ତେହେରାନ: ଇରାନରେ ଦୀର୍ଘ ସମୟରୁ ଡିଜିଟାଲ ବ୍ଲାକ ଆଉଟ୍ ଓ ଇଣ୍ଟରନେଟ୍ ସେବା ସାଧାରଣ ଜନତାଙ୍କ ପାଇଁ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଇରାନ ଚଳିତବର୍ଷ ପ୍ରାରମ୍ଭରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଓ ଏହା ପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁ ଇଣ୍ଟରନେଟ୍ ଓ ସଞ୍ଚାର ସେବା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା। ତେବେ ୮୭ ଦିନ ପରେ ପୁଣି ସେବା ଆରମ୍ଭ କରିବା ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଇରାନ ଇଣ୍ଟରନ୍ୟାସନାଲ ମିଡିଆ ପକ୍ଷରୁ ସେୟାର କରାଯାଇଥିବା ସୂଚନା ଅନୁସାରେ ଇରାନ ଅଧିକାରୀମାନେ ୮୭ ଦିନର ଡିଜିଟାଲ ବ୍ଲାକ ଆଉଟ ଓ ଗ୍ଲୋବାଲ ଇଣ୍ଟରନେଟ୍ରୁ ପୃଥକ ରହିବା ପରେ ସୋମବାର ଇଣ୍ଟରନେଟ୍ ଆକ୍ସେସକୁ ଜାନୁୟାରୀ ୨୦୨୬ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଲାଗି ମଞ୍ଜୁରୀ ଦେଇଛନ୍ତି। ଇରାନୀ ମିଡିଆ ସୂଚନା ଅନୁସାରେ ଏହି ନିଷ୍ପତ୍ତି ଉପରାଷ୍ଟ୍ରପତି ମହମ୍ମଦରେଜା ଆରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମ କାଉନସିଲ ଅଫ ସାଇବର ସ୍ପେସ୍ ମିଟିଂରେ ନିଆଯାଇଛି।

ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିବା ପରେ ଦେଶରେ ଇଣ୍ଟରନେଟ୍ ଆକ୍ସେସ୍ କାଟି ଦିଆଯାଇଥିଲା। ଏହା ପୂର୍ବରୁ ଜାନୁୟାରୀ ୮ ଓ ୯ ତାରିଖରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କାଳରେ ଇଣ୍ଟରନେଟ୍ ସେବାରେ ବାଧା ଉପୁଜିଥିଲା। ଇରାନରେ ଦୀର୍ଘ ସମୟ ଧରି ଇଣ୍ଟରନେଟ୍ ଉପରେ ରୋକ ଲାଗି ଯୁବ ଉଦ୍ୟମୀଙ୍କ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଉପଯୋଗ କରି ସ୍ୱଲ୍ପ ବ୍ୟୟରେ ବିଜନେସ୍ କରିବାର ଦୁର୍ଲଭ ସୁଯୋଗ ହାତଛଡା ହୋଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଥିରେ ଚେତାବନୀ ଦିଆଯାଇଥିଲା ଏହି କଟକଣା ଡିଜିଟାଲ ଲେବରଙ୍କ ଏକ ପିଢିକୁ ଦୁର୍ବଳ କରୁଛି।

ରିପୋର୍ଟରେ କୁହାଯାଇଛି ଯେ କଷ୍ଟମ ଡାଟା ଅନୁସାରେ ଇରାନରେ ମୋବାଇଲ ଫୋନ ଇମ୍ପୋର୍ଟ ଦ୍ରୁତ ହ୍ରାସ ହୋଇଛି। କମର୍ସିଆଲ ଇମ୍ପୋର୍ଟ ହ୍ରାସ ହୋଇ ୮.୪ ମିଲିୟନ ଡିଭାଇସ ରେ ସୀମିତ ହୋଇଯାଇଛି। ହେଲେ ବର୍ଷକ ପୂର୍ବରୁ ଦେଶରେ ୧୧.୪ ମିଲିୟନ ଫୋନ ଥିଲା।