ଧର୍ମଶାଳା: କ୍ରିକେଟ ପ୍ରେମୀଙ୍କ ପାଇଁ ଧର୍ମଶାଳାରୁ ଆସିଛି ଏକ ଆଶ୍ଵସ୍ତିକର ଖବର। ଦୀର୍ଘ ସମୟର ଅପେକ୍ଷା ପରେ ଶେଷରେ ଭାରତ ଓ ଆଫଗାନିସ୍ତାନ ପ୍ରଥମ ଦିନିକିଆ ମ୍ୟାଚକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବର୍ଷା ଯୋଗୁଁ ଏହି ମ୍ୟାଚ୍‌ର ଓଭର ସଂଖ୍ୟା କମାଇ ଦିଆଯାଇଛି। ଏବେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ମୁକାବିଲା ୫୦ ଓଭର ବଦଳରେ ୨୫-୨ ୫ ଓଭର ବିଶିଷ୍ଟ ଖେଳାଯିବ। ଓଭର କମିବା ସହିତ ମ୍ୟାଚ୍‌ର ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି।

ସଦ୍ୟ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ୧୫ ମିନିଟ୍‌ରେ ମ୍ୟାଚରେ ଟସ୍ ପଡ଼ିଛି ଏବଂ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍  ୫ଟା ୪୫ ମିନିଟ୍‌ରେ ଆରମ୍ଭ ହେବ। ବର୍ତ୍ତମାନ ଉଭୟ ଦଳର ଖେଳାଳି ଡ୍ରେସିଂ ରୁମ୍‌ରୁ ବାହାରକୁ ଆସି ପଡ଼ିଆରେ ୱାର୍ମ-ଅପ୍ କରୁଥିବା ଦେଖିବାକୁ ମିଳିଛି।

 ଜାଣନ୍ତୁ କେତେ ଓଭରର ହେବ ପାୱାରପ୍ଲେ ?

ମ୍ୟାଚ୍ ୨୫ ଓଭର ବିଶିଷ୍ଟ ହୋଇଥିବାରୁ ଆଇସିସି ନିୟମ ଅନୁଯାୟୀ ଏଥିରେ କିଛି ପରିବର୍ତ୍ତନ କରାଯାଇଛି। ଏହି ମ୍ୟାଚ୍‌ରେ ଜଣେ ବୋଲର ସର୍ବାଧିକ ୫ ଓଭର ପର୍ଯ୍ୟନ୍ତ ବୋଲିଂ କରିପାରିବେ। ଅର୍ଥାତ୍ ୫ ଜଣ ବୋଲର ୫-୫ ଓଭର ଲେଖାଏଁ ବୋଲିଂ କରିବାର ସୁଯୋଗ ପାଇବେ। ବ୍ୟାଟିଂ କରୁଥିବା ଦଳ ପାଇଁ ପାୱାରପ୍ଲେ ଅବଧିକୁ କମାଇ ମାତ୍ର ୫ ଓଭର କରାଯାଇଛି।

ବର୍ଷା ସାଜିଥିଲା ବାଧକ

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅପରାହ୍ଣ ୧ଟା ୩୦ ମିନିଟ୍‌ରେ ଆରମ୍ଭ ହେବାର ଥିଲା। ମାତ୍ର ଧର୍ମଶାଳାରେ କ୍ରମାଗତ ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଟସ୍ ମଧ୍ୟ ହୋଇପାରି ନଥିଲା। ଯାହାକୁ ନେଇ ପ୍ରଶଂସକ ନିରାଶ ହୋଇପଡ଼ିଥିଲେ।

ଭାରତୀୟ ଦଳ

ଶୁଭମନ ଗିଲ୍(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟର, ଇଶାନ କିଷନ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ହର୍ଷ ଦୁବେ, ଗୁରନୁର ବରାର, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ।

ଆଫଗାନିସ୍ତାନ ଟିମ୍

ରହମନତୁଲ୍ଲା ଗୁରବାଜ(ଓ୍ଵିକେଟ୍ କିପର), ଇବ୍ରାହିମ ଜଦ୍ରାନ, ସେଦିକୁଲ୍ଲା ଅଟଲ, ରେହମତ ଶାହ, ହସମତୁଲ୍ଲା ଶାହିଦି(ଅଧିନାୟକ), ମହମ୍ମଦ ନବି, ରଶିଦ ଖାନ, ଅଜମତୁଲ୍ଲା ଉମରଜାଇ, ଆଲ୍ଲା ଘଜନଫର, ଜିଆ ଉର ରେହମାନ ଶରିଫି