ନୂଆଦିଲ୍ଲୀ, ୦୮/୦୪ : ରୋମାଞ୍ଚକର ମୁକାବିଲା । ଶେଷ ବଲରେ ରେଜଲ୍ଟ୍ ।  ଚାଲିଲା କେଏଲ ରାହୁଲ ଏବଂ ଡେଭିଡ୍ ମିଲରଙ୍କ ବ୍ୟାଟ୍ । ବର୍ଷା କଲେ ଛକା ଏବଂ ଚଉକା । କିନ୍ତୁ ଗୁଜୁରାଟ ପାଖରୁ ଛଡାଇ ଆଣି ପାରିଲେନି ବିଜୟ । ଗୁଜୁରାଟ ଟାଇଟନ୍ସର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାରେ ବିଫଳ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ବୁଧବାର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ହାଇସ୍କୋରିଂ ମୁକାବିଲାରେ ଗୁଜୁରାଟ ବାଜି ମାରି ନେଇଛି । ଗୁଜୁରାଟ ଏକ ରନରେ ମ୍ୟାଚ୍ ଜିତି ନେଇଛି ।

ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ । ଓପନର ସାଇ ସୁଦର୍ଶନ ସଅଳ ଆଉଟ୍ ହୋଇଯାଇଥିଲେ । କିନ୍ତୁ ଅଧିନାୟକ ଶୁଭମନ୍ ଗିଲ ଏବଂ ଜସ୍ ବଟଲର ସ୍କୋରକୁ ଆଗରୁ ନେଇଥିଲେ । ଉଭୟେ ବିସ୍ଫୋରକ ବ୍ୟାଟିଂ କରି ଅର୍ଧଶତକ ଲଗାଇଥିଲେ । ବଟଲର ଆଉଟ୍ ହେଲା ପରେ ଓ୍ୱାଶିଂଟନ୍ ସୁନ୍ଦର ମଧ୍ୟ ଦମଦାର ଅର୍ଧଶତକ ହାସଲ କରିଥିଲେ । ଫଳରେ ଗୁଜୁରାଟ ନିର୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ୍ ହରାଇ ୨୧୦ ରନ୍ କରିଥିଲା । 

ତେବେ ୨୧୧ ରନର ବିଜୟ ଲକ୍ଷ୍ୟକୁ ଚେଜ୍ କରିବା ପାଇଁ ଓହ୍ୱାଇଥିଲେ କେଏଲ ରାହୁଲ ଏବଂ ପାଥୁମ ନିଶଙ୍କା । ଉଭୟେ ଜବରଦସ୍ତ ବ୍ୟାଟିଂ କରିଥିଲେ । ନିଶଙ୍କା ୪୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ରାହୁଲ ଅଟକି ନଥିଲେ । ସେ ୧୭ ଓଭର ଯାଏଁ ରହି ଦଳକୁ ବିଜୟ ଆଶା ଦେଉଥିଲେ । କ୍ରିଜର ଗୋଟିଏ ପରେ ରାହୁଲ ଠିଆ ହୋଇ ରନ୍ କରୁଥିଲେ । କିନ୍ତୁ ଅନ୍ୟ ଦିଗରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରୁଥିଲେ । ରାହୁଲ ଆଉଟ୍ ହେଲା ପରେ ଦିଲ୍ଲୀର ବିଜୟ ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା । କିନ୍ତୁ ଡେଭିଡ୍ ମିଲର ରିଟାୟର ହର୍ଟରୁ ଫେରି ରନ୍ ବର୍ଷା କରି ବିଜୟ ଆଶା ଦେଖାଇଥିଲେ । ଶେଷ ଯାଏଁ ରହିଥିଲେ ମଧ୍ୟ ଦିଲ୍ଲୀକୁ ମ୍ୟାଚ୍ ଜିତାଇ ପାରି ନଥିଲେ ।ରାହୁଲ ୯୨ ରନ୍ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରାଣା ୫ ଏବଂ ସମୀର ରିଜଭୀ ୧ ରନ୍ କରିଛନ୍ତି ।  ସେହିପରି ଟି ଷ୍ଟବସ୍ ଏବଂ ବିପ୍ରଜ ନିଗମ  ୭ ଏବଂ ୧୨ ରନ୍ କରିଛନ୍ତି । ମିଲର ୪୧ ରନ୍ କରିଥିଲେ । ଦଳ ୨୦ ଓଭରରେ ୨୦୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଗୁଜୁରାଟ ୧ ରନରେ ମ୍ୟାଚ୍ ଜିତି ନେଇଛି । ​​​​​​​

ଗୁଜରାଟ ପକ୍ଷରୁ ରଶିଦ ଖାନ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଦୁଇଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।