ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଜାରି କଥାବାର୍ତ୍ତାରେ ପୁଣି ପେଞ୍ଚ ଫଶିଯାଇଛି। ରିପୋର୍ଟସ ଅନୁସାରେ ଆମେରିକା ସହିତ କଥାବାର୍ତ୍ତା ବନ୍ଦ କରିବାକୁ ଇରାନ ନିଷ୍ପତ୍ତି ନେଇଛି। ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସୀ ତସନିମ୍ ଅନୁସାରେ ଲେବାନନରେ ସିଜଫାୟାର ଉଲ୍ଲଂଘନ ଅଭିଯୋଗ କରି ଆମେରିକା ସହ କଥାବାର୍ତ୍ତାକୁ ଇରାନ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେଲା ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଆକ୍ରମଣ ଜୋରଦାର କରିଛି।

ଗତକିଛି ସମୟ ହେଲା ମଧ୍ୟପ୍ରାଚ୍ୟରେ ପୁଣି ଥରେ ମିଜାଇଲ ଓ ଡ୍ରୋନ ଚାଲିବା ଦେଖାଯାଇଛି। ଇରାନର ସାମରିକ ଘାଟିକୁ ଆମେରିକା ଟାର୍ଗେଟ କରୁଥିବା ବେଳେ ଇରାନ ମଧ୍ୟ ଏହାର ଜବାବ ଦେଉଛି। ଏହିକ୍ରମରେ ଆମେରିକା ଷ୍ଟ୍ରେଟ୍ ଅଫ ହର୍ମୁଜରେ ଇରାନର ଗୋରୁକ ଓ କେସମ ଆଇଲ୍ୟାଣ୍ଡରେ ଥିବା ରାଡାର ଓ ଡ୍ରୋନ ନିୟନ୍ତ୍ରଣ କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ଇରାନ ମଧ୍ୟ ଏହା ଜବାବରେ କାର୍ଯ୍ୟାନୁଷ୍ଠାନ କରିଛି। ଆଇଆରଜିସି ଦାବି କରିଛି ଯେ ଆମେରିକାର ସେହି ବାୟୁସେନା ଘାଟିକୁ ଟାର୍ଗେଟ କରାଯାଇଛି ଯେଉଁଠୁ ଇରାନ ଉପରେ ଆକ୍ରମଣ ହେଉଥିଲା।

ସେପଟେ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଦାବି କରିଛି ଯେ ଇରାନର ଏୟାର ଡିଫେନ୍ସ ସିଷ୍ଟମ, ଏକ ଗ୍ରାଉଣ୍ଡ କଣ୍ଟ୍ରୋଲ ସିଷ୍ଟମ ଓ ୨ଟି ଡ୍ରୋନକୁ ନଷ୍ଟ କରାଯାଇଛି। ଇରାନ ସେନା ରବିବାର ଆମେରିକାର ଏକ ଏମକ୍ୟୁ ୧ ଡ୍ରୋନକୁ ଖସାଇ ଦେଇଥିବାର ଦାବି କରିଥିଲା। ତେବେ ଇରାନ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରୁନି ଯେ ସେ ଆମେରିକାର କେଉଁ ବାୟୁସେନା ଘାଟି ଉପରେ ଆକ୍ରମଣ କରିଛି। ହେଲେ ଇରାନ ଆମେରିକା ଆଡ୍ଡା ଉପରକୁ ମିଜାଇଲରେ ଆକ୍ରମଣ କରୁଥିବାର ଭିଡିଓ ଜାରି କରିଛି। ଏଥିରେ କ୍ୱେତରେ ମିଜାଇଲ ଆଟାକ୍ ନେଇ ସାଇରନ ବାଜୁଥିବାର ଶୁଣାଯାଉଛି।