PBKS vs LSG: ଆଇପିଏଲ୍ ୨୦୨୬ର ୨୯ତମ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ସହଜରେ ମ୍ୟାଚ୍ ଜିତି ନେଇଛି। ଚଳିତ ସିଜିନରେ ଶ୍ରେୟସ ଆୟରଙ୍କ ଟିମର ବିଜୟ ଯାତ୍ରା ଅବ୍ୟାହତ ରହିଛି। ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ପଞ୍ଜାବ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫୪ ରନରେ ହରାଇଛି। ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ବିଶାଳ ୨୫୪ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୫ ଓ୍ଵିକେଟ୍ ହରାଇ ୨୫୫ ରନ କରି ପାରିଛି। ବିଜୟ ସହ ପଞ୍ଜାବ ଅଙ୍କ ତାଲିକାରେ ନିଜର ଶୀର୍ଷ ସ୍ଥାନ ମଜବୁତ କରିଛି। ଦଳ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି। ଅନ୍ୟପଟେ ଏଲସଜି ନିଜର ଷଷ୍ଠ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି।

୨୫୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭଲ ଆରମ୍ଭ ମିଳିଥିଲା। ପାଓ୍ଵାର ପ୍ଲେରେ ଦୁଇ ଓପନର ମିଚେଲ୍ ମାର୍ଶ ଓ ଆୟୁଷ ବାଦୋନି ୬୧ ରନ ଯୋଡ଼ିଥିଲେ। ତେବେ ବାଦୋନି ୨୧ ବଲରୁ ୩୫ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ୨୩ ବଲରୁ ୧ ଚୌକା ଓ ୪ ଛକା ସହ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତେବେ ଠିକଣା ସମୟରେ ଆଉଟ୍ ହେବାରୁ ଆବଶ୍ୟକ ରନ ଗତି ଧିମେଇ ଯାଇଥିଲା। ମିଚେଲ୍ ମାର୍ଶ ୪୦ ରନ କରି ପାଭିଲିୟନ ଫେରିଥିଲେ।\

ନିକୋଲାସ ପୂରନ ନିଜର ଖରାପ ଫର୍ମ ବଜାୟ ରଖି ୯ ରନ କରିଥିଲେ। ଶେଷ ଆଡ଼କୁ ଆଡନ ମାରକ୍ରମ ୨୨ ବଲରୁ ବିସ୍ଫୋରକ ୪୨ ରନର ଇନିଂସ ଖେଳିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ମୁକୁଲ ଚୌଧୁରୀ ୧୭ ବଲରୁ ୨୧ ରନ କରି ଅପରାଜିତ ଥିଲେ। ଲକ୍ଷ୍ନୌ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଥିଲା। ବୋଲିଂରେ ମାର୍କୋ ଜନସେନ ୩୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

PBKS ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ଗତ ମ୍ୟାଚରେ ପଞ୍ଜାବକୁ ଜିତାଇଥିବା ପ୍ରଭସିମରନ ସିଂ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଷ୍ଟାଡିୟମରେ ଏମିତି ରନ ବର୍ଷା ହୋଇଥିଲା, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଆନ୍ଦୋଳିତ କରିଥିଲା। ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲି ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଚୌକା ଓ ଛକା ବର୍ଷା କରି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରି ୮୧ ବଲରୁ ୧୮୨ ରନର ଭାଗିଦାରୀ କରିଥିଲେ। କୁପର କନୋଲି ୪୬ ବଲରୁ ୮ ଚୌକା ଓ ୭ ଛକା ସହ ୮୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପ୍ରିୟାଂଶ ଆର୍ଯ୍ୟ ୭ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୩୭ ବଲରୁ ୪ ଚୌକା ଓ ୯ ଛକା ସହ ୯୩ ରନ କରିଥିଲେ।

ଏହା ପରେ ଶେଷ ଆଡ଼କୁ ପଞ୍ଜାବ ଓ୍ଵିକେଟ୍ ହରାଇଥିଲେ ହେଁ ରନ ଗତି ବଜାୟ ରଖିଥିଲା। ଅଧିନାୟକ ଶ୍ରେୟସ ଆୟର ୫ ରନ, ମାର୍କସ ଷ୍ଟୋଇନିସ ୧୬ ବଲରୁ ୨୯ ରନ କରିଥିବା ବେଳେ ଶଶାଙ୍କ ସିଂ ୬ ବଲରୁ ୧୭ ରନ କରିଥିଲେ। ଶେଷରେ ପଞ୍ଜାବ ୭ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଥିଲା। ବୋଲିଂରେ ପ୍ରିନ୍ସ ଯାଦବ ୪ ଓଭରରେ ମାତ୍ର ୨୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ବାକି ବୋଲର ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।