RCB vs GT: ଆଇପିଏଲ୍ ୨୦୨୬କୁ ମିଳିଲା ପ୍ରଥମ ଫାଇନାଲିଷ୍ଟ।ଅଧିନାୟକ ରଜତ ପାଟିଦାରଙ୍କ ଧମାକାଦାର ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ। ପ୍ରଥମ କ୍ଵାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ୯୨ ରନରେ ବିଶାଳ ବ୍ୟବଧାନରେ ହରାଇଛି। ଏହା ସହିତ ଡିଫେଣ୍ଡିଂ ଚାମ୍ପିଅନ ଆରସିବି ଚତୁର୍ଥ ଥର ଫାଇନାଲରେ ପହଞ୍ଚିଛି। ଅନ୍ୟପଟେ ଗୁଜରାଟ ଏବେ ଏଲିମିନେଟର ବିଜେତାକୁ ମେ ୨୯ରେ ନ୍ୟୁ ଚଣ୍ଡିଗଡ଼ରେ ଭେଟିବ। ଆଜି ଧର୍ମଶାଳାରେ ଖେଳା ଯାଇଥିବା ଏକତରଫା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ରଜତ ପାଟିଦାରଙ୍କ ୯୩ ରନର ଇନିଂସ ଏବଂ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬୨ ରନ କରି ପାରିଛି। ରାହୁଲ ତେଓ୍ଵତିଆ(୬୮ ରନ)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ।

୨୫୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ସାଇ ସୁଦର୍ଶନ(୧୪ ରନ) ଓ ଅଧିନାୟକ ଶୁଭମନ ଗିଲ୍(୨ ରନ) ଆଉଟ୍ ହେବା ଗୁଜରାଟକୁ ଆରମ୍ଭରୁ ବ୍ୟାକଫୁଟରେ ରହିଥିଲା। ଜୋସ ବଟଲର ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୨୯ ରନ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ପୁଣି ନିଶାନ୍ତ ସିନ୍ଧୁ ଓ ଓ୍ଵାଶିଂଟନ ସୁନ୍ଦର ଦୁଇ ଅଙ୍କ ବି ଛୁଇଁ ପାରି ନ ଥିଲେ। ଜାସନ ହୋଲଡର ତ ଖାତା ଖୋଲି ପାରି ନ ଥିଲେ।

ରାହୁଲ ତେଓ୍ଵତିଆ ଶେଷ ଆଡ଼କୁ ଅର୍ଦ୍ଧଶତକୀୟ ଇନିଂସ ଖେଳି ଗୁଜରାଟର ସମ୍ମାନ ରଖିଛନ୍ତି। ସେ ୬୮ ରନ କରି ଆଉଟ୍ ହୋଇଥିଲେ। ଶେଷରେ ଗୁଜରାଟ ୧୬୨ ରନରେ ଅଲଆଉଟ୍ ହୋଇଛି। ମ୍ୟାଚକୁ ୯୨ ରନରେ ଜିତି ୧୯ତମ ସଂସ୍କରଣର ଫାଇନାଲରେ ପହଞ୍ଚିଛି ଆରସିବି। ବୋଲିଂରେ ଆରସିବି ପକ୍ଷରୁ ଜାବକ ଡଫି ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ଵର କୁମାର, ରଶିଖ ସଲାମ ଡାର ଓ କୃଣାଲ ପାଣ୍ଡ୍ୟା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଯୋଗଦାନ ଦେଇଛନ୍ତି।

RCB ଇନିଂସ

ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଆରସିବିର ବ୍ୟାଟର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଦେଇଥିଲେ। ଆରମ୍ଭରୁ ଓପନର୍ ଭେଙ୍କଟେଶ ଆୟର ପ୍ରଥମ ଓଭରରେ ହିଁ ୩ଟି ଚୌକା ମାରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ। ସେ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଦେବଦତ୍ତ ପଡିକଲ୍ ୩୦ ରନର ଅବଦାନ ଦେଇଥିଲେ।

Also Read:ପଦ୍ମଶ୍ରୀ ସମ୍ମାନ ନେବାକୁ କାହିଁକି ରାଷ୍ଟ୍ରପତି ଭବନ ଗଲେନି ରୋହିତ ଶର୍ମା ? ସାମ୍ନାକୁ ଆସିଲା କାରଣ

ପାୱାର-ପ୍ଲେ’ରେ ଦଳ ୭୬ ରନ୍ କରିଥିଲେ ମଧ୍ୟ ମଝିରେ ଜେସନ୍ ହୋଲ୍ଡର ୨ଟି ୱିକେଟ୍ ନେଇ ଗୁଜରାଟକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ୧୦ ଓଭର ସୁଦ୍ଧା ସ୍କୋର ୯୯ ରନ୍ରେ ଅଟକି ରହିଥିଲା। କିନ୍ତୁ ଏହାପରେ କୃଣାଲ ପାଣ୍ଡ୍ୟା (୪୩ ରନ୍) ଏବଂ ରଜତ ପାଟିଦାର କ୍ରିଜ୍ରେ ଜମି ରହି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ବିଶେଷ କରି ଶେଷ ୬ ଓଭରରେ ଆରସିବି ରନ୍ ଗତିକୁ ରକେଟ୍ ଭଳି ବଢ଼ାଇ ମାତ୍ର ୩୬ ବଲ୍ରେ ୧୧୪ ରନ୍ ସଂଗ୍ରହ କରିଥିଲା। ଶେଷ ଆଡ଼କୁ ଜିତେଶ ଶର୍ମା ମଧ୍ୟ ୫ ବଲ୍ରେ ୧୫ ରନ୍ କରି ଅପରାଜିତ ରହିଥିଲେ।

ପାଟିଦାରଙ୍କ ବିସ୍ଫୋରଣ, କୋହଲିଙ୍କ ୬୦୦ ରନ୍ ପୂରଣ

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆରସିବି ଅଧିନାୟକ ରଜତ ପାଟିଦାର ଦଳ ନେତୃତ୍ୱ ନେଇ ଗୁଜରାଟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ସେ ମାତ୍ର ୩୩ ବଲ୍ର ସାମ୍ନା କରି ୫ଟି ଚୌକା ଓ ୯ଟି ବିଶାଳ ଛକା ସହାୟତାରେ ୯୩ ରନ୍ର ଏକ ଅପରାଜିତ ଧୂଆଁଧାର ପାରି ଖେଳିଛନ୍ତି। ଅନ୍ୟପଟେ କିଙ୍ଗ୍ ବିରାଟ କୋହଲି ମଧ୍ୟ ଦ୍ରୁତ ବ୍ୟାଟିଂ କରି ୨୫ ବଲ୍ରେ ୪୩ ରନ୍ (୫ ଚୌକା, ୧ ଛକା) ସଂଗ୍ରହ କରିଛନ୍ତି। ଏହି ଇନିଂସ ସହ କୋହଲି ଚଳିତ ସିଜନରେ ନିଜର ୬୦୦ ରନ୍ ମଧ୍ୟ ପୂରଣ କରିଛନ୍ତି।