କଟକ: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀ ମୋହନ କୁମାର ସେନାପତିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଫଳରେ ଆସାମୀ ୨୩ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ। ଆସାମୀ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣ କରିବାରେ ସରକାର ବିଫଳ ହେବାରୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ଆଦେଶକୁ ରଦ୍ଦ କରିବା ତାଙ୍କୁ ଦଣ୍ଡମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ଜଣାଯାଇଛି ଯେ, ୧୯୯୯ ଅକ୍ଟୋବର ୩୦ରେ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଧେପାଗୁଡ଼ା ରାସ୍ତାରେ ଜଣେ ଅଚିହ୍ନା ବ୍ୟକ୍ତି ଆହତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଥାନାକୁ ଜଣ ଜଣାଇଥିଲେ। ପୁଲିସ୍ ଆସିବା ପୂର୍ବରୁ ଆହତଙ୍କୁ ମେଡିକାଲକୁ ନିଆଯ ନିଆଯାଇଥିଲା। ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ଲୁଟ୍ କରି କେହି ହତ୍ୟା ଉଦ୍ୟମ କରିଥିବା ତେନ୍ତୁଳିଖୁଣ୍ଟା ପୁଲିସ୍ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମୋହନ ସେନାପତିଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀ ନଥିଲେ ମଧ୍ୟ ପାରିପାର୍ଶିକ ସ୍ଥିତିକୁ ନେଇ ନବରଙ୍ଗପୁର ଅତିରିକ୍ତ ସେସନ୍ସ ଜଜ୍ ୨୦୦୩ ଜୁଲାଇ ୩୦ରେ ରାୟ ପ୍ରକାଶ କରି ମୋହନ ସେନାପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ମୋହନ ସେନାପତି ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟ ରାୟରେ କହିଛନ୍ତି ଯେ, ଲୁଟ୍ ଅଭିପ୍ରାୟ ରଖ୍ ଆସାମୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଛନ୍ତି। ସେଥିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। କିନ୍ତୁ ଏହି ମାମଲାରେ ଟ୍ରାଏଲ୍ କୋର୍ଟ ଲୁଟ୍‌କୁ ନେଇ କୌଣସି ପ୍ରମାଣ ପାଇନାହାନ୍ତି।

ତେଣୁ ଆସାମୀଙ୍କୁ ହତ୍ୟା ମାମଲାରୁ ମୁକ୍ତ କରାଗଲା ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଆଇନଜୀବୀ ସମ୍ବିତ୍ ମହାନ୍ତିଙ୍କୁ ଆମିକସ୍‌କ୍ୟୁରୀ ନିଯୁକ୍ତ କରିଥିଲେ।