ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି IPL 2026।  ପ୍ଲେ ଅଫରେ ୩ ଟିମ୍।  ଚତୁର୍ଥ ସ୍ଥାନ ପାଇଁ ଜୋରଦାର ଟକ୍କର। ରେସରେ ୩ ଟିମ୍। ରାଜସ୍ଥାନ, ପଞ୍ଜାବ, କୋଲକାତା। କିଏ ପ୍ଲେ ଅଫକୁ କରିବ ଏଣ୍ଟ୍ରି। ଚାଲିଛି ଅଙ୍କକଷା। ଫ୍ୟାନ୍ସଙ୍କ ଛାତି ଧଡ଼ଧଡ଼। ଟପ୍-୩ ଦଳ ପ୍ଲେ-ଅଫ୍ ଟିକେଟ୍ କନଫର୍ମ କରିସାରିଥିବା ବେଳେ ଏବେ ଚତୁର୍ଥ ସ୍ଥାନ ପାଇଁ ଚାଲିଛି ଦୌଡ଼। ରାଜସ୍ଥାନ ରୟାଲ୍ସ-ପଞ୍ଜାବ କିଙ୍ଗ୍ସ- କୋଲକାତ ନାଇଟ୍ ରାଇଡର୍ସ ମଧ୍ୟରେ ମହାଲଢ଼େଇ।

ସୁପର ସଣ୍ଡେରେ ସୁପର ଫାଇଟ୍। ରାଜସ୍ଥାନ-ମୁମ୍ବାଇ ମଧ୍ୟରେ ଚାଲିଛି  ଟକ୍କର।  ରାଜସ୍ଥାନ ପାଇଁ ଏହା କର ବା ମର ମ୍ୟାଚ୍ । ରାଜସ୍ଥାନର ମ୍ୟାଚ୍ ହିଁ ପଞ୍ଜାବ ଓ କୋଲକାତାର ପ୍ଲେଅଫ୍ ଭାଗ୍ୟ ନିର୍ଣ୍ଣୟ କରିବ। ବର୍ତ୍ତମାନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ପାଖରେ ୧୪ ପଏଣ୍ଟ ରହିଛି।  ଆଜିର ମ୍ୟାଚ୍ ଜିତିଲେ ଦଳ ସିଧାସଳଖ ୧୬ ପଏଣ୍ଟ ସହ ପ୍ଲେ-ଅଫ୍ ଟିକେଟ୍ ହାତେଇବ। ସେହିପରି ପଞ୍ଜାବ ଓ କୋଲକାତାର ପ୍ଲେଅଫ ଆଶା ମଉଳିଯିବ। କିନ୍ତୁ ଯଦି ରାଜସ୍ଥାନ ଆଜି ହାରିଯାଏ, ପୂରା ଟୁର୍ଣ୍ଣାମେଣ୍ଟରେ ଟ୍ୱିଷ୍ଟ ଆସିବ।

ଟେବୁଲର ଚତୁର୍ଥ ସ୍ଥାନରେ  ଥିବା ପଞ୍ଜାବ ପାଖରେ ୧୫ ପଏଣ୍ଟ ରହିଛି। ଯଦି ରାଜସ୍ଥାନ ହାରିଯାଏ, ପଞ୍ଜାବ ପ୍ଲେଅଫ୍କୁ ଯିବା ଆଶା ଖୋଲିଯିବ। ତଥାପି ଅଛି କେଁ। ରବିବାର ସନ୍ଧ୍ୟାରେ ଦିଲ୍ଲୀକୁ ଭେଟିବ କୋଲକାତା। ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ଅଛି କୋଲକାତା। ଯଦି କୋଲକାତା ବଡ଼ ବ୍ୟବଧାନରେ ଜିତେ, ୧୫ ପଏଣ୍ଟ ପାଇବା ସହ ନେଟ୍ ରନ ବଢ଼ିଯିବ। ଯାହା ପଞ୍ଜାବ କିଙ୍ଗ୍ସ ପାଇଁ ବିପଦ। ତେଣୁ ଆଜିର ମ୍ୟାଚ ୩ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ।

ଯଦିଓ ରାଜସ୍ଥାନ ଗତ ପାଞ୍ଚଟି ମ୍ୟାଚରୁ ତିନୋଟି ମ୍ୟାଚ ହାରିଛି, ତଥାପି ଛୋଟ ଗ୍ରାଉଣ୍ଡ ହୋଇଥିବାରୁ ଦଳର ପଲ୍ଲା ଭାରି ରହିବ। ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଆରମ୍ଭ ସହ ଓପନର୍ ଯଶସ୍ୱୀ ଜୟସ୍ୱାଲଙ୍କ ଘାତକ ଓପନିଂ ମୁମ୍ବାଇ ବିପକ୍ଷରେ ବିଶାଳ ରନ ଛିଡ଼ା କରିବ। ଯାହାକୁ ଚେଜ କରିବା ପାଇଁ ମୁମ୍ବାଇ ପାଇଁ କଷ୍ଟକର ହେବ । ପୂର୍ବ ମ୍ୟାଚରେ ଜୟସ୍ୱାଲ୍ ମାତ୍ର ୩୨ ବଲ୍‌ରୁ ୭୭ ରନ୍‌ର ପାଳି ଖେଳିଥିଲେ। ବଡ କଥା ହେଉଛି, ଏହି ଗ୍ରାଉଣ୍ଡରେ ହିଁ ମୁମ୍ବାଇ ବିପକ୍ଷରେ ଜୟସ୍ୱାଲ୍ ୨ଟି ଶତକ ହାସଲ କରିଥିଲେ।

ଓପନିଂ ଭଲ ରହୁଥିଲେ ସୁଦ୍ଧା ଅଧିନାୟକଙ୍କ ସମେତ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରିୟାନ୍ ପରାଗ ଏବଂ ଧ୍ରୁବ ଜୁରେଲଙ୍କ ପ୍ରଦର୍ଶନ ରାଜସ୍ଥାନ ପାଇଁ ଚିନ୍ତାର କାରଣ ପାଲଟିଛି। ମିଡିଲ୍ ଓଭରଗୁଡ଼ିକରେ ଏମାନଙ୍କ ବ୍ୟାଟ୍ ଶାନ୍ତ ରହୁଛି। ପରାଗ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିପାରୁନଥିବା ବେଳେ ଜୁରେଲଙ୍କ ସଟ୍‌ରେ ଦମ୍ ଦେଖାଯାଉନାହିଁ। ତେଣୁ ଆଜିର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଏହି ଖେଳାଳିମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।

କୋଲକାତାକୁ ପ୍ଲେ-ଅଫ୍ ଯିବାକୁ ହେଲେ ପ୍ରଥମେ ରାଜସ୍ଥାନର ପରାଜୟ ପ୍ରାର୍ଥନା କରିବାକୁ ପଡ଼ିବ। ଏହା ସହ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେମାନଙ୍କୁ ଏକ ବିଶାଳ ବିଜୟ ହାସଲ କରି ନିଜର ନେଟ୍ ରନ୍ ରେଟ୍ ବଢ଼ାଇବାକୁ ହେବ।  ଯଦି କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦୦ ରନ୍ କରେ, ତେବେ ତାଙ୍କୁ ପ୍ରାୟ ୭୭ ରନ‌ରେ ଜିତିବାକୁ ହେବ। ଆଉ ଯଦି ବୋଲିଂ କରେ, ତେବେ ୧୮୦ ରନ୍‌ର ଟାର୍ଗେଟକୁ ମାତ୍ର ୧୨.୧ ଓଭରରେ ହାସଲ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କେବଳ ନିଜର ସମ୍ମାନ ବଞ୍ଚାଇବା ପାଇଁ ଖେଳିବ। ଏବେ ଦେଖିବାକୁ ବାକି ରହିଲା, କେଉଁ ଟିମ୍କୁ ମିଳିବ ପ୍ଲେଅଫ ତାଲାର ଶେଷ ଚାବି ।