ନୂଆଦିଲ୍ଲୀ: ପଶ୍ଚିମ ଏସିୟା ସଂକଟ ଯୋଗୁ ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଆମଦାନୀ ବିଲ୍ ବଢି ଚାଲିବା ଯୋଗୁ ଫୋରେକ୍ସ ରିଜର୍ଭ ହ୍ରାସ ହେବାରେ ଲାଗିଛି। ଫଳରେ ବୈଦେଶିକ ମୁ୍ଦ୍ରାଭଣ୍ଡାରରେ ୭୧.୧ କୋଟି ଡଲାର ହ୍ରାସ ହୋଇ ୬୮୧.୬୧ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଅଶୋଧିତ ତୈଳ ଦର ବୃଦ୍ଧି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ପକାଉଛି। ଭାରତୀୟ ରିଜର୍ଭ ବ୍ୟଙ୍କ (ଆରବିଆଇ)ଙ୍କ ତଥ୍ୟ ଅନୁସାରେ ଭାରତର ଫୋରେକ୍ସ ରିଜର୍ଭ ୫ ଜୁନରେ ସମାପ୍ତ ସପ୍ତାହରେ ୬୮୧.୬୧ ବିଲିୟନ ଡଲାରକୁ ପହଞ୍ଚି ଯାଇଛି।

ଫରେନ କରେନ୍ସୀ ଆସେଟସ୍ (ଏଫସିଏ) ୨.୭୦୪ ବିଲିୟନ ଡଲାର ହ୍ରାସ ହୋଇ ୫୪୩.୪୪ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଏହା ଛଡା ସ୍ପେଶାଲ ଡ୍ରଇଂ ରାଇଟସ୍ (ଏସଡିଆର) ୧୮ ମିଲିୟନ ଡଲାର ବୃଦ୍ଧି ସହ ୧୮.୭୬୫ ବିଲିୟନ ଡଲାରକୁ ପହଞ୍ଚିଛି। ଅନ୍ୟପଟେ ଆଇଏମଏଫରେ ଭାରତର ରିଜର୍ଭ ପୋଜିସନ ଆହୁରି ମଜଭୁତ ହୋଇଥିବା ବେଳେ ୪.୮୨୬ ବିଲିୟନ ଡଲାରକୁ ପହଞ୍ଚିଛି। ତେବେ ଏହି ସମୟରେ ଭାରତର ଗୋଲ୍ଡ ରିଜର୍ଭକୁ ନେଇ ଆଶ୍ୱସ୍ତି ଭରା ଖବର ଆସିଛି।

ଭାରତର ସ୍ୱର୍ଣ୍ଣ ଭଣ୍ଡାର ମଜଭୁତ ଅଭିବୃଦ୍ଧି ହାସଲ କରିଛି। ଭାରତର ଗୋଲ୍ଡ ରିଜର୍ଭ ଭାଲ୍ୟୁଏସନ ୧.୯୭୫ ବିଲିୟନ ବୃଦ୍ଧି ସହ ୧୧୪.୫୭୫ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଏଣୁ ଗୋଲ୍ଢ ରିଜର୍ଭରେ ଦ୍ରୁତ ବୃଦ୍ଧି ବୈଦେଶିକ ମୁଦ୍ରା ଭଣ୍ଡାରର ବଡ଼ ହ୍ରାସକୁ ନିୟନ୍ତ୍ରିତ କରିଛି। ସଂକଟର କ୍ଷଣରେ ସୁନା ସବୁଠୁ ବଡ଼ ସହାୟକ ସାବ୍ୟସ୍ତ ହୋଇଛି। ସୁନା ସୁରକ୍ଷିତ ନିବେଶ ପରିଚୟ ରଖୁଛି ଏହି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ଗୋଲ୍ଡ ରିଜର୍ଭ କୁ ବଢାଇବାକୁ ସର୍ବଦା ଚେଷ୍ଟିତ ଥାଆନ୍ତି।

କୌଣସି ଦେଶ ପାଇଁ ବୈଦେଶିକ ମୁଦ୍ରାଭଣ୍ଡାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଅର୍ଥ ବ୍ୟବସ୍ଥା ପାଇଁ ଦୃଢ ଆଧାର ହୋଇଥାଏ। ସଂକଟ ସମୟର ମୁକାବିଲା ନିମନ୍ତେ ଏହା ଦେଶ ପାଇଁ ସହାୟକ ସାବ୍ୟସ୍ତ ହୋଇଥାଏ। ବୈଦେଶିକ ମୁଦ୍ରାଭଣ୍ଡାରର ସ୍ଥିତି ଅନୁସାରେ ଦେଶର ଆର୍ଥିକ ଦୃଢତାର ଆକଳନ କରାଯାଏ। ବୈଦେଶିକ ମୁଦ୍ରାଭଣ୍ଡାର ଆର୍ଥିକ ଚାପ ସହିବାକୁ ସହାୟତା କରିଥାଏ। ଫୋରେକ୍ସ ରିଜର୍ଭ ଦେଶର ମୁଦ୍ରା ମୂଲ୍ୟ ସ୍ଥିର ରଖିବାରେ ସହାୟକ ହେବା ସହ ନିବେଶକଙ୍କ ଭରସା ହାସଲ କରିବାରେ ସହାୟକ ହୋଇଥାଏ।