ନୂଆଦିଲ୍ଲୀ, ୦୭/୦୪ : ୧୪ ମାସ ଧରି କୋମାରେ ଥିଲେ ଯୁବତୀ । ଆମେରିକାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିଲେ । କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମାସମାସ ଧରି କୋମାରେ ରହିବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୩୫ ବର୍ଷୀୟ ନୀଲମ ତାନାଜୀ ସିନ୍ଦେ ।

ନୀଲମଙ୍ଗ ଘର ମହାରାଷ୍ଟ୍ରର ସତାରାରେ । ସେ ଆମେରିକାରେ ବର୍ଷ ହେଲା କମ୍ପ୍ୟୁଟର୍ ସାଇନ୍ସ ପାଠ ପଢୁଥିଲେ । କାଲିଫର୍ଣ୍ଣିଆରେ ୨୦୨୫ ମସିହା ଫେବ୍ରୁଆରୀ ୧୪ ତାରିଖରେ ଏକ ଭୟଙ୍କର ଦୁର୍ଘଟଣାର ସେ ସମ୍ମୁଖୀନ ହୋଇଥିଲେ । ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଏହାପରେ ବି ଚେତା ଫେରିନଥିଲା । ହେଲେ ମୃତ୍ୟୁ ପରେ ବି ସେ ଅମର ହୋଇଯାଇଛନ୍ତି । ନିଜର ଅଙ୍ଗଦାନ କରି ଅନେକଙ୍କ ପାଇଁ ସାହାରା ପାଲଟିଛନ୍ତି । ଯାହା ତାଙ୍କର ଶେଷ ଇଚ୍ଛା ରହିଥିଲା ।

ଦୁର୍ଘଟଣାରେ ମସ୍ତିସ୍କରେ ଆଘାତ

ଦୁର୍ଘଟଣାରେ ନୀଲମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ହାତ, ଗୋଡ ଏବଂ ଛାତିରେ କ୍ଷତ ହୋଇଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ସର୍ଜରୀ କରାଯାଇଥିଲା । ଏହାପରେ ସେ ଆଇସିୟୁରେ ଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖିନଥିଲେ ଡାକ୍ତର ।

ଦୁଃଖରେ ପରିବାର

ଝିଅର ଦୁର୍ଘଟଣା ଖବର ଶୁଣି ବାପା ଆମେରିକା ଯିବାକୁ ବାହାରିଥିଲେ । କିନ୍ତୁ ତାଙ୍କ ଏମରଜେନ୍ସି ଭିସା ମିଳିବାରେ ବିଳମ୍ବ ହୋଇଥିଲା । ବାରମ୍ବାର ମୁମ୍ବାଇ ସ୍ଥିତ ଭିସା କାର୍ଯ୍ୟାଳୟକୁ ଧାଉଁଥିଲେ ବି ଭିସା ମିଳିନଥିଲା । ଏନେଇ ଖବର ଆସିବା ପରେ ଭିସା ମିଳିଥିଲା ଏବଂ ନୀଲମଙ୍କ ବାପା ଏବଂ ଭାଇ ଆମେରିକା ଯାଇଥିଲେ । କିନ୍ତୁ ଏବେ ଝିଅର ମୃତ୍ୟୁ ପରେ ବାପା ଭାଙ୍ଗିପଡିଛନ୍ତି ।

ନୀଲମଙ୍କ ଶେଷ ଇଚ୍ଛା

ନୀଲମ ମୃତ୍ୟୁ ପୂର୍ବରୁ ନିଜର ଶେଷ ଇଚ୍ଛା ପୂରଣ କରିଛନ୍ତି । ସେ ବଞ୍ଚିଥିବା ବେଳେ ଅଙ୍ଗଦାନ ପାଇଁ ସହମତି ଦେଇଥିଲେ । ଏବେ ପରିବାର ଲୋକେ ଝିଅର ଇଚ୍ଛା ପୂରଣ କରିବେ ବୋଲି କହିଛନ୍ତି । ତେବେ ନୀଲମଙ୍କ ଶେଷକୃତ୍ୟ ଆମେରିକାରେ ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେବ । ଏପ୍ରିଲ ୮ ତାରିଖରେ ତାଙ୍କୁ ମୁଖାଗ୍ନୀ ଦିଆଯିବ ।