ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାକୁ ବଡ଼ ସଫଳତା । ଶନିବାର ବଡଗାମ ଜିଲ୍ଲାର ୟୁସମର୍ଗ ଅଞ୍ଚଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପ୍ରତିବନ୍ଧିତ ସଂଗଠନ ଲସ୍କର-ଏ-ତୋଇବାର ଜଣେ କୁଖ୍ୟାତ ପାକିସ୍ତାନୀ କମାଣ୍ଡର ୟାସିର ପ୍ରାଣ ହରାଇଛି । ଏହି ଅପରେସନକୁ ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀ ନେଟୱର୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି ।

ଭାରତୀୟ ସେନାର ସ୍ପେଶାଲ ଫୋର୍ସ ଏବଂ ୫୩ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି। ମୃତ ଆତଙ୍କବାଦୀ ୟାସିର ପୂର୍ବରୁ ଲସ୍କରର 'ସୁଲେମାନ ମୁସା ଗ୍ରୁପ୍' ସହ ଜଡ଼ିତ ଥିଲା ଏବଂ ଦୀର୍ଘ ଦିନରୁ ସୁରକ୍ଷା ଏଜେନ୍ସିର ରାଡାରରେ ଥିଲା । ତେବେ ନିର୍ଦ୍ଦିଷ୍ଟ ଗୋପନୀୟ ସୂଚନା ଆଧାରରେ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ CRPF ପକ୍ଷରୁ ବଡଗାମର ଅଶଦର ଗଲି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ।

ଗୁଇନ୍ଦା ସୂଚନା ଆଧାରରେ ଘେରିଥିଲା ସେନା

ସୂଚନା ଅନୁଯାୟୀ, ୟୁସମର୍ଗର ପାର୍ବତ୍ୟ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା, ସ୍ଥାନୀୟ ପୋଲିସ ଓ ସିଆରପିଏଫ୍ ମିଳିତ ଭାବେ ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନିଜକୁ ସେନା ଦ୍ୱାରା ଘେରି ହୋଇଥିବା ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ସେନାର ପାଲଟା ଜବାବରେ ପାକିସ୍ତାନୀ କମାଣ୍ଡର ୟାସିର ଘଟଣାସ୍ଥଳରେ ହିଁ ନିହତ ହୋଇଥିଲା।

Also Read: ପଞ୍ଜାବ ପୋଲିସକୁ ବଡ଼ ସଫଳତା: ଗିରଫ ହେଲେ ଆମେରିକାର FBI ମୋଷ୍ଟ ୱାଣ୍ଟେଡ୍ ଠକ!

ଏକାକୀ ଚଳାଉଥିଲା ଆତଙ୍କୀ ସଙ୍ଗଠନ

ସୂତ୍ରରୁ ପ୍ରକାଶ ଯେ, ୟାସିର ପୂର୍ବରୁ ଲସ୍କ ଗ୍ରୁପର ଏକ ବଡ଼ ଦଳ ସହ କାମ କରୁଥିଲେ ମଧ୍ୟ ପ୍ରାୟ ବର୍ଷେ ହେବ ସେ ସେଥିରୁ ଅଲଗା ହୋଇଯାଇଥିଲା। ଅଲଗା ହେବା ପରେ ମଧ୍ୟ ସେ ନିଜ ସ୍ତରରେ ସ୍ଥାନୀୟ ଅଞ୍ଚଳରେ ଯୁବକମାନଙ୍କୁ ଭ୍ରମିତ କରିବା ସହ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଥିଲା ଏବଂ ସେହି ଅଞ୍ଚଳରେ ଲସ୍କରର ଏକ ପ୍ରମୁଖ ଅପରେଟିଭ୍ ପାଲଟିଥିଲା। ଘାଟିରେ ଦୀର୍ଘ ମାସର ଶାନ୍ତି ପରେ ଏହି ଏନକାଉଣ୍ଟର ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଏବେ ସଂପୃକ୍ତ ଅଞ୍ଚଳରେ ସେନା ଆଲର୍ଟ ରହିଛି।