଣର ଯାଞ୍ଚ କରାଯିବ ଏବଂ ନିଜ ଜମି କିମ୍ବା ବାୟୁସୀମାକୁ ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଦିଆଯିବ ନାହିଁ ବୋଲି ଇରାକ ସରକାର କହିଛନ୍ତି।

ସାଉଦିର ଅଧିକାଂଶ ତୈଳ ଦେଶର ପୂର୍ବ ଭାଗ ଦେଇ ଯାଇଥାଏ। ଏହାକୁ ଅନ୍ୟ ଦେଶଗୁଡ଼ିକରେ ପହଞ୍ଚାଇବା ଲାଗି ସାଧାରଣତଃ ଜାହାଜଗୁଡ଼ିକର ବ୍ୟବହାର କରାଯାଇଥାଏ। ସେହି ଜାହାଜକୁ ପାରସ୍ୟ ଉପସାଗରରୁ ବାହାରକୁ ବାହାର କରିବା ଲାଗି ହୋର୍ମୁଜ ପ୍ରଣାଳୀ ଦେଇ ଯିବାକୁ ପଡ଼ିଥାଏ।

ଇରାନ ଯୁଦ୍ଧ ଯୋଗୁ ହୋର୍ମୁଜ ରାସ୍ତା ବନ୍ଦ ଅଛି। ତେଣୁ ସାଉଦି ଆରବ ଇଷ୍ଟ-ୱେଷ୍ଟ ପାଇପଲାଇନର ସାହାରା ନେଇଥିଲା। ଏହି ପାଇପଲାଇନ ତୈଳକୁ ଦେଶ ପୂର୍ବ ଭାଗରୁ ସିଧା ପଶ୍ଚିମ ତଟାୟାନବୁ ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇଥାଏ। ଅର୍ଥାତ ତୈଳକୁ ହୋର୍ମୁ ଜ ଦେଇ ଯିବାକୁ ପଡ଼ି ନ ଥାଏ। ସେଠାରୁ ଜାହାଜ ମାଧ୍ୟମରେ ତୈଳ ଅନ୍ୟ ଦେଶଗୁଡ଼ିକୁ ତୈଳ ରପ୍ତାନୀ କରାଯାଏ ।