ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଇଥିବା ଡେଡଲାଇନ୍ ଶେଷ ହୋଇଛି । ଆଜି (ମଙ୍ଗଳବାର) ରାତିରେ ଇରାନ୍ ଉପରେ ଭୟଙ୍କର ଆକ୍ରମଣ କରିପାରେ ଆମେରିକା । ଏହାକୁ ଦୃଷ୍ଟିରେ ରଖି ଇରାନରେ ଭାରତୀୟ ଦୂତାବାସ ନାଗରିକଙ୍କୁ ସତର୍କ କରାଇଛି । ୪୮ ଘଣ୍ଟା ଯେଉଁଠାରେ ଅଛ, ସେଠାରେ ରୁହ । ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଭାରତୀୟ ନାଗରିକଙ୍କୁ କହିଛି ଦୂତାବାସ ।

ମାର୍ଗଦର୍ଶିକା ଜାରି କରି ଭାରତୀୟ ଦୂତାବାସ କହିଛି ଯେ, ଲୋକେ ଘର ଭିତରେ ରହିବା ଉଚିତ । ପାୱାର ପ୍ଲାଣ୍ଟ ଏବଂ ସାମରିକ ଘାଟି ପାଖାପାଖି ଅଞ୍ଚଳ ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ଏପରିକି ବହୁତଳ କୋଠାର ଉପର ମହଲାରେ ନରହିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି ଦୂତାବାସ ।

ସେହିଭଳି ଦୂତାବାସ ଦ୍ୱାରା ବୁକ୍ କରାଯାଇଥିବା ହୋଟେଲରେ ରହୁଥିବା ଲୋକମାନଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଏହା ସହ ସେମାନଙ୍କୁ ଦୂତାବାସ ସହିତ ଲଗାତାର ଯୋଗାଯୋଗରେ ରହିବାକୁ କୁହାଯାଇଛି ।

Also Read: ଟ୍ରମ୍ପଙ୍କ ଧମକକୁ ଖାତିର କରୁନି ଇରାନ : ପେଜେସକିଆନ କହିଲେ- 'କୋଟିଏ ଚାଳିଶ ଲକ୍ଷ ନାଗରିକ ଜୀବନ ଦେବାକୁ ପ୍ରସ୍ତୁତ'

ହେଲ୍ପ ଲାଇନ୍ ନମ୍ବର ଜାରି

ଦୂତାବାସ ସହ ସଂପର୍କ କରିବା ଲାଗି ୪ଟି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଏହା ସହ ଇରାନ୍ରେ ଥିବା ଭାରତୀୟ ନାଗରିକ ମେଲ୍ ମାଧ୍ୟମରେ ଦୂତାବାସ ସହ ଯୋଗଯୋଗ କରିପାରିବେ । ହେଲ୍ପ ଲାଇନ୍ ନମ୍ବରଗୁଡ଼ିକ ହେଉଛି, +989128109115, +989128109109, +989128109102 ଏବଂ +989932179359 । ଇମେଲ୍- [email protected]

ଧମକ ଦେଇଥିଲେ ଟ୍ରମ୍ପ

ଡେଡଲାଇନ ଶେଷ ହେବା ପୂର୍ବରୁ ଇରାନକୁ ଟ୍ରମ୍ପ ଧମକ ଦେଇଥିଲେ । ସେ ଟ୍ରୁଥ୍ ସୋସିଆଲରେ ଲେଖିଥିଲେ, ‘ଆଜି ରାତିରେ, ଏକ ସମ୍ପୂର୍ଣ୍ଣ ସଭ୍ୟତା ଶେଷ ହୋଇଯିବ । ଏହା କେବେ ବି ପ୍ରତ୍ୟାବର୍ତ୍ତନ କରିପାରିବ ନାହିଁ । ମୁଁ ଏହା ଚାହୁଁନାହିଁ, କିନ୍ତୁ ଏହା ଘଟିପାରେ।’