US-Iran ceasefire: ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧ ବିରାମକୁ ଭାରତ ସ୍ୱାଗତ କରିଛି। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ପଥ ପ୍ରଶସ୍ତ କରିବା ବୋଲି ଭାରତ ଆଶା ବ୍ୟକ୍ତ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି “ଆମେ ଯୁଦ୍ଧବିରାମକୁ ସ୍ୱାଗତ କରୁଛୁ ଏବଂ ଆଶା କରୁଛୁ ଯେ ଏହା ପଶ୍ଚିମ ଏସିଆରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବ। ସଂଘର୍ଷର ଶୀଘ୍ର ସମାପ୍ତି ପାଇଁ ଉତ୍ତେଜନା ହ୍ରାସ,ଆଲୋଚନା ଏବଂ କୂଟନୀତି ଅତ୍ୟନ୍ତ ଜରୁରୀ ବୋଲି ଆମେ ପୂର୍ବରୁ ସବୁବେଳେ କହି ଆସିଛୁ।”

ଭାରତ ଜାରି କରିଥିବା ବିବୃତ୍ତିରେ ବିଶ୍ୱ ବାଣିଜ୍ୟ ଏବଂ ଶକ୍ତି ଯୋଗାଣ ଉପରେ ଯୁଦ୍ଧର ପ୍ରଭାବ ନେଇ ମତ ରଖିଛି। ଏବଂ ହାରମୁଜ୍ ଜଳପଥ ଖୋଲା ରଖିବାକୁ ଅନୁରୋଧ କରିଛି। ଯାହା ଦ୍ୱାରା ସାମଗ୍ରୀ ଏବଂ ଶକ୍ତି ସମ୍ପଦର ଅବାଧ ଗତିବିଧି ସୁନିଶ୍ଚିତ ହୋଇପାରିବ।

ଏନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି “ଏହି ସଂଘର୍ଷ ପୂର୍ବରୁ ଲୋକମାନଙ୍କୁ ପ୍ରଚୁର କଷ୍ଟ ଦେଇଛି ଏବଂ ବିଶ୍ୱ ଶକ୍ତି ଯୋଗାଣ ଏବଂ ବାଣିଜ୍ୟ ନେଟୱାର୍କକୁ ବାଧାପ୍ରାପ୍ତ କରିଛି। ଆମେ ଆଶା କରୁଛୁ ଯେ ହର୍ମୁଜ୍ ଜଳପଥ ଦେଇ ନୌଚାଳନା ଏବଂ ବିଶ୍ୱ ବାଣିଜ୍ୟ ପ୍ରବାହ ସ୍ୱାଧୀନ ରହିବ।” ଦୁଇ ଦେଶ ଯୁଦ୍ଧ ଆରମ୍ଭରୁ ଭାରତ ସବୁବେଳେ ଶାନ୍ତିକୁ ଗୁରୁତ୍ୱ ଦେଇଛି। ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କହିଛି। ଏବେ ଯୁଦ୍ଧ ବିରାମ ଘୋଷଣା ପରେ ଭାରତ ପୁଣିଥରେ ଏହାର ଆଭିମୁଖ୍ୟ ଦୋହରାଇଛି। ଏବଂ ପଶ୍ଚିମ ଏସିଆରେ ଏବେ ଶାନ୍ତି କାଏମ ରଖିବାକୁ ପରାମର୍ଶ ଦେଇଛି।

ଇରାନ-ୟୁଏସ ଯୁଦ୍ଧ ବିରାମ ବୁଧବାର ଭୋର ସମୟରେ ଇରାନ ଓ ଆମେରିକା ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରାମ ହୋଇଛି। ଫଳରେ ଫେବ୍ରୁଆରୀ ୨୮ ତାରିଖରୁ ଏପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ ହେଲା ଲାଗି ରହିଥିବା ଯୁଦ୍ଧ ବନ୍ଦ ହୋଇଯାଇଛି। ତେବେ ଯୁଦ୍ଧ ବନ୍ଦ ପାଇଁ ପରସ୍ପର ଏକାଧିକ ସର୍ତ୍ତ ରଖିଛନ୍ତି। ଆମେରିକା ଇରାନ ଉପରେ ୧୫ ସର୍ତ୍ତ ରଖିଥିବା ବେଳେ ଇରାନ ୧୦ଟି ସର୍ତ୍ତ ରଖିଛି। ଟ୍ରମ୍ପ କହିଛନ୍ତି ଇରାନ ହରମୁଜ ଜଳପଥ ଖୋଲିବାକୁ ରାଜି ହେବା ପରେ ଆମେ ଯୁଦ୍ଧ ବିରାମ କଲୁ। ତେଣୁ ଏହା ଆମେରିକାର ବିଜୟ।

ଏପଟେ ଇରାନ କହିଛି, ଆମେ ଇସ୍ରାଏଲ-ଆମେରିକା ଉପରେ ବିଜୟ ପାଇଛୁ। ଅପରାଧି ଆମେରିକା ଆମ ସର୍ତ୍ତ ମାନିବାକୁ ରାଜି ହେଲା। ଯେ ପର୍ଯ୍ୟନ୍ତ ଆମର ୧୦ ସୂତ୍ରକୁ ବିଚାର ନିଆ ନଯାଇଛି, ସେ ପର୍ଯ୍ୟନ୍ତ ଯୁଦ୍ଧ କେତେବେଳେ ବି ଆରମ୍ଭ ହୋଇପାରେ ବୋଲି ଇରାନ ସଂକେତ ଦେଇଛି।