ରୁଦ୍ରପ୍ରୟାଗ: ଉଦ୍ୟୋଗପତି ଗୌତମ ଆଦାନୀ ଶୁକ୍ରବାର ସପତ୍ନୀକ କେଦାରନାଥ ଧାମ ପହଞ୍ଚି ବାବା କେଦାରଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ବିଧିବିଧାନ ପୂର୍ବକ ବିଶେଷ ପୂଜାର୍ଚ୍ଚନା କରି ଦେଶ ଓ ସମାଜର ସମୃଦ୍ଧି କାମନା କରିଛନ୍ତି। ଗୌତମ ଆଦାନୀଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାରେ ତାଙ୍କ ଧର୍ମପତ୍ନୀ ପ୍ରିତି ଆଦାନୀ ମଧ୍ୟ ଉପସ୍ଥିତ ଥିଲେ। ଆଦାନୀ ପରିବାର କେଦାରନାଥରେ ପହଞ୍ଚିବା ପରେ ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ସେମାନଙ୍କୁ ସ୍ୱାଗତ କରିଥିଲେ ଓ ଦର୍ଶନ ପରେ ପ୍ରସାଦ ଅର୍ପଣ କରିଥିଲେ।

ଆଦାନୀ ଘରୋଇ ହେଲିକପ୍ଟର ମାଧ୍ୟମରେ କେଦାରନାଥ ଧାମ ପହଞ୍ଚିଥିଲେ। ଏଣୁ ତାଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏହି ସମୟରେ ଯେପରି ସାଧାରଣ ଭକ୍ତଙ୍କ ଦର୍ଶନ ଓ ପୂଜା ପ୍ରଭାବିତ ନ ହୁଏ ପ୍ରଶାସନ ସେ ବାବଦେ ଧ୍ୟାନ ରଖିଥିଲା। ଦର୍ଶନ ପରେ ଗୌତମ ଆଦାନୀ ସୋନପ୍ରୟାଗ-କେଦାରନାଥ ରୋପ-ୱେ ପ୍ରତି ତାଙ୍କର ବିଶେଷ ଋଚି ଦେଖାଇଥିଲେ। ଏଥି ପାଇଁ ଏହି ପ୍ରକଳ୍ପର ଆକାଶୀୟ ସର୍ଭେ ଯୋଜନା ପାଇଁ ଚର୍ଚ୍ଚା କରିଥିଲେ। ଏହି ପ୍ରକଳ୍ପ ଆଦାନୀ ଗ୍ରୁପ ପକ୍ଷରୁ ବିକଶିତ କରାଯିବାର ପ୍ରସ୍ତାବ ରହିଛି।

ଏହି ରୋପ-ୱେ ନିର୍ମିତ ହେଲେ କେଦାରନାଥ ଯାତ୍ରା ଅଧିକ ସୁଗମ, ସୁରକ୍ଷିତ ଓ ଦ୍ରୁତ ହେବ। ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ଆଦାନୀଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ମାର୍ଗଦର୍ଶନରେ ଏହି ରୋପ-ୱେ ନା କେବଳ ଯାତ୍ରାକୁ ଶରଳ କରିବ ବରଂ କ୍ଷେତ୍ରରେ ପର୍ଯ୍ୟଟନକୁ ନୂଆ ଗତି ଦେବ। ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟ, ବାଣିଜ୍ୟ, ରୋଜଗାର ଅବସର ସହ ସ୍ଥାନୀୟ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ମିଳିବ।