ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ଜିତି ପୁଣି ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ପୁଣି ବିଶ୍ବ ବିଜୟୀ ହୋଇଛି। ଜସପ୍ରୀତ ବୁମରା ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସଞ୍ଜୁ ସାମସନ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ପାଇଛନ୍ତି। ଅବଶ୍ୟ ଭାରତକୁ ଚାମ୍ପିୟନ କରିବାରେ ଆଉ ଜଣେ ବିଶିଷ୍ଟ ପୂର୍ବତନ ଖେଳାଳିଙ୍କ ନାଁ ରହିଛି। ଆଉ ବଡ଼ କଥା ହେଲା ପ୍ରଶିକ୍ଷକ ନୁହଁନ୍ତି କି’ ଖେଳାଳି କିମ୍ବା ଦଳର ସପୋର୍ଟ ଷ୍ଟାଫ୍ ମଧ୍ୟ ନୁହଁନ୍ତି। କିନ୍ତୁ ଏହି କିମ୍ବଦନ୍ତୀ ଖେଳାଳି ତାଙ୍କ ନିଷ୍ପତ୍ତିରେ ଭାରତୀୟ ଦଳକୁ ଥରେ କି’ ଦୁଇଥର ନୁହେଁ ବରଂ ତିନିଥର ICC ଟ୍ରଫି ଜିତାଇଛନ୍ତି।

ଏହି ପୂର୍ବତନ କିମ୍ବଦନ୍ତୀ ଖେଳାଳି ହେଉଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। କଡ଼ା ନିଷ୍ପତ୍ତି ପାଇଁ ସେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଏସବୁ ସତ୍ତ୍ବେ ବି ସେ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ। ଆଉ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନିଥର ବିଶ୍ୱ ଚାମ୍ପିଅନ ହୋଇଛି।

ଅଜିତ ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟକାଳ ୨୦୨୩ ଜୁଲାଇ ୪ ରେ ଆରମ୍ଭ ହୋଇଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ସାହସିକ ଏବଂ ପ୍ରଭାବଶାଳୀ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ହ୍ବାଇଟ ବଲ୍ ଫର୍ମାଟରେ ବିପୁଳ ସଫଳତା ପାଇଥିଲା। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ୩ଟି ICC ଟୁର୍ଣ୍ଣାମେଣ୍ଟ ଜିତିଥିଲା।

୨୦୨୪ରେ ଭାରତୀୟ ଦଳ ଟି-୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହା ପରେ ୨୦୨୫ ମାର୍ଚ୍ଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଆଉ ୨୦୨୬ ମାର୍ଚ୍ଚ ୮ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି T20 ବିଶ୍ୱକପ୍ ଜିତିବାରେ ସଫଳ ହୋଇଛି।

ଏହି ବଡ଼ ନିଷ୍ପତ୍ତି ନେଇଥିଲେ ଅଜିତ ଅଗରକର

ଅଜିତ ଅଗରକର ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଆନ୍ତର୍ଜାତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିଲେ। ଏହି ନିଷ୍ପତ୍ତି ଅତ୍ୟନ୍ତ ବିବାଦୀୟ ଥିଲା। ପ୍ରଶଂସକ ଏବଂ ଅନେକ କ୍ରିକେଟ ବିଶେଷଜ୍ଞମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ଦିଆଯିବା ଉଚିତ ବୋଲି କହିଥିଲେ।ତଥାପି ଅଜିତ ଅଗରକର ସୂର୍ଯ୍ୟକୁମାରଙ୍କୁ ବାଛିଥିଲେ। ଆଉ ଟିମ୍ ଇଣ୍ଡିଆ ଏବେ ଚାମ୍ପିଅନ୍ ହୋଇଗଲା।

ଅଜିତ ଅଗରକର ରୋହିତ ଶର୍ମାଙ୍କୁ ODI ଦଳର ଅଧିନାୟକ ପଦରୁ ମଧ୍ୟ ହଟାଇ ଦେଇଥିଲେ। ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ରୋହିତଙ୍କ ନେତୃତ୍ବରେ ଭାରତ ଚାମ୍ପିଅନ୍ସ ଟ୍ରଫି ବିଜୟୀ ହୋଇଥିଲା ଆଉ ଏହା ପରେ ହିଁ ତାଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା ଏବଂ ଶୁଭମନ ଗିଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା।

୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଜିତ ଅଗରକର ଇଶାନ କିଷାନଙ୍କୁ ଚୟନ କରିଥିଲେ। ଇଶାନ କିଷାନ ଟି-୨୦ ବିଶ୍ୱକପରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ତାଙ୍କ ଚୟନକୁ ସଠିକ୍ ପ୍ରମାଣିତ କରିଥିଲେ।ଅଜିତ ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆ ୨୦୨୩ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା। ତଥାପି ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା।