ହାଇଦ୍ରାବାଦ : ସିନେମା ଜଗତରେ ପୁଣି ଏକ ନୂଆ ରହସ୍ୟମୟ କାହାଣୀକୁ ନେଇ ଚର୍ଚ୍ଚା । ଗତକାଲି ତେଲୁଗୁ ଅଭିନେତା ଆଦି ସାଇକୁମାରଙ୍କ ଆଗାମୀ ଫିଲ୍ମ ‘ଆଦି ରୁଦ୍ରା’ର ଘୋଷଣା ହୋଇଛି । ଏହି ଫିଲ୍ମଟି ଏକ ପାନ୍-ଇଣ୍ଡିଆ ରହସ୍ୟମୟ ଥ୍ରୀଲର ସିନେମା ହେବାକୁ ଯାଉଛି। ଆଉ ଏଥିରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଚର୍ଚ୍ଚିତ ଫିଲ୍ମ ‘କାନ୍ତାରା’ର ସଙ୍ଗୀତକାର ଏହି ପ୍ରୋଜେକ୍ଟରେ ସାମିଲ ହୋଇଛନ୍ତି । ତେବେ ଏହି ନୂଆ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ଦିବ୍ୟ କାହାଣୀ , ରହସ୍ୟ ଓ ରୋମାଞ୍ଚର ଏକ ନିଆରା ମିଶ୍ରଣ ହେବ ବୋଲି ଆଶା କରାଯାଉଛି।

ଏହି ଫିଲ୍ମର ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ‘କାନ୍ତାରା’ ଫିଲ୍ମର ସଙ୍ଗୀତକାରମାନେ । ‘କାନ୍ତାରା’ର ସଙ୍ଗୀତ ଓ ପୃଷ୍ଠଭୂମି ସଙ୍ଗୀତ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ତେଣୁ ‘ଆଦି ରୁଦ୍ରା’ରେ ମଧ୍ୟ ଜବରଦସ୍ତ ସଙ୍ଗୀତ ଓ ରହସ୍ୟମୟ ପରିବେଶ ଦେଖିବାକୁ ମିଳିବ ବୋଲି ସିନେପ୍ରେମୀଙ୍କ ମଧ୍ୟରେ କ୍ରେଜ ବଢ଼ିଛି। ଖାଲି ଏତିକି ନୁହେଁ ‘ଆଦି ରୁଦ୍ରା’କୁ ପାନ୍-ଇଣ୍ଡିଆ ସ୍ତରରେ ନିର୍ମାଣ କରାଯିବାର ଯୋଜନା ରହିଛି। ଅର୍ଥାତ୍, ଏହି ଫିଲ୍ମକୁ ଗୋଟିଏ ଭାଷାରେ ସୀମିତ ନରଖି ବିଭିନ୍ନ ଭାରତୀୟ ଭାଷାର ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି ଫିଲ୍ମ ମେକର୍ସ ।

ଏହି ଦିବ୍ୟ ରହସ୍ୟ ଓ ଥ୍ରୀଲର ଫିଲ୍ମରେ ଆଦି ସାଇକୁମାରଙ୍କ ନୂଆ ଅବତାରକୁ ଦେଖିବାକୁ ଫ୍ୟାନ୍ସମାନେ ଅପେକ୍ଷା କରିଛନ୍ତି । ଅଭିନେତା ଆଦି ସାଇକୁମାର ଏହି ଫିଲ୍ମରେ କେଉଁଭଳି ଚରିତ୍ରରେ ନଜର ଆସିବେ, ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ରହିଛି। ଫିଲ୍ମର କାହାଣୀ, ଅନ୍ୟ କଳାକାର, ନିର୍ଦ୍ଦେଶକ ଓ ରିଲିଜ୍ ତାରିଖ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ଆହୁରି କ୍ରେଜ ବଢିପାରେ । ତେବେ ‘ଆଦି ରୁଦ୍ରା’ କେବଳ ଏକ ରହସ୍ୟମୟ ଫିଲ୍ମ ହେବ, ନା ଏଥିରେ ପୁରୁଣା ଲୋକକଥାର କୌଣସି ନୂଆ କାହାଣୀ ଦେଖିବାକୁ ମିଳିବ ତାହା ଜାଣିବାକୁ ଦର୍ଶକଙ୍କ ମନରେ ବଢିଛି ଉତ୍ସୁକତା ।