LSG vs RR: ଆଇପିଏଲ୍ ୨୦୨୬ର ପ୍ଲେ ଅଫରୁ ବାଦ୍ ପଡ଼ି ସାରିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ସିଜିନର ୬୪ତମ ମ୍ୟାଚରେ ଦମଦାର ବ୍ୟାଟିଂ କରିଛି। ହେଲେ ଦଳ ଯେଉଁ ସ୍କୋର କରିବା କଥା ତାହା କରି ପାରିନି। ମିଚେଲ୍ ମାର୍ଶଙ୍କ ୯୬ ରନର ଇନିଂସ ଏବଂ ଜୋଶ ଇଂଲିଶଙ୍କ ୬୦ ରନ ବଳରେ ଲକ୍ଷ୍ନୌ ୫ ଓ୍ଵିକେଟ୍ ହରାଇ ୨୨୦ ରନ କରିଛି। ରାଜସ୍ଥାନ ରୟାଲ୍ସ ସାମ୍ନାରେ ରହିଛି ୨୨୧ ରନର ବିଜୟ ଲକ୍ଷ୍ୟ। ପ୍ଲେ ଅଫ୍ ଦୌଡ଼ରେ ତିଷ୍ଠିବାକୁ ହେଲେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ଜରୁରୀ। ନଚେତ୍ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଆଜିର ମ୍ୟାଚ୍ ରାଜସ୍ଥାନର ଘରୋଇ ଗ୍ରାଉଣ୍ଡ ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି।

ମାର୍ଶ ଓ ଇଂଲିଶଙ୍କ ଧୂଆଁଧାର ଓପନିଂ ପାର୍ଟନରସିପ୍

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଲକ୍ଷ୍ନୌ ଦଳକୁ ଦୁଇ ଓପନର ମିଚେଲ ମାର୍ଶ ଓ ଜୋସ୍ ଇଂଲିଶ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୁହେଁ ମାତ୍ର ୮.୨ ଓଭରରେ ପ୍ରଥମ ୱିକେଟ୍ ପାଇଁ ୧୦୯ ରନର ଦମଦାର ଭାଗିଦାରୀ କରିଥିଲେ। ଜୋସ୍ ଇଂଲିଶ ମାତ୍ର ୨୯ ବଲ୍‌ରୁ ୬୦ ରନର ଧୂଆଁଧାର ଇନିଂସ ଖେଳି ଆଉଟ୍ ହୋଇଥିବା ବେଳେ ଷ୍ଟାର୍ ବ୍ୟାଟର ନିକୋଲାସ ପୁରନ (୧୬) ପୁଣି ଥରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି।

ଇତିହାସ ରଚିବାରୁ ବଞ୍ଚିତ ହେଲେ ମିଚେଲ ମାର୍ଶ                                                                                   

ଲକ୍ଷ୍ନୌର ତାରକା ଅଲରାଉଣ୍ଡର ମିଚେଲ ମାର୍ଶ ଆଜି ପୁଣି ଥରେ ଶତକରୁ ବଞ୍ଚିତ ହୋଇ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଛନ୍ତି। ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୯୦ ରନ୍ କରିଥିବା ମାର୍ଶ, ଆଜି ୯୬ ରନ୍‌ରେ ଆଉଟ୍ ହୋଇଛନ୍ତି। ଯଦି ଆଜି ସେ ଶତକ କରିଥାନ୍ତେ, ତେବେ ଆଇପିଏଲ ଇତିହାସରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ୩ଟି ଶତକ ହାସଲ କରିଥିବା ପ୍ରଥମ ବ୍ୟାଟର ବନିଥାନ୍ତେ। ତେବେ LSG ପାଇଁ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ଏବେ ବି ତାଙ୍କ ନାମରେ ରହିଛି। ଅନ୍ୟପଟେ କପ୍ତାନ ଋଷଭ ପନ୍ତ ଭଲ ଲୟରେ ନଜର ଆସୁଥିଲେ ମଧ୍ୟ ୩୫ ରନ୍ କରି ରନ ଆଉଟର ଶିକାର ହୋଇଥିଲେ।

ଶେଷ ଓଭରରେ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ

ଏକଦା ଲକ୍ଷ୍ନୌ ସହଜରେ ୨୩୦ ରନ୍ ପାର୍ କରିବ ବୋଲି ମନେହେଉଥିଲା। କିନ୍ତୁ ରାଜସ୍ଥାନର ସ୍ପିଡ୍ ଷ୍ଟାର୍ ଜୋଫ୍ରା ଆର୍ଚ୍ଚର ଶେଷ ଓଭରରେ ଚମତ୍କାର ବୋଲିଂ କରି ଲକ୍ଷ୍ନୌ ରଥରେ ବ୍ରେକ୍ ଲଗାଇଥିଲେ। ଆର୍ଚ୍ଚର ଶେଷ ଓଭରରେ ମାତ୍ର ୫ ରନ୍ ଦେଇ ୩ଟି ୱିକେଟ୍ ଚଟକାଇଥିଲେ, ଯାହା ଫଳରେ ଲକ୍ଷ୍ନୌ ସ୍କୋର ୨୨୧ ରେ ସୀମିତ ରହିଥିଲା।