ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ଭାରତ ସମେତ ବିଭିନ୍ନ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଯୁଦ୍ଧ ଯୋଗୁ ବିଶେଷ କରି ଭାରତରେ ଏଲପିଜି ସଙ୍କଟ ସୃଷ୍ଟି ହୋଇଛି। ଘର ହେଉ କି’ ହୋଟେଲ- ରେଷ୍ଟୁରାଣ୍ଟ ସବୁଠି ଏଲପିଜି ସଙ୍କଟ। ଏମିତି ସ୍ଥିତିରେ ଲୋକଙ୍କ ପାଇଁ ବଡ଼ ବିକଳ୍ପ ଭାବରେ ଉଭା ହୋଇଛି ଇଣ୍ଡକ୍ସନ। ଅନେକ ଏହାଦ୍ବାରା ଏବେ ରୋଷେଇ କରୁଛନ୍ତି। ହେଲେ ଇଣ୍ଡକ୍ସନକୁ ନେଇ ଏକ ଭୟଙ୍କର ଘଟଣା ଘଟିଛି। ଯାହା ଏହାର ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ନରସିଂହପୁର ନିକଟ ଖୈରିନାକା ଗାଁରେ ଇଣ୍ଡକ୍ସନ ବିସ୍ଫୋରଣ ଘଟିଛି। ଗାଁର ସୀମା ଜାଟ ଗ୍ୟାସ ସଙ୍କଟ ଯୋଗୁ ଇଣ୍ଡକ୍ସନରେ ପ୍ରେସର କୁକର ଦ୍ବାରା ରୋଷେଇ କରୁଥିଲେ। ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଇଣ୍ଡକ୍ସନରେ କିଛି ତ୍ରୁଟି ହୋଇଥିବା ଜାଣିବାକୁ ପାଇଥିଲେ। ଯାହା ପରେ ସେ ପ୍ରେସର କୁକରକୁ ତଳକୁ କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସେହି ସମୟରେ ଇଣ୍ଡକ୍ସନରେ ବିସ୍ଫୋରଣ ହୋଇଥିଲା। ଆଉ ଇଣ୍ଡକ୍ସନର କାଚ ଚାରିଆଡ଼େ ଛିଟିକି ପଡ଼ିଥିଲା। ଏଥିରେ ସୀମା ଏବଂ ତାଙ୍କର ଦୁଇ ସନ୍ତାନ ସାମାନ୍ୟ ଆହତ ହୋଇଥିଲେବି ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ବଡ଼ କଥା ହେଲା ଏହି ଇଣ୍ଡକ୍ସନଟି ମାତ୍ର ୬ ମାସ ପୁରୁଣା। ଏମିତିରେ ଏଠାରେ ପ୍ରଶ୍ନ ଉଠିଛି ମାତ୍ର ୬ ମାସ ପୁରୁଣା ଇଣ୍ଡକ୍ସନ କାହିଁକି ବିସ୍ଫୋରଣ ହେଲା ?

Also Read: Switch to PNG or lose LPG: ୯୦ ଦିନ ଭିତରେ କରିବାକୁ ପଡିବ ପିଏନ୍ଜି କନେକ୍ସନ, ନ ହେଲେ ମିଳିବନି ଏଲ୍ପିଜି; କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

କାହିଁକି ଇଣ୍ଡକ୍ସନରେ ହେଲା ବିସ୍ଫୋରଣ ?

ବିଶେଷଜ୍ଞଙ୍କ ମତରେ ଏହି ଉପକରଣଗୁଡ଼ିକ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଟେକ୍ନୋଲୋଜିରେ କାର୍ଯ୍ୟ କରନ୍ତି। ତେଣୁ ଏହାକୁ ବ୍ୟବହାର କରିବାବେଳେ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ମଧ୍ୟପ୍ରଦେଶରେ ଘଟିଥିବା ଘଟଣାରେ ଇଣ୍ଡକ୍ସନ ଫାଟିବାର କାରଣ ହଠାତ ତାପମାତ୍ରା ବଢ଼ାଇବା ହୋଇଥାଇପାରେ। କାରଣ ଏଭଳି କରିବା ଦ୍ବାରା ଇଣ୍ଡକ୍ସନର ସର୍କିଟରେ ଓଭରଲୋଡ ହୋଇ ଇଣ୍ଡକ୍ସନର ସେରାମିକ୍ ପ୍ଲେଟକୁ ନଷ୍ଟ କରିଦେଇଥାଇପାରେ। ଆଉ ଏଥିପାଇଁ ବିସ୍ଫୋରଣ ଘଟିଥାଇପାରେ।

ବିଶେଷଜ୍ଞଙ୍କ ପରାମର୍ଶ

ତେବେ ବିଶେଷଜ୍ଞମାନେ ଏଭଳି ଦୁର୍ଘଟଣାକୁ ଏଡ଼ାଇବାକୁ ଇଣ୍ଡକ୍ସନରେ ରୋଷେଇ କଲାବେଳେ ତାପମାତ୍ରାକୁ ହଠାତ ନବଢ଼ାଇ ଏହାକୁ ଧୀରେ ଧୀରେ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। କାରଣ ହଠାତ୍ ଏହି ଉପକରଣର ତାପମାତ୍ରାକୁ ବଢ଼ାଇଦେବା ଦ୍ବାରା ଉପକରଣର ସର୍କିଟ ଓଭରଲୋଡ ହୋଇପାରେ। ସେହିଭଳି ସମ୍ପୂର୍ଣ୍ଣ ସମତଳ କିମ୍ବା ଇଣ୍ଡକ୍ସନ୍ ପାଇଁ ପ୍ରସ୍ତୁତ ନଥିବା ପାତ୍ର ଇଣ୍ଡକ୍ସନରେ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ଏହା ସହ ଇଣ୍ଡକ୍ସନ ନିକଟକୁ ଠିକ୍ ଭାବରେ ବାୟୁ ପରିଚାଳିତ ହେଉଥିବା ଦରକାର। ଏହାର ଭେଣ୍ଟ ପାଖରେ ବଡ଼ ଟାୱେଲ୍ କିମ୍ବା କଭର ରଖିବା ଏହା ଭିତରେ ଅତ୍ୟଧିକ ଗରମ ଉତ୍ପନ୍ନ ହୋଇପାରେ।