ଭୁବନେଶ୍ବର ୧୩।୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନର୍ସିଂ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଷଡ଼ଙ୍ଗୀ କହିଛନ୍ତି ଯେ, ନର୍ସମାନେ ହେଉଛନ୍ତି ଆଶାର ପ୍ରତୀକ । ନର୍ସିଂ ଏକ ମହାନ ବୃତ୍ତି । ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଜନ୍ମ ଦିବସକୁ ସାରା ବିଶ୍ୱ ଆନ୍ତର୍ଜାତିକ ନର୍ସେସ ଦିବସ ରୂପେ ପାଳନ କରିଥାଏ । ତାଙ୍କ କାର୍ଯ୍ୟଧାରାକୁ ସ୍ମରଣ କରି ଷଡ଼ଙ୍ଗୀ କହିଥିଲେ ଯେ ନର୍ସିଂ ବୃତ୍ତିକୁ ଆପଣାଉଥିବା ଛାତ୍ରଛାତ୍ରୀ ମାନଙ୍କର ପ୍ରେରଣାର ଉତ୍ସ ହେଉଛନ୍ତି ଫ୍ଲୋରେନ୍ସ ନାଇଟିଙ୍ଗେଲ ।

ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି ବିପର୍ଯ୍ୟୟ ସମୟରେ ନର୍ସମାନେ ହିଁ ନୀରବ ଯୋଦ୍ଧା ଭଳି ଅନବରତ ସେବା ପ୍ରଦାନ କରି ଚାଲିଥାନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଚଳିତ ବର୍ଷର ଆନ୍ତର୍ଜାତିକ ନର୍ସେସ୍ ଦିବସର ପ୍ରସଙ୍ଗ ‘ଆୱାର ନର୍ସେସ, ଆୱାର ଫ୍ୟୁଚର୍, ଏମ୍ପାୱାର୍ଡ ନର୍ସେସ୍ ସେଭ ଲାଇଭ୍ସ’ ଉପରେ ମତ ରଖି ଷଡ଼ଙ୍ଗୀ ନର୍ସମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମଣିଷର ଜୀବନ ବଂଚାଇବା ପାଇଁ ନର୍ସମାନଙ୍କୁ ସଶକ୍ତ ହେବାକୁ ପଡ଼ିବ । ତେଣୁ ସେବା ମନୋବୃତି ନେଇ ନର୍ସମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ରୋଗୀ ସେବାକୁ ପ୍ରଶଂସା କରି ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ ୨୦୦୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର କିମ୍ବା ଓଡ଼ିଶା ନୁହେଁ ସାରା ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ହସ୍ପିଟାଲ୍ ଅଗ୍ରଣୀ ଭୂମିକା ନେଇଛି ।

​​​​​​​

କାର୍ଯ୍ୟକ୍ରମ ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ନର୍ସେସ୍ ମିଡ୍ୱାଇଫରି ରେଜିଷ୍ଟ୍ରେସନ୍ କାଉନସିଲ୍‌ର ରେଜିଷ୍ଟ୍ରାର ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରଫେସନାଲ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରୋଗୀ ସେବା ଏବଂ ରୋଗୀଙ୍କୁ ସୁସ୍ଥ କରିବା ମଝିରେ ନର୍ସମାନେ ସେତୁ ଭଳି କାର୍ଯ୍ୟ କରିଥାନ୍ତି । ସବୁ ପ୍ରତିକୂଳ ପରିସ୍ଥିତିରେ ନର୍ସମାନେ କଠିନ ପରିଶ୍ରମ କରିଥାନ୍ତି । ତେଣୁ ସେମାନେ ନିଜେ ସଶକ୍ତ ହେବାର ଆବଶ୍ୟକତା ଥିବା ଲକ୍ଷ୍ମୀପ୍ରିୟା ମିଶ୍ର କହିଥିଲେ ।

ସେହିପରି ଅନ୍ୟତମ ପ୍ରଫେସନାଲ ଅତିଥି ଭାବେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ ଶାରୀରିକ ପରିଶ୍ରମ ଓ ମାନସିକ ଚାପ ମଧ୍ୟରେ ବି ନର୍ସମାନେ ନିଜ କର୍ତ୍ତବ୍ୟରେ କେବେ ଅବହେଳା କରି ନଥାନ୍ତି ଏବଂ ରୋଗୀମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି ।

କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତିକ ନର୍ସେସ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମ ହସ୍ପିଟାଲ୍‌ର ସଫଳତା ପଛରେ ନର୍ସମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ନର୍ସମାନେ ଦୟା ଓ ସହାନୁଭୂତି ସହ ହସ ହସ ମୁହଁରେ ୨୪ ଘଣ୍ଟା ରୋଗୀ ସେବା କରିଥାନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱରର ନର୍ସିଂ ସୁପରିଟେଣ୍ଡେଣ୍ଟ ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ କଳ୍ପଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ସ୍ୱୟଂପ୍ରଭା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ନର୍ସିଂ ବୃତ୍ତିରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ଶପଥ ପାଠ କରାଇଥିଲେ । ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ କେକ୍ କଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।