ନୂଆଦିଲ୍ଲୀ: ଆସୁଛି ଏଲନିନୋ। ଆଗକୁ ବର୍ଷା କେମିତି ହେବ ? ଚାଷ ପାଇଁ ପାଗ ଅନୁକୂଳ ହେବ କି ନାହିଁ, ଏହିସବୁ ଚିନ୍ତା ଘାରିଥିବା ବେଳେ ଦେଶର ଖାଦ୍ୟ ସୁରକ୍ଷା ନେଇ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତର ଖାଦ୍ୟ ଭଣ୍ଡାର ରେକର୍ଡ ସଂଖ୍ୟକ ଖାଦ୍ୟ ଗଚ୍ଛିତ ହୋଇଛି। ସରକାରୀ ଗୋଦାମରେ ଏବେ ଧାନ ଓ ଗହମର ପରିମାଣ ରେକର୍ଡ ସ୍ତରରେ ପହଞ୍ଚିଛି। ଏହା କେବଳ ଦେଶର ଖାଦ୍ୟ ସୁରକ୍ଷାକୁ ମଜବୁତ କରିବ ନାହିଁ, ବରଂ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଭାରତର ସ୍ଥିତିକୁ ସୁଦୃଢ଼ କରିବ।

ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ ପହିଲା ସୁଦ୍ଧା ଭାରତର ସରକାରୀ ଗୋଦାମରେ ଧାନ ମହଜୁଦ ପରିମାଣ ବାର୍ଷିକ ୧୫ ପ୍ରତିଶତ ବୃଦ୍ଧି ପାଇ ୬୮.୪୩ ନିୟୁତ ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ଏହା ସରକାରଙ୍କ ଲକ୍ଷ୍ୟଠାରୁ ବହୁଗୁଣ ଅଧିକ। ସେହିପରି, ଗହମ ମହଜୁଦ ମଧ୍ୟ ୫ ବର୍ଷର ସର୍ବୋଚ୍ଚ ସ୍ତର ୫୩.୪୧ ନିୟୁତ ଟନ୍ରେ ପହଞ୍ଚିଛି। ଚାଷୀଙ୍କଠାରୁ ବ୍ୟାପକ ସଂଗ୍ରହ ଯୋଗୁ ଏହି ସଫଳତା ମିଳିଛି।

ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନିକାରୀ ଦେଶ ଭାବେ ଭାରତ ପାଇଁ ଏହି ରେକର୍ଡ ଷ୍ଟକ୍ ଏକ ବଡ଼ ସମ୍ବଳ। ମାର୍ଚ୍ଚ ୨୦୨୫ରେ ରପ୍ତାନି କଟକଣା ହଟାଇବା ପରେ, ଏହି ମହଜୁଦ୍ ଧାନ ଚାଉଳ ରପ୍ତାନିକୁ ଅବ୍ୟାହତ ରଖିବାରେ ସରକାରଙ୍କୁ ଆତ୍ମବିଶ୍ୱାସ ଦେଇଛି। ଏଥିସହିତ, ଗହମର ଭଲ ଅମଳ କାରଣରୁ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ମଧ୍ୟ ସହଜ ହେବ।

Also read- ୨୦୩୦ ସୁଦ୍ଧା ଚାଲିଯିବ ୨୨% ଚାକିରି, AI ନ ଶିଖିଲେ ମିଳିବନି ନିଯୁକ୍ତି,ଏକାଧିକ କୋର୍ସ ମୂଲ୍ୟହୀନ

ତେବେ ଏହି ସଫଳତା ଭିତରେ ଚିନ୍ତାର ବିଷୟ ପାଲଟିଛି ‘ଏଲ୍ ନିନୋ’। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ଚେତାବନୀ ଦେଇଛି ଯେ, ଏଲ୍ ନିନୋ ପ୍ରଭାବରେ ଚଳିତ ଖରିଫ୍ ଋତୁରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ଯାହା ଧାନ ଓ ମକା ଭଳି ବର୍ଷା ନିର୍ଭରଶୀଳ ଫସଲ ପାଇଁ ଚିନ୍ତା ବଢ଼ାଇପାରେ।

ବିଶେଷଜ୍ଞଙ୍କ ମତରେ, ଯଦିଓ ପାଣିପାଗକୁ ନେଇ କିଛି ଆଶଙ୍କା ରହିଛି, ତଥାପି ଭାରତର ବର୍ତ୍ତମାନର ଏହି ବିପୁଳ ଖାଦ୍ୟ ଭଣ୍ଡାର ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ଦୃଢ଼ କବଚ ଭାବେ କାର୍ଯ୍ୟ କରିବ।