ନୂଆଦିଲ୍ଲୀ, ୦୪/୧୦ :ଭାରତୀୟ ସୀମା ମଧ୍ୟରେ ପାକିସ୍ତାନୀଙ୍କ ଅନୁପ୍ରବେଶକୁ ଅତି ଗୁରୁତର ଭାବେ ଗ୍ରହଣ କରିଛି ଭାରତ । ଗତ ଦୁଇ ଦିନ ତଳେ ପଞ୍ଜାବରେ କିଛି ଅନୁପ୍ରବେଶକାରୀ ବିଏସଏଫ ଗୁଳିରେ ପ୍ରାଣ ହରାଇଥିଲେ । ଯାହାକୁ ନେଇ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ଚାର୍ଜ ଦି ଆଫେୟାର୍ସଙ୍କୁ ଡାକି ଅନୁପ୍ରବେଶ ଘଟଣାରେ କଡା ଆପତ୍ତି ପ୍ରକାଶ କରିଛି ।

ଭାରତର କହିବାନୁସାରେ, ପାକିସ୍ତାନ ସୀମାରେ ବେଆଇନ ଅନୁପ୍ରବେଶକୁ ପ୍ରତ୍ସୋହାନ କରୁଛି । ଓଲଟା ପାକ୍ ଭାରତ ଉପରେ ଦୋଷ ଲଦୁଛି । ସମସ୍ତ ଅଭିଯୋଗକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି ।

ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ପକ୍ଷଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛି । ମନ୍ତ୍ରାଳୟ କହିଛି ଯେ, ତିନି ଜଣ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୀମା ଅତିକ୍ରମ କରିଥିଲେ । ଅନେକ ଥର ସେମାନଙ୍କୁ ଚେତାବନୀ ଦିଆଯାଇଥିଲା । ପାକିସ୍ତାନ ଫେରିଯିବାକୁ କୁହାଯାଇଥିଲା । ହେଲେ ସେମାନେ ଭାରତ ଆଡକୁ ଧାଇଁଥିଲେ । ଫଳରେ ବିଏସଏଫ ଗୁଳିମାଡ଼ କରିଥିଲା । ସେମାନେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଥିଲେ ।

Also Read :- ଇସ୍ରାଏଲ୍ ସ୍ୱାଧୀନତା ଦିବସରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଓ ମୋଦୀଙ୍କୁ ନେତନ୍ୟାହୁଙ୍କ ନିମନ୍ତ୍ରଣ

ଭାରତ ଆହୁରି କହିଛି ଯେ, ଏହା ଗୋଟିଏ ଘଟଣା ନୁହେଁ । ଆନେକ ସମୟରେ ପାକିସ୍ତାନୀ ନିଶା ବେପାରୀମାନେ ସୀମା ଡେଇଁ ନିଶା କାରବାର କରିଥାନ୍ତି । ଏହି ସମସ୍ତ ଘଟଣାରେ ପାକିସ୍ତାନ ସରକାର ତଦନ୍ତ କରିବା ଜରୁରୀ । ଏଥିରେ ପାକିସ୍ତାନୀ ସେନାର ହାତ ରହିଛି । ଏହା ଉପରେ ମଧ୍ୟ ତଦନ୍ତ କରାଯିବା ଦରକାର ।

ଆହୁରି ମଧ୍ୟ ପାକ୍ ସରକାରଙ୍କୁ କୁହାଯାଇଛି ଯେ, ପଡୋଶୀ ଦେଶ ଅନ୍ତର୍ଜାତୀୟ ସୀମାର ପବିତ୍ରତାକୁ ସମ୍ମାନ ଦେବା ଶିଖନ୍ତୁ । ଏପରି ଯେମିତି ପୁଣି ନହୁଏ ସେନେଇ ଇସଲାମାବାଦ ଧ୍ୟାନ ଦେବା ଜରୁରୀ ବୋଲି ମନ୍ତ୍ରାଳୟ କହିଛି ।