ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର (ସେପ୍ଟେମ୍ବର ୨୬) ସ୍ପଷ୍ଟ କରିଛନ୍ତି ଯେ, ସେ ହର୍ମୁଜ୍ ପ୍ରଣାଳୀ କୁ ପୁଣି ଖୋଲିବା ପାଇଁ ଇରାନ୍ ଦ୍ୱାରା ଦିଆଯାଇଥିବା ସଦ୍ୟତମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଚଳିତ ବର୍ଷ ଫେବୃଆରୀ ମାସରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଚଳାଚଳ ବାଧାପ୍ରାପ୍ତ ହୋଇରହିଛି। ଇରାନର ଏହି ପ୍ରସ୍ତାବକୁ "ଅଗ୍ରହଣୀୟ" ବୋଲି ଅଭିହିତ କରି ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ୍ ଯୁଦ୍ଧରେ ଶୋଚନୀୟ ଭାବରେ ପରାଜିତ ହେଉଥିବାରୁ ଏବେ ତୁରନ୍ତ ଏକ ଚୁକ୍ତି କରିବାକୁ ଚାହୁଁଛି। ଏହା ପୂର୍ବରୁ ଟ୍ରମ୍ପ ୭ ଦିନିଆ ଯୁଦ୍ଧବିରାମ ପ୍ରସ୍ତାବକୁ ମଧ୍ୟ ଅସ୍ୱୀକାର କରିଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା।

ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି ଯେ, ‘ଇରାନ୍ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା ଏବଂ ମୁଁ ଏହାକୁ ପ୍ରତ୍ୟାଖ୍ୟାନ  କରିଦେଇଛି।’ ଇରାନ୍‌ର ଏହି ଯୋଜନାରେ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ସହ ତେହେରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପୁଣି ଆରମ୍ଭ କରିବା ପାଇଁ ସର୍ତ୍ତ ରଖାଯାଇଥିଲା। ଏହା ସହିତ ଆମେରିକା ପକ୍ଷରୁ ଲଗାଯାଇଥିବା ସାମୁଦ୍ରିକ ଅବରୋଧ (naval blockade) କୁ ହଟାଇବା ଏବଂ ବିଭିନ୍ନ କଟକଣା ଶେଷ କରିବାକୁ ମଧ୍ୟ ଇରାନ୍ ଦାବି କରିଥିଲା।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ‘ସେମାନେ ଏପରି ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି ଯେଉଁଥିରେ ସମୁଦ୍ର ପଥ ତୁରନ୍ତ ଖୋଲିଯିବ, କାରଣ ସେମାନେ ଯୁଦ୍ଧରେ ହାରୁଛନ୍ତି। ସେମାନେ ଚୁକ୍ତି କରିବାକୁ ଇଚ୍ଛୁକ ଏବଂ ମୁଁ ଭାବୁଛି ଏହା ଭଲ କଥା, କାରଣ ମୁଁ ମଧ୍ୟ ଚୁକ୍ତି କରିବାକୁ ପସନ୍ଦ କରେ; କିନ୍ତୁ ସେମାନଙ୍କର ଏହି ନିର୍ଦ୍ଦିଷ୍ଟ ପ୍ରସ୍ତାବ କୌଣସି ପରିସ୍ଥିତିରେ ବି ଗ୍ରହଣଯୋଗ୍ୟ ନୁହେଁ।’