ଦିନେ ଯେଉଁ ଜିଲ୍ଲା ପରିଚିତ ଥିଲା ପ୍ରକୃତି ଓ ସରଳ ସଂସ୍କୃତି ପାଇଁ, ଏବେ ସେହି ଜିଲ୍ଲାରେ ବଢୁଛି ଅପରାଧର ଗ୍ରାଫ୍ l ୨୮ ମାସରେ ୭୨ ହତ୍ୟା,୬୮୦ ଚୋରି,୨୩୪ ବଳାତ୍କାର ଓ ୧୯୮ ସାଇବର ଅପରାଧ l ଆରଟିଆଇ ତଥ୍ୟରେ ସାମ୍ନାକୁ ଆସିଛି କଳାହାଣ୍ଡିର ଅପରାଧର ଏହି ଚିନ୍ତାଜନକ ଚିତ୍ର l କାହିଁକି କଳାହାଣ୍ଡିରେ ବଢୁଛି ଅପରାଧ ? ପୋଲିସର ପାଟ୍ରୋଲିଂ ଓ ପ୍ରତିରୋଧ ବ୍ୟବସ୍ଥା ପ୍ରଭାବୀ ହେଉନି ?

କଳାହାଣ୍ଡି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଆରଟିଆଇ ଜରିଆରେ ମିଳିଥିବା ତଥ୍ୟ ଏବେ ଉଠାଇଛି ବଡ଼ ପ୍ରଶ୍ନ l ଗତ ୨୮ ମାସର ଅପରାଧର ତଥ୍ୟକୁ ଦେଖିଲେ, ଜିଲ୍ଲାରେ ଅପରାଧ କେତେ ଗମ୍ଭୀର ରୂପ ନେଲାଣି,ତାହାର ଚିତ୍ର ସ୍ପଷ୍ଟ । ସାଇବର ଓ ବିଦ୍ୟୁତ୍ ଥାନାକୁ ବାଦ ଦେଲେ ଜିଲ୍ଲାର ୧୮ଟି ଥାନାର ତଥ୍ୟ କହୁଛି କି ୨୮ ମାସରେ ୭୨ଟି ହତ୍ୟା ମାମଲା ରୁଜୁ ହୋଇଛି l ଅର୍ଥାତ ହାରାହାରି ପ୍ରାୟ ୧୧ ଦିନରେ ଜିଲ୍ଲାରେ ହେଉଛି ଗୋଟିଏ ହତ୍ୟା l ଏସବୁ ମାମଲାରେ ୧୦୦ ଜଣଙ୍କୁ ଗିରଫ କରା ଯାଇଛି l ଏହା କେବଳ ଏକ ସଂଖ୍ୟା ନୁହେଁ ପୋଲିସର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ l ହତ୍ୟା ପରେ ଚୋରି l ୨୮ ମାସରେ ୬୮୦ଟି ଚୋରି ମାମଲା, ଗିରଫ ହୋଇଛନ୍ତି ୧୪୫ ଜଣ l ଘର, ଦୋକାନ, ବିଭିନ୍ନ ସ୍ଥାନରେ ବାରମ୍ବାର ଚୋରି ଅଭିଯୋଗ ଆସୁଥିବା ବେଳେ, ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ l ତେବେ ସବୁଠାରୁ ଚିନ୍ତାଜନକ ହେଉଛି ମହିଳା ଓ ଶିଶୁଙ୍କ ସୁରକ୍ଷା l ଜିଲ୍ଲାରେ ୨୮ ମାସରେ ୨୩୪ଟି ବଳାତ୍କାର ମାମଲା ହୋଇଛି ଏବଂ ଏହି ମାମଲାରେ ୧୯୬ ଜଣ ଗିରଫ ହୋଇଛନ୍ତି l

କଳାହାଣ୍ଡି ଜିଲ୍ଲାରେ ଅପରାଧ କେବଳ ରାସ୍ତାଘାଟରେ ହେଉଥିବା ସୀମିତ ରହି ନାହିଁ l ଏବେ ମୋବାଇଲ ଓ ଇଣ୍ଟରନେଟ୍ ମାଧ୍ୟମରେ ମଧ୍ୟ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ଅପରାଧୀ l ଯଦି ଦେଖିବା ସାଇବର ଅପରାଧ କଳାହାଣ୍ଡିରେ ବଢ଼ି ବଢ଼ି ଚାଲିଛି । ୨୮ ମାସରେ ୧୯୮ଟି ସାଇବର ମାମଲା ହୋଇଛି l ଏଥିରେ ୪୨ ଜଣ ଅପରାଧୀ ଗିରଫ ହୋଇଛନ୍ତି l ତେବେ ଚାରିଟି ପ୍ରମୁଖ ଅପରାଧକୁ ମିଶାଇଲେ ଜିଲ୍ଲାରେ ହୋଇଛି ୧୧୮୪ଟି ମାମଲା ଏବଂ ଏହି ସବୁ ମାମଲାରେ ପୋଲିସ ୪୮୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l