ନୂଆଦିଲ୍ଲୀ, ୨୭/୦୯ : ଘରୋଇ ଭାରତ ଓ ଓ୍ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ରବିବାର ଖେଳାଯିବ ପ୍ରଥମ ଦିନିକିଆ। ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନଜରରେ ରଖ୍ ଉଭୟ ଦଳ ଚୂଡ଼ାନ୍ତ ଏକାଦଶ, ବ୍ୟାଟିଂ କ୍ରମ ଓ ବୋଲିଂ ରଣନୀତିରେ ପରୀକ୍ଷା ନିରୀକ୍ଷା କରିବେ। ଭାରତ ଘରୋଇ ଗ୍ରାଉଣ୍ଡରେ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ। ପୂର୍ବ ଭଳି ଦୁଇ ମହାନ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ଦର୍ଶକଙ୍କ ନଜର ରହିବ।

ଭାରତ ଚଳିତ ବର୍ଷ ଘରୋଇ ଗ୍ରାଉଣ୍ଡରେ ୩ଟି ଦିନିକିଆ ଖେଳିଛି। ଏଥିରୁ ୨ଟି ମ୍ୟାଚ ପରାଜିତ ହୋଇଥିବାବେଳେ ଗୋଟିଏ ମ୍ୟାଚ ଜିତିଛି। ୱେଷ୍ଟ ଇଣ୍ଡିଜ ବିପକ୍ଷ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ଜରିଆରେ ପୂର୍ବ ଫର୍ମ ଫେରି ପାଇବାକୁ ଦଳ ପ୍ରୟାସ କରିବ। ଭାରତ ବିପକ୍ଷରେ ୱେଷ୍ଟ ଇଣ୍ଡିଜ ଶେଷ ଥର ପାଇଁ ୨୦୦୬ରେ କୌଣସି ଦିନିକିଆ ସିରିଜ ଜିତିଥିଲା । ଦୀର୍ଘ ୨୦ ବର୍ଷର ଅପେକ୍ଷାରେ ଅନ୍ତ ଘଟାଇବାକୁ ଭ୍ରମଣକାରୀ ଦଳ ଲକ୍ଷ୍ୟ ରଖିବ ।

Also Read :- ଧମକ ଦେଲା ପାକିସ୍ତାନ ! 'ଭାରତ ସହ ଯୁଦ୍ଧ କରିବୁ, କାଶ୍ମୀରକୁ ଛଡ଼ାଇ ଆଣିବୁ'

ଆଜି ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବା ନିଶ୍ଚିତ। ସେ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି। ଆଉ ୫୯ ରନ କଲେ ସେ ଦିନିକିଆ କ୍ରିକେଟରେ ୧୫,୦୦୦ ରନ ପୂରଣ କରିବେ। ୱେଷ୍ଟ ଇଣ୍ଡିଜ ବିପକ୍ଷରେ କୋହଲି ୬୬.୫୦ ହାରରେ ରନ ସଂଗ୍ରହ କରିଛନ୍ତି।

ଦିନକ ତଳେ ନେଟ୍ସରେ ଆହତ ହୋଇଥିବା ଅଧିନାୟକ ଶୁଭମନ ଗିଲ୍ ଫିଟ୍ ଘୋଷିତ ହୋଇଛନ୍ତି। ସେ ଖେଳିବା ନିଶ୍ଚିତ। ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଶ୍ମୀ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । ମାତ୍ର ତାଙ୍କ ଠାରୁ ଦଳ ପୂର୍ଣ୍ଣ ୧୦ ଓଭର ବୋଲିଂ ଆଶା ରଖିବ। ନୀତିଶ ୧୦ଓଭର ବୋଲିଂ କରି ପାରିଲେ ଭାରତକୁ ଅତିରିକ୍ତ ବୋଲର ନେଇ ଖେଳିବାକୁ ପଡ଼ିବ ନାହିଁ । ଯାହା ଫଳରେ ନିମ୍ନ ଭାଗରେ ନମନ ଧିର ପଦାର୍ପଣ କରିବାକୁ ସୁଯୋଗ ପାଇବେ । ନଚେତ ଗୁରଦୂର ବ୍ରାର ଓ ଅକିବ ନବିଙ୍କ ମଧ୍ୟରୁ ଜଣେ ଖେଳିବେ। ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ପେସ୍ ବୋଲିଂ ବିଭାଗର ଦାୟିତ୍ଵ ନେବେ।

ଗ୍ରୀନ ଫିଲ୍ମ ଷ୍ଟାଡ଼ିୟମ୍ର ପିଚ୍ ପେସ୍ ବୋଲରଙ୍କୁ ସହାୟତା ପ୍ରଦାନ କରିବାର ରେକର୍ଡ ରହିଛି। ତେଣୁ ଉଭୟ ଦଳ ଏକ ସନ୍ତୁଳିତ ବୋଲିଂ ବିଭାଗ ସହ ଗ୍ରାଉଣ୍ଡକୁ ଓହ୍ଲାଇବେ । ଦିବା ରାତ୍ର ମ୍ୟାଚ ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।