ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ବେକାରି ହାର। ୨୦୨୬ ଏପ୍ରିଲରୁ ଜୁନ୍ ମଧ୍ୟରେ ୧୫ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ବେକାରି ହାର ୫.୪ ପ୍ରତିଶତରେ ପହଞ୍ଚିଛି। ଗତ ୪ଟି ତ୍ରୈମାସିକ ମଧ୍ୟରେ ଏହା ସର୍ବାଧିକ। ସୋମବାର କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ବାର୍ଷିକ ଆଧାରରେ ଦେଖିଲେ ବେକାରୀ ହାର ସ୍ଥିର ରହିଛି। କାରଣ ୨୦୨୫ରେ ସମାନ ଅବଧି ସମୟରେ ବେକାରୀ ହାର ୫.୪ ପ୍ରତିଶତ ରହିଥିଲା।

ବେକାରି ବୃଦ୍ଧି କେବଳ ଗୋଟିଏ କ୍ଷେତ୍ରରେ ସୀମିତ ରହି ନାହିଁ। ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟରେ ବେକାରି ବଢ଼ିଛି। ତେବେ ସବୁଠାରୁ ଚିନ୍ତାଜନକ ସ୍ଥିତି ଯୁବତୀଙ୍କ ମଧ୍ୟରେ ଦେଖାଯାଇଛି। ସହରାଞ୍ଚଳରେ ଅଧିକାଂଶ ଯୁବତୀ ବେକାରୀ ସଂଖ୍ୟା ବଢ଼ି ୧୫ରୁ ୨୯ ବର୍ଷ ବୟସର ଯୁବବର୍ଗରେ ବେକାରି ହାର ୧୫.୯ ପ୍ରତିଶତକୁ ବୃଦ୍ଧି ପାଇଛି।

ଏପ୍ରିଲ-ଜୁନରେ ୫୬.୬ କୋଟି ଲୋକ ନିଯୁକ୍ତ

୨୦୨୬ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶରେ ୧୫ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ହାରାହାରି ୫୬୬ ନିୟୁତ ବା ୫୬.୬ କୋଟି ଲୋକ ନିଯୁକ୍ତ ଥିଲେ। ଏଥିରେ ୪୦୨ ନିୟୁତ ପୁରୁଷ ଏବଂ ୧୬୪ ନିୟୁତ ମହିଳା ଥିଲେ। ଅନ୍ୟପକ୍ଷରେ, ଦେଶର ସାମଗ୍ରିକ ବେକାରି ହାର ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକର ୫.୦ ପ୍ରତିଶତରୁ ବଢ଼ି ଏପ୍ରିଲ-ଜୁନରେ ୫.୪ ପ୍ରତିଶତ ହୋଇଛି। ୨୦୨୫ ଏପ୍ରିଲ-ଜୁନରେ ମଧ୍ୟ ବେକାରି ହାର ୫.୪ ପ୍ରତିଶତ ଥିଲା। ଅର୍ଥାତ୍ ୨୦୨୫ ଏପ୍ରିଲ-ଜୁନ୍ ପରଠାରୁ ଏହା ସର୍ବାଧିକ ସ୍ତରରେ ପହଞ୍ଚିଛି।

Also Read- Gen-Zଙ୍କ ଅଭ୍ୟାସ ବଢ଼ାଉଛି ନନ୍-ହାଉସିଂ ରିଟେଲ୍ ଲୋନ୍, RBI କାହିଁକି ଚିନ୍ତିତ ?

ଗାଁ ଓ ସହର ଦୁଇଟିରେ ବଢ଼ିଲା ବେକାରି

ଗ୍ରାମୀଣ ଅଞ୍ଚଳରେ ବେକାରି ହାର ଜାନୁଆରୀ-ମାର୍ଚ୍ଚରେ ୪.୩ ପ୍ରତିଶତ ଥିବାବେଳେ ଏପ୍ରିଲ-ଜୁନରେ ଏହା ୪.୮ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ସହରାଞ୍ଚଳରେ ବେକାରି ହାର ସାମାନ୍ୟ ବଢ଼ିଛି। ଜାନୁଆରୀ-ମାର୍ଚ୍ଚରେ ଏହା ୬.୬ ପ୍ରତିଶତ ଥିବାବେଳେ ଏପ୍ରିଲ-ଜୁନରେ ୬.୭ ପ୍ରତିଶତ ହୋଇଛି।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ବେକାରି ବୃଦ୍ଧି

ମହିଳାଙ୍କ ବେକାରି ହାର ମଧ୍ୟ ବଢ଼ିଛି। ଜାନୁଆରୀ-ମାର୍ଚ୍ଚରେ ମହିଳା ବେକାରି ହାର ୫.୩ ପ୍ରତିଶତ ଥିବାବେଳେ ଏପ୍ରିଲ-ଜୁନ୍ରେ ଏହା ୫.୭ ପ୍ରତିଶତକୁ ବଢ଼ିଛି। ପୁରୁଷଙ୍କ ବେକାରି ହାର ମଧ୍ୟ ଏହି ସମୟରେ ବଢ଼ିଛି। ଜାନୁଆରୀ-ମାର୍ଚ୍ଚର ୪.୮ ପ୍ରତିଶତରୁ ଏହା ଏପ୍ରିଲ-ଜୁନରେ ୫.୩ ପ୍ରତିଶତ ହୋଇଛି। ତେବେ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଯୁବତୀଙ୍କ ବେକାରି। ଏପ୍ରିଲ-ଜୁନ୍ରେ ଯୁବତୀଙ୍କ ବେକାରି ହାର ୧୯.୬ ପ୍ରତିଶତରେ ପହଞ୍ଚିଛି, ଯାହା ଏହି ସର୍ଭେ ଶୃଙ୍ଖଳାରେ ସର୍ବାଧିକ। ଜାନୁଆରୀ-ମାର୍ଚ୍ଚରେ ଏହି ହାର ୧୭.୭ ପ୍ରତିଶତ ଥିଲା।

ଯୁବ ବେକାରି ୧୫.୯%, ନୂଆ ସର୍ବୋଚ୍ଚ ସ୍ତର

୧୫ରୁ ୨୯ ବର୍ଷ ବୟସର ଯୁବବର୍ଗ ମଧ୍ୟରେ ବେକାରି ହାର ଏପ୍ରିଲ-ଜୁନ୍ରେ ୧୫.୯ ପ୍ରତିଶତ ହୋଇଛି। ଏହା ବର୍ତ୍ତମାନର ପିରିଅଡିକ୍ ଲେବର ଫୋର୍ସ ସର୍ଭେ (PLFS) ଶୃଙ୍ଖଳାରେ ସର୍ବାଧିକ। ଏହି ଶୃଙ୍ଖଳାର ତଥ୍ୟ ୨୦୨୫ ଏପ୍ରିଲ-ଜୁନରୁ ଉପଲବ୍ଧ ହେଉଛି। ଜାନୁଆରୀ-ମାର୍ଚ୍ଚରେ ଯୁବ ବେକାରି ହାର ୧୫ ପ୍ରତିଶତ ଥିଲା। ଗୋଟିଏ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୫ ଏପ୍ରିଲ-ଜୁନରେ ଏହା ୧୪.୬ ପ୍ରତିଶତ ଥିଲା। ଯୁବ ବେକାରିର ବୃଦ୍ଧି ମୁଖ୍ୟତଃ ଗ୍ରାମୀଣ ଅଞ୍ଚଳରେ ହୋଇଛି। ଗ୍ରାମାଞ୍ଚଳରେ ଯୁବ ବେକାରି ହାର ଜାନୁଆରୀ-ମାର୍ଚ୍ଚର ୧୩.୫ ପ୍ରତିଶତରୁ ବଢ଼ି ଏପ୍ରିଲ-ଜୁନରେ ୧୪.୭ ପ୍ରତିଶତ ହୋଇଛି। ସହରାଞ୍ଚଳରେ ଏହା ବଢ଼ି ୧୮.୨ ପ୍ରତିଶତରେ ପହଞ୍ଚିଛି।

ଶ୍ରମ ବଜାର ଉପରେ SBIର ମତ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏକ ନୋଟ୍‌ରେ କହିଛି ଯେ, ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଦ୍ୟତମ ପିଏଲଏଫ୍ଏସ୍ ତଥ୍ୟ ଅନୁଯାୟୀ ସହରାଞ୍ଚଳର ଶ୍ରମ ବଜାର ଏବେ ମଧ୍ୟ ସ୍ଥିର ରହିଛି। ଯଦିଓ ସାମଗ୍ରିକ ଶ୍ରମଶକ୍ତି ଅଂଶଗ୍ରହଣ ହାରରେ ସାମାନ୍ୟ ହ୍ରାସ ହୋଇଛି, ସହରାଞ୍ଚଳର ବେକାରି ହାର ୬.୭ ପ୍ରତିଶତରେ ସ୍ଥିର ରହିଛି। ଏସବିଆଇ ଅନୁଯାୟୀ, ପୁରୁଷଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ହାର ୭୫.୩ ପ୍ରତିଶତକୁ ବଢ଼ିଛି। ଏହା ସହ ଗ୍ରାମୀଣ ଏବଂ ସହରାଞ୍ଚଳ, ଉଭୟରେ ନିୟମିତ ଦରମା ବା ବେତନ ପାଉଥିବା ନିଯୁକ୍ତିର ଅଂଶ ବଢ଼ିଛି।

କମିଲା ଶ୍ରମଶକ୍ତି ଅଂଶଗ୍ରହଣ ହାର

ବେକାରି ବଢ଼ିବା ସହିତ ଶ୍ରମଶକ୍ତି ଅଂଶଗ୍ରହଣ ହାର ବା LFPR ମଧ୍ୟ ହ୍ରାସ ପାଇଛି। LFPR ହେଉଛି ମୋଟ ଜନସଂଖ୍ୟା ମଧ୍ୟରୁ କାମ କରୁଥିବା, କାମ ଖୋଜୁଥିବା କିମ୍ବା କାମ ପାଇଁ ଉପଲବ୍ଧ ଥିବା ଲୋକଙ୍କ ପ୍ରତିଶତ। ଜାନୁଆରୀ-ମାର୍ଚ୍ଚରେ LFPR ୫୫.୫ ପ୍ରତିଶତ ଥିବାବେଳେ ଏପ୍ରିଲ-ଜୁନ୍ରେ ଏହା ୫୪.୬ ପ୍ରତିଶତକୁ ଖସିଛି। ଗ୍ରାମୀଣ ଅଞ୍ଚଳର LFPR ୫୬.୯ ପ୍ରତିଶତ, ଯାହା ସହରାଞ୍ଚଳର ୫୦.୨ ପ୍ରତିଶତଠାରୁ ଅଧିକ। ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ହାର ମଧ୍ୟ ହ୍ରାସ ପାଇଛି। ଜୁନ୍ରେ ମହିଳା LFPR ୩୨.୭ ପ୍ରତିଶତକୁ ଖସିଛି, ଯାହା ଗତ ଏକ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର।

ଡବ୍ଲୁପିଆର୍ ମଧ୍ୟ ହ୍ରାସ

କାର୍ଯ୍ୟରତ ଜନସଂଖ୍ୟା ଅନୁପାତ ବା Worker Population Ratio (WPR) ମଧ୍ୟ ଏପ୍ରିଲ-ଜୁନ୍ ତ୍ରୈମାସିକରେ ହ୍ରାସ ପାଇଛି। ମାର୍ଚ୍ଚ ତ୍ରୈମାସିକରେ WPR ୫୨.୮ ପ୍ରତିଶତ ଥିବାବେଳେ ଏପ୍ରିଲ-ଜୁନ୍ରେ ଏହା ୫୧.୭ ପ୍ରତିଶତ ହୋଇଛି। WPR ହେଉଛି ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରକୃତରେ ନିଯୁକ୍ତ ଥିବା ଲୋକଙ୍କ ପ୍ରତିଶତ। ତେବେ ଗ୍ରାମୀଣ ଅଞ୍ଚଳରେ ନିୟମିତ ଦରମା ଓ ବେତନ ପାଉଥିବା କର୍ମଚାରୀଙ୍କ ଅଂଶ ବଢ଼ିଛି। ଜାନୁଆରୀ-ମାର୍ଚ୍ଚରେ ଏହା ୧୫.୫ ପ୍ରତିଶତ ଥିବାବେଳେ ଏପ୍ରିଲ-ଜୁନ୍ରେ ୧୬.୧ ପ୍ରତିଶତ ହୋଇଛି। ସହରାଞ୍ଚଳରେ ମଧ୍ୟ ଏହି ଅଂଶ ବଢ଼ିଛି। ଜାନୁଆରୀ-ମାର୍ଚ୍ଚର ୪୮.୯ ପ୍ରତିଶତରୁ ଏପ୍ରିଲ-ଜୁନ୍ରେ ଏହା ୪୯.୩ ପ୍ରତିଶତ ହୋଇଛି।

କମିଲା ସ୍ୱୟଂନିଯୁକ୍ତିର ଅଂଶ

ଦେଶର ମୋଟ କାର୍ଯ୍ୟଶକ୍ତିରେ ସ୍ୱୟଂନିଯୁକ୍ତ ଲୋକଙ୍କ ଅଂଶ ମଧ୍ୟ କମିଛି। ମାର୍ଚ୍ଚ ତ୍ରୈମାସିକରେ ମୋଟ କାର୍ଯ୍ୟଶକ୍ତିର ୫୫.୮ ପ୍ରତିଶତ ସ୍ୱୟଂନିଯୁକ୍ତ ଥିବାବେଳେ ଜୁନ୍ ତ୍ରୈମାସିକରେ ଏହା ୫୪.୮ ପ୍ରତିଶତକୁ ହ୍ରାସ ପାଇଛି।

ଗ୍ରାମୀଣ ଭାରତରେ କୃଷି ଏବେ ବି ବଡ଼ ନିଯୁକ୍ତିଦାତା

ଏପ୍ରିଲ-ଜୁନ୍ରେ ଗ୍ରାମୀଣ ଭାରତର ଅର୍ଦ୍ଧାଧିକ କାର୍ଯ୍ୟଶକ୍ତି କୃଷି କ୍ଷେତ୍ରରେ ନିଯୁକ୍ତ ଥିଲେ। ତେବେ କୃଷି ଉପରେ ନିର୍ଭର କରୁଥିବା କାର୍ଯ୍ୟଶକ୍ତିର ଅଂଶ ଗତ ତ୍ରୈମାସିକ ଏବଂ ଗତ ବର୍ଷ ତୁଳନାରେ ବଦଳିଛି। ଜାନୁଆରୀ-ମାର୍ଚ୍ଚରେ ଗ୍ରାମୀଣ କାର୍ଯ୍ୟଶକ୍ତିର ୫୫.୮ ପ୍ରତିଶତ କୃଷି କ୍ଷେତ୍ରରେ ଥିବାବେଳେ ଏପ୍ରିଲ-ଜୁନ୍ରେ ଏହି ଅଂଶ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷର ସମାନ ସମୟରେ ଏହା ୫୩.୫ ପ୍ରତିଶତ ଥିଲା।

ସହରରେ ସର୍ବାଧିକ ନିଯୁକ୍ତି ଦେଉଛି ସେବା କ୍ଷେତ୍ର

ସହରାଞ୍ଚଳରେ ଟେର୍ସିଆରୀ ବା ସେବା କ୍ଷେତ୍ର ଏବେ ବି ସବୁଠାରୁ ବଡ଼ ନିଯୁକ୍ତିଦାତା ଭାବେ ରହିଛି। ଏପ୍ରିଲ-ଜୁନ୍ ୨୦୨୬ରେ ସହରାଞ୍ଚଳର ମୋଟ କାର୍ଯ୍ୟଶକ୍ତିର ୬୨.୦ ପ୍ରତିଶତ ସେବା କ୍ଷେତ୍ରରେ ନିଯୁକ୍ତ ଥିଲେ। ଗତ ବର୍ଷର ସମାନ ସମୟରେ ଏହି ଅଂଶ ୬୧.୭ ପ୍ରତିଶତ ଥିଲା। ସାମଗ୍ରିକ ଭାବେ, ନୂଆ ପିରିଅଡିକ୍ ଲେବର ଫୋର୍ସ ସର୍ଭେ ତଥ୍ୟରେ ଗୋଟିଏପଟେ ଦେଶର ବେକାରି ହାର ବଢ଼ିବା, ଅନ୍ୟପଟେ LFPR ଓ WPR ହ୍ରାସ ପାଇବା ଚିନ୍ତା ବଢ଼ାଇଛି। ବିଶେଷକରି ଯୁବବର୍ଗ ଏବଂ ଯୁବତୀଙ୍କ ମଧ୍ୟରେ ବେକାରି ହାରର ବୃଦ୍ଧି ଚାକିରି ବଜାରର ଚ୍ୟାଲେଞ୍ଜକୁ ଆହୁରି ସ୍ପଷ୍ଟ କରିଛି।