ଭୁବନେଶ୍ବର ୧୪।୫: ପୋଲିସ କବ୍‌ଜାରେ ନିର୍ଦ୍ଦୋଷ । ଆଉ ଯେତେବେଳେ ଜଣାପଡ଼ୁଛି ସେମାନେ ଅଭିଯୁକ୍ତ ନୁହନ୍ତି ଭୁଲ ଲୋକକୁ ଉଠାଯାଇଛି ସେତେବେଳେ ଅତି ତରବରିଆ ଭାବେ ପୋଲିସ ଛାଡି ଦେଉଛି । ନୟାଗଡ ଓଡ଼ଗାଁ ଅଜିତ ସାହୁ ହତ୍ୟା ମାମଲାରେ ପୋଲିସ ଜଣେ ନିର୍ଦ୍ଦୋଶକୁ ଉଠାଇବା ଘଟଣା ହେଉ କି କେନ୍ଦ୍ରାପଡ଼ାରେ ଜଣଙ୍କ ନାଁରେ ୱାରେଣ୍ଟ ଆଉ ଜଣଙ୍କୁ ଉଠାଇବା ହେଉ । ଏଭଳି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଓ ତଦନ୍ତ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ନୟାଗଡ ଓଡ଼ଗାଁରେ ଯୁବକଙ୍କୁ ପଥର ମାଫିଆ ହାଣି ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଉଠାଇ ଆଣି ପ୍ରେସମିଟ୍‌ରେ ହାଜର କରିଥିଲା । ୪ ଜଣଙ୍କ ମଧ୍ୟରେ ଜଣେ ଥିଲେ ମକରପଦାର ଶ୍ରୀଧର ସାହୁ । ଆଇଜି ସତ୍ୟଜିତ ନାୟକ ପ୍ରେସମିଟ୍ କରୁଥିବା ସମୟରେ ମୁହଁରୁ ହଠାତ୍ ଟାୱାଲ୍ କାଢି ଶ୍ରୀଧର ପାଟି କରିଥିଲେ ମୁଁ ନିର୍ଦ୍ଦୋଷ । ମୋତେ ଫସାଇ ଦିଆଯାଇଥିବା କହି ଚିଲାଇଥିଲେ । ଏହାପରେ କ’ଣ ହେଲା କେଜାଣି ଅତି ତରବରିଆ ଭାବେ ରାତିରେ ଶ୍ରୀଧରଙ୍କୁ ଛାଡ଼ିଦେଇଥିଲା ପୋଲିସ । ପରେ ଜଣାପଡ଼ିଥିଲା ଶ୍ରୀଧରଙ୍କ ଭଣଜା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ୧୧ତାରିଖ ସକାଳୁ ଶ୍ରୀଧରଙ୍କୁ ଉଠାଇଆଣିଥିଲା । ଥାନାରେ ଦୁଇ ଦିନ ରଖିବା ପରେ ୧୨ ତାରିଖ ସଧ୍ୟାରେ ଖଣ୍ଡପଡା ଥାନା ଅଞ୍ଚଳର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସର ଏଭଳି କାର୍ଯ୍ୟକୁ ଶ୍ରୀଧର ଏବଂ ତାଙ୍କ ସମ୍ପର୍କୀୟ ନିନ୍ଦା କରିବା ସହ ଏବେବି ପୋଲିସ ଆଡୁ ଭୟ ରହିଥିବା କହିଛନ୍ତି । ସେପଟେ ପୋଲିସ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍ପି । ତଦନ୍ତ ସମୟରେ ବିଭିନ୍ନ ଲୋକଙ୍କୁ ଆଣି ପଚରାଉଚରା କରାଯାଇଥାଏ ଏବଂ ପରେ ପ୍ରମାଣ ନମିଳିଲେ ଛାଡିଦିଆଯାଏ ବୋଲି ସଫେଇ ଦେଇଛନ୍ତି ।

Also Read:- ୨୮ଶହରୁ ମାତ୍ର ୨୦-୩୦ ପେଟ୍ରୋଲ ପମ୍ପ୍‌ରେ ତେଲ ସରିଯାଇଛି, ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଅଛି

ସେହିଭଳି ଜଣେ ବ୍ୟକ୍ତିଙ୍କ ନାଁରେ ୱାରେଣ୍ଟ କିନ୍ତୁ ଅନ୍ୟ ଜଣକୁ ଉଠାଇ ଆଣିଲା କେନ୍ଦ୍ରାପଡା ସଦର ପୋଲିସ l ଖାଲି ଉଠାଇ ଆଣିଲାନି ବରଂ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ୧୨ ଘଣ୍ଟା ଧରି ଅଟକ ରଖିଲା l କେନ୍ଦ୍ରାପଡା ସଦର ଥାନା ସାରଙ୍ଗ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା l ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କୁ ବୁଧବାର ରାତି ପ୍ରାୟ ୧୨ଟାରେ ସଦର ଥାନାର ଏକ ସ୍ଵତନ୍ତ୍ର ଟିମ୍ ଘରେ ଶୋଇଥିବା ଅବସ୍ଥାରେ ଉଠାଇ ଆଣିଲା l ତାଙ୍କ ନାଁରେ ସେଭଳି କୌଣସି ମାମଲା ନଥିବା ଯେତେ କହିଲେ ବି ପୋଲିସ କିଛି ଶୁଣି ନଥିଲା l ଥାନାକୁ ଆଣି ପୋଲିସ ହୃଷିକେଶଙ୍କୁ ୧୨ ଘଣ୍ଟା ଧରି ଅଟକ ରଖିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l ତେବେ ଘଟଣାକୁ ଟିକିନିଖି ଅନୁଧ୍ୟାନ କରିବା ପରେ ପ୍ରଫୁଲଙ୍କ ପ୍ରଧାନଙ୍କ ପୁଅ ହୃଷିକେଶ ନୁହେଁ ବରଂ ମଧୁସୂଦନ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କ ନାଁରେ ୱାରେଣ୍ଟ ଥିବା ପୋଲିସ ଜାଣିବାକୁ ପାଇଥିଲା l ଭୁଲରେ ପୋଲିସ ହୃଷିକେଶଙ୍କୁ ଉଠାଇ ଆଣିଥିବା ଜାଣିବା ପରେ ତାଙ୍କୁ ଛାଡ଼ି ଦେଇଥିଲା l ଏହି ଘଟଣାର ତଦନ୍ତ କରାଯିବ ବୋଲି କେନ୍ଦ୍ରାପଡା SDPO କହିଛନ୍ତି l