ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିର ଡ୍ରାଫ୍ଟ ବା ଚିଠା ସାମ୍ନାକୁ ଆସିଛି। ଇରାନର ଅର୍ଦ୍ଧ-ସରକାରୀ ଗଣମାଧ୍ୟମ ସଂସ୍ଥା ମେହର ନ୍ୟୁଜ୍ ଏଜେନ୍ସି ପକ୍ଷରୁ ଏହି ଚୁକ୍ତିର ଏକ ୧୪ ପଏଣ୍ଟ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଉନ୍ମୋଚନ କରାଯାଇଛି। ଯେଉଁଥିରେ ଯୁଦ୍ଧ ସମାପ୍ତ କରିବା ଏବଂ ପ୍ରତିବନ୍ଧକ ହଟାଇବା ଭଳି ଅନେକ ବଡ଼ ସର୍ତ୍ତ ସାମିଲ ରହିଛି। ତେବେ ଉଭୟ ଦେଶ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଚୁକ୍ତିକୁ ନେଇ ଆନୁଷ୍ଠାନିକ ଭାବରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଡ୍ରାଫ୍ଟରେ ଥିବା ପ୍ରମୁଖ ୧୪ ପଏଣ୍ଟ

- ଯୁଦ୍ଧର ସ୍ଥାୟୀ ସମାପ୍ତି: ଲେବନାନ ସମେତ ସମସ୍ତ ମୋର୍ଚ୍ଚାରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ଏବଂ ସ୍ଥାୟୀ ଭାବେ ବନ୍ଦ କରାଯିବ

- ହର୍ମୁଜ ପ୍ରଣାଳୀ (Strait of Hormuz) ଖୋଲିବା: ଆଗାମୀ ୩୦ ଦିନ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ପୁଣି ଖୋଲାଯିବ। କିନ୍ତୁ ଏହାର ପରିଚାଳନା ଇରାନର ନିରୀକ୍ଷଣରେ ରହିବ।

- ଆମେରିକାର ହସ୍ତକ୍ଷେପ ନିଷେଧ: ଆମେରିକା କଦାପି ଇରାନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବ ନାହିଁ ଏବଂ ଇରାନର ସାର୍ବଭୌମତ୍ୱକୁ ସମ୍ମାନ ଜଣାଇବ।

- ସାମୁଦ୍ରିକ ନାକାବନ୍ଦୀ ପ୍ରତ୍ୟାହାର: ଆମେରିକା ୩୦ ଦିନ ମଧ୍ୟରେ ଇରାନ ଉପରୁ ନାକାବନ୍ଦୀ ହଟାଇବ ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ନିଜର ସେନା ମୁତୟନ ହ୍ରାସ କରିବ।

- ତୈଳ ରପ୍ତାନି ଉପରୁ ପ୍ରତିବନ୍ଧକ ହଟିବ: ଇରାନର ତୈଳ ଏବଂ ପେଟ୍ରୋକେମିକାଲ୍ସ ଉପରେ ଲାଗିଥିବା ଆମେରିକୀୟ ଆର୍ଥିକ ପ୍ରତିବନ୍ଧକକୁ ସ୍ଥଗିତ ବା ପ୍ରତ୍ୟାହାର କରାଯିବ।

- ୩୦୦ ବିଲିୟନ ଡଲାରର ପୁନରୁଦ୍ଧାର ଯୋଜନା: ଇରାନର ପୁନର୍ନିମାଣ ପାଇଁ ଆମେରିକା ଏବଂ ତାର ସହଯୋଗୀ ଦେଶମାନେ ଅତି କମରେ ୩୦୦ ବିଲିୟନ ଡଲାରର ଏକ ବୃହତ ଯୋଜନା ପ୍ରସ୍ତୁତ କରିବେ।

- ୬୦ ଦିନର ଆଲୋଚନା: ପରମାଣୁ କାର୍ଯ୍ୟକ୍ରମ ଏବଂ ସମସ୍ତ ଆର୍ଥିକ ପ୍ରତିବନ୍ଧକ ହଟାଇବା ନେଇ ଦୁଇ ଦେଶ ମଧ୍ୟରେ ୬୦ ଦିନ ଧରି ଚୂଡ଼ାନ୍ତ ଆଲୋଚନା ଚାଲିବ।

- ପରମାଣୁ ଅସ୍ତ୍ର ନିର୍ମାଣ ନ କରିବାକୁ ପ୍ରତିଶ୍ରୁତି: ଇରାନ କୌଣସି ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ ବୋଲି ପୁନର୍ବାର ପ୍ରତିଶ୍ରୁତି ଦେଇଛି।

- ନୂତନ ପ୍ରତିବନ୍ଧକ ଉପରେ ରୋକ: ଆଲୋଚନା ସମୟରେ ଆମେରିକା ସେହି ଅଞ୍ଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବ ନାହିଁ କିମ୍ବା ଇରାନ ଉପରେ କୌଣସି ନୂଆ ପ୍ରତିବନ୍ଧକ ଲଗାଇବ ନାହିଁ।

- ୨୪ ବିଲିୟନ ଡଲାର ପାଣ୍ଠି ମୁକ୍ତ: ଆମେରିକା ଦ୍ୱାରା ଫ୍ରିଜ କରାଯାଇଥିବା ଇରାନର ୨୪ ବିଲିୟନ ଡଲାରର ମୁକ୍ତ କରାଯିବ।

- ନିରୀକ୍ଷଣ ବ୍ୟବସ୍ଥା: ଏହି ଚୁକ୍ତିନାମାର ସଫଳ ରୂପାୟନ ଏବଂ ନିୟମ ପାଳନର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ତଦାରଖ କମିଟି ଗଠନ କରାଯିବ।

- UNSCର ମଞ୍ଜୁରୀ: ଏହି ଚୂଡ଼ାନ୍ତ ଚୁକ୍ତିକୁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ପ୍ରସ୍ତାବ ଜରିଆରେ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ଦିଆଯିବ।

- ଚୂଡ଼ାନ୍ତ ବୈଠକ ପାଇଁ ସର୍ତ୍ତ: ଯେପର୍ଯ୍ୟନ୍ତ ଇରାନର ଅଧା ପାଣ୍ଠି ମୁକ୍ତ ହୋଇନାହିଁ, ତୈଳ ପ୍ରତିବନ୍ଧକ ହଟାଯାଇ ନାହିଁ ଏବଂ ସାମୁଦ୍ରିକ ନାକାବନ୍ଦୀ ହଟିନାହିଁ, ସେପର୍ଯ୍ୟନ୍ତ ଚୂଡ଼ାନ୍ତ ବୈଠକ ଆରମ୍ଭ ହେବନାହିଁ।

- କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବାଦ୍: ଏହି ଚୁକ୍ତିରୁ ଇରାନର କ୍ଷେପଣାସ୍ତ୍ର (Missile) କାର୍ଯ୍ୟକ୍ରମ ଏବଂ ଆଞ୍ଚଳିକ ସଶସ୍ତ୍ର ସଂଗଠନଗୁଡ଼ିକୁ ମିଳୁଥିବା ସମର୍ଥନ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି।

Also Read: ୩ ଭାରତୀୟ ନିଖୋଜ ପରେ ହମଲାକୁ ଭାରତର କଡା ନିନ୍ଦା, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକୀୟ ରାଷ୍ଟ୍ରଦୂତକୁ ସମନ

ଲେବନାନର ସ୍ଥିତି ଉପରେ ନଜର

ରିପୋର୍ଟ ଅନୁଯାୟୀ, ଏହି ଶାନ୍ତି ପ୍ରକ୍ରିୟାର ସଫଳତା ବହୁ ପରିମାଣରେ ଲେବନାନର ବର୍ତ୍ତମାନର ସ୍ଥିତି ଉପରେ ନିର୍ଭର କରୁଛି। ହେଜବୁଲ୍ଲାହ ପକ୍ଷରୁ ଦାବି କରାଯାଉଛି ଯେ, ଇସ୍ରାଏଲ୍ ସେନା ସମ୍ପୂର୍ଣ୍ଣ ରୂପେ ଲେବନାନ ସୀମାରୁ ପ୍ରତ୍ୟାହାର କରୁ। ଅନ୍ୟପଟେ ଇସ୍ରାଏଲ୍ ଦକ୍ଷିଣ ଲେବନାନରେ ନିଜର ସାମରିକ ଅଭିଯାନ ଜାରି ରଖିବ ବୋଲି ସ୍ପଷ୍ଟ କରିଛି। ବର୍ତ୍ତମାନ ଏହି ଚିଠା ପ୍ରସ୍ତାବକୁ ଇରାନର ଶୀର୍ଷ ନେତୃତ୍ୱଙ୍କ ସବୁଜ ସଙ୍କେତ ମିଳିନାହିଁ। ହେଲେ ଏହି ଖବର ଆସିବା ପରେ ଗୁରୁବାର ଓ ଶୁକ୍ରବାର ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି ।