ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ୬୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ ୫ ୱିକେଟ୍ରେ ରାଜସ୍ଥାନ ରୟାଲ୍ସ (RR) କୁ ପରାସ୍ତ କରି ଚଳିତ ସିଜିନ୍ର ଷଷ୍ଠ ବିଜୟ ସେଲିବ୍ରେଟ୍ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦମଦାର ଆରମ୍ଭ କରିଥିଲେ ମଧ୍ୟ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁଁ ୧୯୩ ରନ୍ରେ ସୀମିତ ରହିଥିଲା। ଜବାବରେ କେଏଲ୍ ରାହୁଲ ଏବଂ ଅଭିଷେକ ପୋରେଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦିଲ୍ଲୀ ଶେଷ ଓଭରରେ ମ୍ୟାଚ୍ ଜିତି ନେଇଛି। ରିୟାନ ପରାଗଙ୍କ ଦଳ ଏହାକୁ ହାତଛଡ଼ା କରିଛି।

ସୂର୍ଯ୍ୟବଂଶୀ ଓ ପରାଗଙ୍କ ଆଟାକ୍, ପରେ ଷ୍ଟାର୍କଙ୍କ ଘାତକ ବୋଲିଂ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଓପନର ଯଶସ୍ବୀ ଜୈସୱାଲ ଶସ୍ତାରେ ଆଉଟ୍ ହୋଇଥିଲେ। କିନ୍ତୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆସିବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଛକା ମାରି ଖାତା ଖୋଲିଥିବା ବୈଭବ ମାତ୍ର ୨୧ ବଲ୍ରୁ ୪୬ ରନ୍ର ବିସ୍ଫୋରକ ପାଳି ଖେଳିବା ସହ ଧ୍ରୁବ ଜୁରେଲ୍ଙ୍କ ସହ ମିଶି ୭୦ ରନ୍ ଯୋଡ଼ିଥିଲେ। ଏହାପରେ ଅଧିନାୟକ ରିୟାନ ପରାଗ ମଧ୍ୟ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ବ୍ୟାଟିଂ ବଳରେ ରାଜସ୍ଥାନ ୧୪ ଓଭର ସୁଦ୍ଧା ୧୬୦ રନ୍ କରି ମଜବୁତ ସ୍ଥିତିରେ ଥିଲା।

ଏହି ସମୟରେ ଦିଲ୍ଲୀର ବୋଲରମାନେ ଜବରଦସ୍ତ କମ୍ବ୍ୟାକ୍ କରିଥିଲେ। ବିଶେଷ କରି ଅଷ୍ଟ୍ରେଲିଆର ଷ୍ଟାର୍ ପେସର ମିଚେଲ ଷ୍ଟାର୍କ ୪୦ ରନ୍ ଦେଇ ୪ଟି ପ୍ରମୁଖ ୱିକେଟ୍ ଚଟକାଇ ରାଜସ୍ଥାନର ରନ୍ ଗତିରେ ବ୍ରେକ୍ ଲଗାଇଥିଲେ। ଧ୍ରୁବ ଜୁରେଲ୍ ୫୩ ରନ୍ (୪୦ ବଲ୍) କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ମାଧବ ତିୱାରୀ ଓ ଲୁଙ୍ଗି ଏନଗିଡି ମଧ୍ୟ ୨-୨ଟି ୱିକେଟ୍ ନେଇ ରାଜସ୍ଥାନକୁ ୧୯୩ ରନରେ ଅଟକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ରାହୁଲ-ପୋରେଲଙ୍କ ଓପନିଂ ପାର୍ଟନରସିପ୍ 

୧୯୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କେଏଲ୍ ରାହୁଲ ଏବଂ ଅଭିଷେକ ପୋରେଲ୍ ଚମତ୍କାର ଆରମ୍ଭ ଦେଇଥିଲେ। ଚଳିତ ସିଜିନ୍ରେ ସୀମିତ ସୁଯୋଗ ପାଇଥିବା ପୋରେଲ୍ ମାତ୍ର ୨୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଅପରପକ୍ଷରେ କେଏଲ୍ ରାହୁଲ ମଧ୍ୟ ନିଜର କ୍ଲାସିକ୍ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଦୁହେଁ ମିଶି ମାତ୍ର ୧୦ ଓଭରରେ ୧୦୫ ରନ୍ର ଭାଗିଦାରୀ କରି ବିଜୟର ମୂଳଦୁଆ ପକାଇଥିଲେ।

ମଧ୍ୟକ୍ରମରେ ଜୋଫ୍ରା ଆର୍ଚ୍ଚର ୨ଟି ୱିକେଟ୍ ନେଇ ରାଜସ୍ଥାନକୁ ମ୍ୟାଚ୍କୁ ଫେରାଇବାକୁ ଚେଷ୍ଟା କରିଥିଲେ ଏବଂ ଦିଲ୍ଲୀର ରନ୍ ଗତି ସାମାନ୍ୟ ଧିମା ହୋଇଯାଇଥିଲା। ଏଭଳି ସଙ୍କଟ ସମୟରେ ଅଲରାଉଣ୍ଡର ଅକ୍ଷର ପଟେଲ ଦାୟିତ୍ୱବାନ ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଶେଷ ଆଡ଼କୁ ଆଶୁତୋଷ ଶର୍ମା ଆବଶ୍ୟକୀୟ ରନ୍ ସଂଗ୍ରହ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ଚଳିତ ଆଇପିଏଲ୍ର ଷଷ୍ଠ ବିଜୟ ଭେଟି ଦେଇଛନ୍ତି।