ଥିରୁଅନନ୍ତପୁରମ: ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଭାରତୀୟ ଟିମର ବିସ୍ଫୋରକ ବ୍ୟାଟିଂ । ଭାରତୀୟ ବ୍ୟାଟରଙ୍କ ସାମ୍ନାରେ ଅତି ଅସହାୟ ହୋଇପଡ଼ିଥିଲେ ନ୍ୟୁଜିଲାଣ୍ଡର ବୋଲର । ଯିଏ ଆସିଲେ, ସେ ଧୋଇଲେ । ଅଭିଷେକ ଶର୍ମାଙ୍କ ପାଖରୁ ଆରମ୍ଭ କରି ଇଶାନ କିଶନ, ହାର୍ଦ୍ଦିକଙ୍କ ପାଖରୁ ରିଙ୍କୁ ସିଂ, ସବୁ ବ୍ୟାଟର ଧୂଆଁଧାର ବ୍ୟାଟିଂ କରି ଚକିତ କରିଦେଇଛନ୍ତି । ଆଜିର ମ୍ୟାଚରେ ଇଶାନ କିଶନ ଅନ୍ତର୍ଜାତୀୟ ଟି-୨୦ରେ ପ୍ରଥମ ଶତକ ହାସଲ କରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ଟିମ୍ ଇଣ୍ଡିଆ ୨୭୧ ରନ୍ କରିଛି । ୫ ଓ୍ବିକେଟ ବିନିୟମରେ ଭାରତୀୟ ଦଳ ଟି-୨୦ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଛି । ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସାମ୍ନାରେ ୨୭୨ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୭୧/୫ ସ୍କୋର କରିଛି । ଏହା ଟି-୨୦ରେ ଭାରତର ତୃତୀୟ ସର୍ବାଧିକ ସ୍କୋର । ଦଳ ପକ୍ଷରୁ ଇଶାନ କିଶନ ସର୍ବାଧିକ ୪୩ ବଲ୍‌ରେ ୧୦୩ ରନ୍ କରିଛନ୍ତି । ଯେଉଁଥିରେ ୬ ଚୌକା ଏବଂ ୧୦ ଛକା ସାମିଲ । 

ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଛନ୍ତି । ସେ ୩୦ ବଲ୍‌ରେ ୪ ଚୌକା ଏବଂ ୬ ଛକା ସହିତ ୬୩ ରନ୍ କରିଛନ୍ତି । ପଞ୍ଚମ ନମ୍ବରରେ ଖେଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉତ୍କୃଷ୍ଟ ଫର୍ମରେ ଥିବା ଦର୍ଶାଇଛନ୍ତି । ସେ ୧୭ ବଲ୍‌ରେ ୪୨ ରନ୍ କରିଛନ୍ତି, ଯେଉଁଥିରେ ୧ ଚୌକା ଏବଂ ୪ ଛକା ସାମିଲ । 

ଆଜିର ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପୂରା ଫର୍ମରେ ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମର ପ୍ରତିଟି ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ସଞ୍ଜୁ ସାମସନ ନିଜ ଘରୋଇ ଗ୍ରାଉଣ୍ଡରେ ପୁଣି ଥରେ ଫ୍ଲପ୍‌ ହୋଇଛନ୍ତି । ସେପଟେ ରିଙ୍କୁ ସିଂ ଏବଂ ଶିବମ ଦୁବେ ଅପରାଜିତ ରହି ଯଥାକ୍ରମେ ୮ ଏବଂ ୭ ରନ୍‌ କରିଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ୍ ସର୍ବାଧିକ ୨ ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ମିଚେଲ ସାଣ୍ଟନର ୪ ଓଭରରେ ୬୦ ରନ୍ ଦେଇ କେବଳ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ତାଙ୍କ ବ୍ୟତୀତ ଜାକବ ଡଫି ଏବଂ କାଇଲ ଜାମିସନ୍‌ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।