ଭୁବନେଶ୍ଵର: ରକ୍ତ ଦାନ ଏକ ମହତ ଦାନ, କାରଣ ଏହି ଦାନ ଜଣେ ବ୍ୟକ୍ତିକୁ ନୂଆ ଜୀବନ ଦିଏ। ଶରୀରର ଏହି ମହତ ଉପାଦାନକୁ ସ୍ୱଇଚ୍ଛାରେ ଦାନ କରି ଦେଉଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟିଏ। ଅର୍ଥାତ୍ ଆଜି ବିଶ୍ୱ ରକ୍ତଦାତା ଦିବସ। ରକ୍ତଦାନର ମହତ ଆଉ ରକ୍ତଦାତାଙ୍କ ମହାନ ପଣିଆକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ। ଭାରତରେ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ଏହାର ଗୁରୁତ୍ୱକୁ ବୁଝିପାରିଛନ୍ତି ଦମ୍ପତି। ସେଇଥିପାଇଁ ତ ରକ୍ତ ପାଇଁ ଉତ୍ସର୍ଗୀକୃତ ପତୀ-ପତ୍ନୀ।

ବୟସ ୬୭। ଏ ବୟସରେ ବି ଅନ୍ୟର ଜୀବନ ବଞ୍ଚାଇବାକୁ ନିଜ ଶରୀରରୁ ରକ୍ତ ନିଗାଡ଼ୁଛନ୍ତି। ଯେତିକି ବୟସ, ତାର ଦୁଇଗୁଣ ସଂଖ୍ୟକ ରକ୍ତଦାନ କରିସାରିଲେଣି। ଗତ ୫୨ବର୍ଷ ମଧ୍ୟରେ ୧୭୫ଥର ରକ୍ତ ଦେଇସାରିଲେଣି।

ଖାଲି ସିଏ ନୁହନ୍ତି, ଅନ୍ୟର ଜୀବନ ବଞ୍ଚାଇବାକୁ ତାଙ୍କ ପତ୍ନୀ ବି ପଛରେ ପଡ଼ି ନାହାନ୍ତି । ୫୭ବର୍ଷ ବୟସରେ ସେ ବି ୨୫ଥର ରକ୍ତ ଦେଲେଣି । ଇତିହାସ ସୃଷ୍ଟି କରିଥିବା ଏହି ରକ୍ତଦାତା ଦମ୍ପତିଙ୍କୁ ଅଜସ୍ର ପ୍ରଶଂସାପତ୍ର ମିଳିଛି। ଏମାନେ ହେଲେ ଗୋପୀମୋହନ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ।

ପାରଳାଖେମୁଣ୍ଡିର ମୂଳବାସିନ୍ଦା ଶ୍ରୀ ପଟ୍ଟନାୟକ ଏବେ ଭୁବନେଶ୍ଵର ଡୁମଡୁମାର ସ୍ଥାୟୀ ବାସିନ୍ଦା । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଜଣେ ଅବସରପ୍ରାପ୍ତ କ୍ରୀଡାଅଧିକାରୀ। ଏଥିସହ ହଷ୍ଟେଲର ଆସିଷ୍ଟାଣ୍ଟ୍ ସୁପରିନଟେଣ୍ଡେଣ୍ଟ୍ ମଧ୍ୟ ଥିଲେ। ଗୋଟିଏ ଦୁର୍ଘଟଣା ପାଇଁ ସେ ରକ୍ତଦାତା ବନିଥିଲେ।

ଶ୍ରୀ ପଟ୍ଟନାୟକ କୁହନ୍ତି, ୧୯୭୩-୭୪ ମସିହାରେ ୧୭୫ ଥର ଦେଲେଣି, ୬୭ବର୍ଷରେ ବି ଦେଉଛନ୍ତି ରକ୍ତ, ପ୍ଲେଟଲେଟ୍। ସେ ୟୁନିଟ-୯ରେ ସେତେବେଳେ ଥିବା ରାଜ୍ୟ ନିୟୋଜନ କାର୍ଯ୍ୟାଳୟରୁ ଫେରୁଥିଲେ। ସେହି ସମୟରେ ଲୋକଭବନ(ରାଜଭବନ) ଛକରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ଶ୍ରୀ ପଟ୍ଟନାୟକ ଓ ତାଙ୍କ ସହ ଅନ୍ୟ ସହଯୋଗୀମାନେ ଏକ ଠେଲାଗାଡିରେ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ।

ସେ ସମୟରେ ହସ୍ପିଟାଲରେ ନିଜସ୍ୱ ରକ୍ତଭଣ୍ଡାର ନଥିଲାI ଜରୁରୀକାଳୀନ ୱାର୍ଡରେ ହିଁ ରୋଗୀଙ୍କୁ ରକ୍ତ ଦିଆଯାଉଥିଲା। ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ଶ୍ରୀ ପଟ୍ଟନାୟକ ରକ୍ତ ଦେଇଥିଲେ। ସେ ରକ୍ତ ଦେବାରୁ ସଂପୃକ୍ତ ବ୍ୟକ୍ତି ସୁସ୍ଥ ହୋଇଥିଲେ। ସେହିଦିନଠୁ ଶ୍ରୀ ପଟ୍ଟନାୟକ ରକ୍ତ ଦେଇଆସୁଛନ୍ତି।

ତାଙ୍କୁ ଡାକରା ପଡ଼ିଲେ, ସାଇକଲରେ ଶ୍ରୀ ପଟ୍ଟନାୟକ କ୍ୟାପିଟାଲ ହସ୍ପିଗଲ ଯାଇ ରୋଗୀଙ୍କୁ ରକ୍ତ ସହ ପ୍ଲେଟଲେଟ୍ ମଧ୍ୟ ଦିଅନ୍ତି। ୨୦୧୭ରେ ସେ ଓୟୁଏଟିରୁ ଅବସର ନେଇଥିଲେ। ବିବାହ ପରେ ପ୍ରଥମେ ସ୍ତ୍ରୀ ଆଶାଲତା ତାଙ୍କୁ ରକ୍ତ ଦେବାକୁ ମନା କରୁଥିଲେ, ହେଲେ ଏବେ ସ୍ତ୍ରୀ ମଧ୍ୟ ରକ୍ତ ଦେଉଛନ୍ତି।

ନିୟମ କହୁଛି, ୬୫ବର୍ଷ ପରେ ଆଉ ରକ୍ତ ଦେବା ଅନୁଚିତ । ହେଲେ ଶ୍ରୀ ପଟ୍ଟନାୟକ ଏହାର ବ୍ୟତିକ୍ରମ। ୬୭ବର୍ଷ ବୟସରେ ସେ ରକ୍ତ ଦେବାକୁ ଆଗଭର । ଫୋନ୍ ଆସିଲେ, ସେ ହସ୍ପିଟାଲ ଯାଇ ଜରୁରୀକାଳୀନ ସମୟରେ ରୋଗୀଙ୍କୁ ରକ୍ତ ଦେଉଛନ୍ତି। ୨୧ଥର ପ୍ଲେଟଲେଟ୍ ମଧ୍ୟ ଦେଇସାରିଛନ୍ତି। ଏଥିପାଇଁ ତାଙ୍କୁ ଅନେକବାର ଗାଳି ଶୁଣିବାକୁ ମିଳିଛି। ଲୁଚିଲୁଚି ସେ ହସ୍ପିଗଲ ଯାଇ ରକ୍ତ ଦେଉଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ରକ୍ତ ଦେବା କିଛି ଖରାପ ନୁହେଁ । ସ୍ତ୍ରୀ ଆଶାଲତା ତାଙ୍କୁ ଏଥିପାଇଁ ସମର୍ଥନ କରୁଛନ୍ତି । ସେ ବି ରକ୍ତ ଦେଇଥାନ୍ତି। ଏପରିକି ତାଙ୍କ ପୁଅ ଦିବ୍ୟମୋହନ ମଧ୍ୟ ଜଣେ ରକ୍ତଦାତା।