ନୂଆଦିଲ୍ଲୀପାଇଲଟ ଅଭାବ ଯୋଗୁ ଦେଶ ବ୍ୟାପୀ ଇଣ୍ଡିଗୋ ଏୟାରଲାଇନ୍ସର ସେବା ପ୍ରଭାବିତ ହୋଇଛି। ଲଗାତର ୩ ଦିନ ହେଲା ଏହି ସମସ୍ୟା ଉତ୍କଟ ରୂପ ନେଇଛି। ଶତାଧିକ ବିମାନ ଉଡ଼ାଣ ବାତିଲ ହେବା କାରଣରୁ ଦେଶ ବିଦେଶରେ ଯାତ୍ରୀମାନେ ଫସି ରହିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଛି। ହଠାତ୍ ଉପୁଜିଥିବା ଏଭଳି ସମସ୍ୟାର ସମାଧାନ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଲାଗୁ ହୋଇଥିବା ନୂଆ ନିୟମରେ ସାମାନ୍ୟ କୋହଳ କରିଛନ୍ତି।

ନୂଆ କ୍ରୁ ରୋଷ୍ଟରିଂ(ବିମାନ କର୍ମଚାରୀଙ୍କ ଡ୍ୟିୁଟି ସମୟ ପରିଚାଳନା) ନିୟମରେ ସାମାନ୍ୟ କୋହଳ କରିଛି ଡିଜିସିଏ। ଫେବ୍ରୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ପାଇଲଟଙ୍କ ପାଇଁ ଉଦ୍ଦିଷ୍ଟ ରାତ୍ରୀ ଡ୍ୟୁଟି ନିୟମକୁ ଛାଡ଼ କରାଯାଇଛି। ଡିଜିସିଏ ଦେଇଥିବା ମଧ୍ୟରେ ଏୟାରଲାଇନ୍ସ ନୂଆ ନିୟମ ଅନୁସାରେ ନିଜର କ୍ରୁ ଡ୍ୟୁଟି ନିର୍ଦ୍ଧାରଣ କରିବ।

ଗତ ଦୁଇ ଦିନ ହେଲା ଶତାଧିକ ଏୟାରଲାଇନ୍ସ ବାତିଲ ହେବା ପରେ ଶୁକ୍ରବାର ମଧ୍ୟ ଇଣ୍ଡିଗୋର ୭୦୦ ରୁ ଅଧିକ ଉଡ଼ାଣ ବାତିଲ ହୋଇଛି। ଫଳରେ ବିମାନବନ୍ଦରଗୁଡ଼ିକରେ ଘୋର ବିଶୃଙ୍ଖଳା ହୋଇଛି। ଏସବୁ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ସେହି ନିୟମକୁ ପ୍ରତ୍ୟାହାର କରି ନେଇଛି ଯେଉଁଥିରେ ଏୟାରଲାଇନ୍ସ ୱିକ୍ଲି ଅଫ୍କୁ କ୍ରୁ ଏବଂ ପାଇଲଟଙ୍କ ଛୁଟି ଭାବେ ଗଣନା କରିବାକୁ ବାରଣ କରୁଥିଲା।

ଡିଜିସିଏ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି ସଂଶୋଧିତ ଉଡ଼ାଣ ଡ୍ୟୁଟି ସମୟ ସୀମା (FDTL)ରେ " ୱିକ୍ଲି ଅଫ୍ ପାଇଁ କୌଣସି ଛୁଟି ବଦଳାଯିବ ନାହିଁ ବୋଲି କୁହାଯାଇଥିଲା। ହେଲେ ବର୍ତ୍ତମାନ ସମସ୍ୟାକୁ ଦେଖି ସମସ୍ତ ଏୟାରଲାଇନ୍ସଙ୍କ ଅନୁରୋଧ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ କରାଯାଇଛି।

ସୂଚନା ଥାଉକି କ୍ରୁ ଏବଂ ପାଇଲଟଙ୍କ ଅକ୍ଲାନ୍ତ ପରିଶ୍ରମରୁ ଟିକେ ବିଶ୍ରାମ ଦେବାକୁ ଶୋଧିତ FDTL ନିୟମ ନଭେମ୍ବର ୧ ରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇଥିଲା। ଇଣ୍ଡିଗୋ ନୂଆ ନିୟମ ସହ ତାଳମେଳ ନ ଦେଇପାରିବାରୁ ବିମାନ କମ୍ପାନୀର ସମସ୍ୟା ସୃଷ୍ଟି ହୋଇଥିଲା।

ଏନେଇ ଡିଜିସିଏ କହିଛି ଯେ ଚଳିତ ପରିଚାଳନାଗତ ବାଧା ଏବଂ ବିଭିନ୍ନ ଏୟାରଲାଇନ୍ସରୁ ପ୍ରାପ୍ତ ବିଚାରକୁ ଦୃଷ୍ଟିରେ ରଖି କାର୍ଯ୍ୟର ନିରନ୍ତରତା ଏବଂ ସ୍ଥିରତା ବଜାଇ ରଖିବା ପାଇଁ ଉକ୍ତ ବ୍ୟବସ୍ଥାର ସମୀକ୍ଷା କରିବା ଆବଶ୍ୟକ ବୋଲି ବିବେଚନା କରି ନିଷ୍ପତ୍ତି ନିଆଯାଇଥିବା ଡିଜିସିଏ କହିଛି।

ତେବେ ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (FDTL)ର ଆଂଶିକ ଛାଡ଼ ଏୟାରଲାଇନ୍ସ, ବିଶେଷକରି ଇଣ୍ଡିଗୋକୁ ଅତିରିକ୍ତ ରୋଷ୍ଟରରେ କୋହଳତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନୂତନ FDTL ନିୟମଗୁଡ଼ିକ କ?

ନୂଆ FDTL ନିୟମ ଲାଗୁ ହେବା ପରେ କର୍ମଚାରୀଙ୍କ ଅଭାବ ଯୋଗୁ ଘରୋଇ ଯାତ୍ରୀ ପରିବହନର ୬୦% ଭାଗ ବହନ କରୁଥିବା ଇଣ୍ଡିଗୋରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ନୂଆ FDTL ନିୟମ ଅନୁଯାୟୀ, ପାଇଲଟମାନଙ୍କ ପାଇଁ ସାପ୍ତାହିକ ବିଶ୍ରାମ(ୱିକ୍ଲି ଅଫ୍) ଅବଧି ୩୬ ଘଣ୍ଟାରୁ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏବଂ ରାତ୍ରି ଅବତରଣ ପୂର୍ବର ଛଅ ଘଣ୍ଟାରୁ ଦୁଇ ଘଣ୍ଟାକୁ ସୀମିତ କରାଯାଇଛି। ନୂଆ ନିୟମଗୁଡ଼ିକରେ ରାତି ଡ୍ୟୁଟି ସମୟରେ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଏହା ଇଣ୍ଡିଗୋର କ୍ରୁ ରୋଷ୍ଟରିଂକୁ ପ୍ରଭାବିତ କରିଥିବା ଏବଂ ଅତିରିକ୍ତ କଟକଣା ଲାଗୁ କରିଥିବା ଜଣାପଡିଛି। ତେବେ ନୂଆ ରାତି ଡ୍ୟୁଟି ନିୟମ ଫ୍ରେବ୍ରୁଆରୀ ୧୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି।