ନୂଆଦିଲ୍ଲୀ ୦୨।୦୬;ଅପରେସନ ସିନ୍ଦୂରରେ ବ୍ରହ୍ମୋସ ଓ ଆକାଶ ମିସାଇଲ, ଲୟଟରିଂ ମ୍ୟୁନେସନ ଓ ନେତ୍ର ଭଳି ଭାରତୀୟ ଯୁଦ୍ଧାସ୍ତ୍ରର ସଫଳ ବ୍ୟବହାର ପରେ ବିଶ୍ୱରେ ଏହାର ଚାହିଦା ବଢ଼ିବାରେ ଲାଗିଛି । କେତେକ ଦେଶ ଭାରତରୁ ଏସବୁ ଯୁଦ୍ଧାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏପରିକି କିଛି ଦେଶ ସହିତ ୨୧ ହଜାର କୋଟି ଟଙ୍କାର ବୁଝାମଣା ମଧ୍ୟ ହୋଇସାରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୨୫-୨୬ରେ ଭାରତୀୟ ପ୍ରତିରକ୍ଷା ସାମଗ୍ରୀର ରପ୍ତାନୀ ପରିମାଣ ୩୮,୪୨୪ କୋଟି ଟଙ୍କାରେ ପହଞ୍ଚି ଯାଇଛି । ଯାହା ଗତବର୍ଷ ଅର୍ଥାତ ୨୦୨୪-୨୫ ତୁଳନାରେ ୬୨ ପ୍ରତିଶତ ଅଧିକ । ବ୍ରହ୍ମୋସ ମିସାଇଲ ନେବା ପାଇଁ ଫିଲିପାଇନ୍ସ, ଭିଏତ୍ନାମ ଓ ଅନ୍ୟ ୨ଟି ଦେଶ ସହିତ ୧୨,୫୦୦ କୋଟି ଟଙ୍କାର ବୁଝାମଣା ହୋଇଛି । ସେଥିରେ ଫିଲିପାଇନ୍ସ ସହ ୩,୨୦୦ କୋଟି ଓ ଭିଏତନାମ ସହ ୫,୮୦୦ କୋଟି ଟଙ୍କା ସାମିଲ ଅଛି । ସେହିଭଳି ଇଣ୍ଡୋନେସିଆ ସହ ପ୍ରାୟ ୩,୬୦୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରି କିଣାବିକା ଲାଗି ବୁଝାମଣା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆକାଶ ମିସାଇଲ ସିଷ୍ଟମ ନେବା ଲାଗି ଆର୍ମେନିଆ ୬,୧୦୦ କୋଟି ଟଙ୍କାର ବୁଝାମଣା କରିସାରିଛି । ଆର୍ମେନିଆକୁ ଏୟାର ଡିଫେନ୍ସ ମିସାଇଲ ଆକାଶ-୧ଏସ୍ ସିଷ୍ଟମ ପ୍ରଦାନ ଜାରି ରହିଛି । ଆଫ୍ରିକା ଓ ଦକ୍ଷିଣ ଆମେରିକା ଭଳି ଦେଶ ଏଥିରେ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ସେହିଭଳି ଆକାଶ-ଏନ୍ଜିକୁ ନେଇ ନୂଆ କଥାବାର୍ତ୍ତା ଜାରି ରହିଛି । ପିନାକ ରକେଟ ପ୍ରଣାଳୀ ମଧ୍ୟ ଆର୍ମେନିଆକୁ ପ୍ରଦାନ କରାଯାଉଛି । ଫ୍ରାନ୍ସ ବି ଏହାକୁ ନେବା ଲାଗି ଚାହୁଁଛି । ନାଗାସ୍ତ୍ର-୧ ଏବଂ ସ୍କାଇ ଷ୍ଟ୍ରାଇକର ଭଳି ଲୟଟରିଂ ମ୍ୟୁନିସନର ଚାହିଦା ବିଦେଶରେ ବଢ଼ିଛି । ସାଇପ୍ରସ୍ ୨୦୨୬-୩୧ ମଧ୍ୟରେ ଏହି ଯୁଦ୍ଧାସ୍ତ୍ର କିଣିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

ଭାରତ ଏବେ ୧୦୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛି । ସେଥିରେ ଆମେରିକା, ଫ୍ରାନ୍ସ ଓ ଆର୍ମେନିଆ ଭଳି ପ୍ରମୁଖ ଦେଶ ସାମିଲ ଅଛନ୍ତି । ଆମେରିକା ହେଉଛି ଭାରତରୁ ସବୁଠାରୁ ବଡ ପ୍ରତିରକ୍ଷା ସାମଗ୍ରୀ କ୍ରେତା । ଆମେରିକାର ବୋଇଂ ଓ ଲକ୍ହିଡ୍ ମାର୍ଟିନ ଭଳି ବଡ କମ୍ପାନି ୨.୮ ଶହ କୋଟି ଡଲାରର ପ୍ରଣାଳୀ ଓ କଲ୍ପୁର୍ଜେ ଭଳି ସାମଗ୍ରୀ ଭାରତରୁ ନେଉଛନ୍ତି । ଆର୍ମେନିଆ ଭଳି ଦେଶ ଭାରତର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ଯୁଦ୍ଧାସ୍ତ୍ର ନେବାକୁ ଆଗ୍ରହ ପ୍ରକାଶକରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଆଗାମୀ ୨୦୨୯-୩୦ ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀର ପରିମାଣ ୫୦ ହଜାର କୋଟି ଟଙ୍କାରୁ ଅଧିକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୧୬-୧୭ରେ ରପ୍ତାନୀର ପରିମାଣ ଥିଲା ମାତ୍ର ୧,୫୨୨ କୋଟି ଟଙ୍କା । ଅର୍ଥାତ ୧୦ ବର୍ଷରୁ କମ୍ ସମୟ ଭିତରେ ଏହା ୨୫ ଗୁଣ ବଢ଼ିଛି । ଅପରେସନ ସିନ୍ଦୂର ପରେ ଭାରତୀୟ ଯୁଦ୍ଧାସ୍ତ୍ର ଉପରେ ବୈଶ୍ୱିକ ଧ୍ୟାନ ବଢ଼ିଛି ।