କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଭାଷଣ ସମୟରେ ଶୁଭିଲା ଖଲିସ୍ତାନୀ ନାରା: ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

Published By : Prameya-News7 Bureau | April 29, 2024 IST

indiatoday

ନୂଆଦିଲ୍ଲୀଏକ କାର୍ଯ୍ୟକ୍ରମରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାଷଣ ସମୟରେ ଶୁଭିଲା ଖଲିସ୍ତାନ ସ୍ଲୋଗାନ। ଏହି ଅଭିଯୋଗରେ ଭାରତ ସରକାର ଦିଲ୍ଲୀ ସ୍ଥିତ କାନାଡ଼ା ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସମନ କରାଯାଇଛି। 

ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରି କୁହାଯାଇଛି ବିନା ତଦାରଖରେ ବାରମ୍ବାର ହେଉଥିବା ଏଭଳି ଅଶାନ୍ତିମୂଳକ କାର୍ଯ୍ୟ ପ୍ରତି ଭାରତର ଚିନ୍ତା ଓ ଦୃଢ଼ ବିରୋଧ ବିଷୟରେ କାନାଡ଼ର ରାଷ୍ଟ୍ରଦୂତ ଅବଗତ କରାଯାଇଥିଲା। ହେଲେ ଏଥର ପୁଣିଥରେ ଏଭଳି ହେବା ବିଛିନ୍ନତାବାଦ, ଉଗ୍ରବାଦ ଓ ହିଂସାକୁ କାନାଡ଼ା ଦେଇଥିବା ରାଜନୈତିକ ପ୍ରଶୟକୁ ଦର୍ଶାଉଛି। ଏଭଳି ନିରନ୍ତର ଘଟଣା କେବଳ ଭାରତ-କାନାଡ଼ା ସମ୍ପର୍କକୁ ଖରାପ କରୁ ନାହିଁ ବରଂ କାନାଡ଼ା ନିଜ ନାଗରିକ ପାଇଁ ହିଂସା ଓ ଅପରାଧର ପରିବେଶ ସୃଷ୍ଟି କରୁଛି। 

ଏପ୍ରିଲ ୨୮ ତାରିଖ ରବିବାର ଜଷ୍ଟିନ ଟ୍ରୁଡୋ ଟୋରୋଣ୍ଟୋରେ ଆୟୋଜିତ ଖାଲ୍‌ସା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟ୍ରୋଡ୍ ଜନସଭାକୁ ସମ୍ବୋଧନ କଲା ବେଳେ ଖଲିସ୍ତାନ ସମର୍ଥିତ ନାରା ଦିଆଯାଇଥିଲା। ଟ୍ରୁଡୋ ତାଙ୍କ ଭାଷଣରେ ଶିଖ୍ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇ କହିଛନ୍ତି ଯେ କାନାଡା ସରକାର ସବୁ ପରିସ୍ଥିତିରେ ସେମାନଙ୍କର ଅଧିକାର ଏବଂ ସ୍ୱାଧୀନତା ରକ୍ଷା କରିବେ।

ପଢ଼ନ୍ତୁ-ପନ୍ନୁକୁ ହତ୍ୟା କରିବାକୁ ସୁପାରୀ କିଲର ଠିକ୍ କରିଥିଲେ ଭାରତର 'ର' ଏଜେଣ୍ଟ: ଆମେରିକା ମିଡିଆ

ସଭାରେ ଟ୍ରୁଡୋ ଆହୁରି କହିଛନ୍ତି “ଏହି ଦେଶରେ ରହୁଥିବା ପାଖାପାଖି ୮୦୦,୦୦୦ ଶିଖ୍‌ ସମ୍ପ୍ରଦାୟଙ୍କ ସ୍ୱାଧୀନତା ଓ ଅଧିକାରକୁ ସୁରକ୍ଷା ଦେବାକୁ ଆମେ ସବୁବେଳେ ରହିବୁ। ଘୃଣା ଓ ଭେଦଭାବ ବିରୋଧରେ ଆମେ ସବୁବେଳେ ଆପଣାମାନଙ୍କ ସମ୍ପ୍ରଦାୟକୁ ସମର୍ଥନ ଦେବୁ।”

ଟ୍ରୁଡୋଙ୍କ ବ୍ୟାତୀତ କଞ୍ଜରଭେଟିବ୍ ପାର୍ଟି ନେତା ପିଏରେ ପୋଇଲିଏଭ୍ରେ, ନ୍ୟୁ ଡେମୋକ୍ରାଟିକ ପାର୍ଟି(ଏନ୍‌ଡିପି) ନେତା ଜଗମୀତ ସିଂହ ଏବଂ ଟୋରୋଣ୍ଟୋ ମେୟର ଓଲିଭିଆ ଚାଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୂଚନା ଥାଉକି, ଖାଲ୍‌ସା ଦିବସ ବା ବୈଶାଖୀ ଶିଖ ନୂଆ ବର୍ଷକୁ ବୁଝାଇଥାଏ।


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.