ଏହା ହେଉଛି ଦୁନିଆର ସବୁଠାରୁ ନିଆରା ରାଜପଥ ! ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ୍‌ରେ ପାଇଛି ସ୍ଥାନ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬।୦୫: ଅନେକ ସମୟରେ ରାଜପଥରେ ବୁଲାଣି ଅତିକ୍ରମ କରୁଥିବାବେଳେ  ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ବୁଲାଣି ବା ମୋଡ଼ରେ ଡ୍ରାଇଭରଙ୍କ  ଅସାବଧାନତାରୁ ପ୍ରାୟତଃ ଏଭଳି ଅଘଟଣ ଘଟିଥାଏ । ତେବେ ସାଉଦି  ଆରବରେ ଏମିତି ଏକ ରାସ୍ତା ରହିଛି ଯେଉଁଥିରେ କୌଣସି ବୁଲାଣି ନାହିଁ ।  ଏହାକୁ ବିଶ୍ୱର ସବୁଠୁ ଲମ୍ବା ସିଧା ରାଜପଥ ବୋଲି କୁହାଯାଏ । ୧୦ ନମ୍ବର  ରାଜପଥ ଭାବେ ପରିଚିତ ଏହି ରାସ୍ତା ୨୪୦ କିମି ଯାଏ ପରିବ୍ୟାପ୍ତ । ଏହା  ଦେଶର ଦକ୍ଷିଣ ପଶ୍ଚିମରେ ଥିବା ଅଲ ଦର୍ବ ସହର ଓ ପୂର୍ବରେ ଥିବା ଅଲ୍‌ ବଥା  ସହରକୁ ଯୋଡୁଛି । 

ଏହି   ବ୍ୟସ୍ତବହୁଳ  ରାସ୍ତାକୁ ସାଧାରଣତଃ  ମାଲ୍‌ ପରିବହନ ଲାଗି  ଟ୍ରକ୍‌ଗୁଡି଼କ ବ୍ୟବହାର  କରିଥାନ୍ତି । ଏହାର ପାଖପାଖରେ ପ୍ରାୟତଃ କୌଣସି ନିର୍ମାଣ, ଜନବସତି  କିମ୍ବା କୃଷିକ୍ଷେତ ନାହିଁ । ରାସ୍ତାର ଅଧିକାଂଶ  ଅଞ୍ଚଳ ରୁବ-ଅଲ୍‌-ଖାଲି ମରୁଭୂମି ଦେଇ  ଯାଇଛି । ସେଥିପାଇଁ ଏହାକୁ ବିଶ୍ୱର ସବୁଠୁ  ବିରକ୍ତିକର ରାସ୍ତା ବୋଲି ମଧ୍ୟ କୁହାଯାଇଥାଏ ।  ପ୍ରାଥମିକ ଭାବେ ଏହାକୁ ରାଜା ଫହାଦ୍‌  ଅବଦୁଲାଜିଜ୍‌ଙ୍କ ଲାଗି ଏକ ଘରୋଇ ରାସ୍ତା  ଭାବେ ନିର୍ମାଣ କରାଯାଇଥିଲା । 

କିନ୍ତୁ ପରେ ଏହାକୁ ସର୍ବସାଧାରଣଙ୍କ ଲାଗି  ଉନ୍ମୁକ୍ତ କରାଯାଇଥିଲା । ବିଶ୍ୱର ସବୁଠୁ ଲମ୍ବା ସିଧା ରାସ୍ତା ଭାବେ ଏହା ଗିନିଜ୍‌  ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ଟ୍ରକ୍‌ କିମ୍ବା କାର୍‌ରେ ଏହାକୁ ଅତିକ୍ରମ  କରିବା ଲାଗି ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ ବୋଲି ଗିନିଜ୍‌ ବୁକ୍‌ ଅଫ୍‌  ରେକର୍ଡସ୍‌ ପ୍ରକାଶ କରିଛି । ସାଉଦି ଆରବର ୧୦ ନମ୍ବର ରାଜପଥ ପୂର୍ବରୁ  ବିଶ୍ୱର ସବୁଠୁ ଲମ୍ବା ସିଧା ରାସ୍ତାର ମାନ୍ୟତା ଅଷ୍ଟ୍ରେଲିଆର ଏକ ରାଜପଥକୁ  ମିଳିଥିଲା । ତାର ଲମ୍ବ ୧୪୬ କିମି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.