ନୂଆଦିଲ୍ଲୀ, ୧୭/୧୨:ବାଂଲାଦେଶକୁ ଭାରତର ତାଗିଦ । ବାଂଲା ନେତାଙ୍କ ବିବାଦୀୟ ବୟାନ ପରେ ଭାରତରେ ଅବସ୍ଥିତ ବାଂଲା ହାଇ କମିଶନରଙ୍କୁ ସମନ । ହାଇ କମିଶନର ମହମ୍ମଦ ରିଆଜ୍ ହାମିଦୁଲ୍ଲାଙ୍କୁ କୁଟନୈତିକ ସ୍ତରରେ ସମନ୍ କରାଯାଇଛି । ପଡୋଶୀ ଦେଶର ନେତାଙ୍କ ଦ୍ୱାରା ଭାରତ ବିରୋଧି ବୟାନ ବାବଦରେ କାରଣ ଦର୍ଶାଇବାକୁ ସମନରେ ଉଲ୍ଲେଖ ହୋଇଛି ।

 

ରିପୋର୍ଟ ଅନୁସାରେ, ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି) ନେତା ହସନାତ ଅବଦୁଲ୍ଲା ସୋମବାର ଭାରତ ବିରୋଧରେ ବୟାନ ଦେଇଥିଲେ । ସେ କହିଥିଲେ ଯେ, ବାଂଲାଦେଶ ଭାରତ ବିରୋଧୀ ତତ୍ୱଙ୍କୁ ଆଶ୍ରୟ ଦେବ । ଏମିତିକି ବିଛିନ୍ନତାବାଦୀମାନଙ୍କୁ ଶରଣ ପ୍ରଦାନ କରିବ। ଏଥିରେ ଭାରତର ସେଭେନ ସିଷ୍ଟର କୁହାଯାଉଥିବା ୭ ରାଜ୍ୟର ବିଭାଜନ ହେବାର ସମ୍ଭାବନା ସୃଷ୍ଟି ହେବ ।

 

ଢାକାର ଏକ କାର୍ଯ୍ୟକ୍ରମରେ ଅବଦୁଲ୍ଲା ଦାବି କରିଥିଲେ ଯେ, ବାଂଲାଦେଶ ବିଚ୍ଛିନ୍ନତାବାଦୀ ଏବଂ ଭାରତ ବିରୋଧୀ ଶକ୍ତିମାନଙ୍କୁ ଆଶ୍ରୟ ଦେବ । ଯାହା ଦ୍ୱାରା ଆଗରୁ ଭାରତର ଉତ୍ତର-ପୂର୍ବ ଅଞ୍ଚଳକୁ ବିଚ୍ଛିନ୍ନ କରାଯିବ । ଅବଦୁଲ୍ଲାଙ୍କ ଏହି ମନ୍ତବ୍ୟ ଶୁଣିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ବାଲାଦେଶୀ ଜୋରଦାର କରତାଳି ଦେଇ ଏହାକୁ ସ୍ୱାଗତ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।ସେ ଆହୁରି କହିଥିଲେ ଯେ, ଯଦି ଭାରତ ବାଂଲାଦେଶର ସାର୍ବଭୌମତ୍ୱ, ଭୋଟଦାନ ଅଧିକାର ଏବଂ ମାନବାଧିକାରକୁ ସମ୍ମାନ ଦେଉନଥିବା ଶକ୍ତିକୁ ଆଶ୍ରୟ ଦେବ, ତେବେ ବାଂଲାଦେଶ ଜବାବ ଦେବ।ବାଂଲାଦେଶକୁ ଭାରତ ଅସ୍ଥିର କରୁଛି ।

 

ତେବେ ଅବଦୁଲ୍ଲାଙ୍କ ବୟାନ ପରେ ତୀବ୍ର ପ୍ରତିକ୍ରିୟା ରଖିଛି ଭାରତ । ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବାଂଲାଦେଶର ହାଇ କମିଶନରଙ୍କୁ ଏନେଇ ଅବଗତ କରାଯାଇଛି । ବୟାନକୁ ଭାରତ ବିରୋଧ କରୁଛି । ଢାକାରେ କିଛି ଚରମପନ୍ଥୀ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ସେଠାକାର ଅନ୍ତରୀଣ ସରକାର ଏଦିଗରେ କିଛି ପଦକ୍ଷେପ ନେଉ ନାହାଁନ୍ତି । ଘଟଣାର ତଦନ୍ତ କରିବାକୁ ଚିନ୍ତା କରୁ ନାହାଁନ୍ତି । ଘଟଣା ପରେ ଭାରତ ସହ ସେମାନେ କୌଣସି ତଥ୍ୟ ଆଦାନ ପ୍ରଦାନ କରୁ ନାହାଁନ୍ତି ।

 

ବୈଦେଶିକ ମନ୍ତ୍ରୀଳୟ ଆହୁରି କହିଛି ଯେ, ଭାରତ ସଦାବେଳେ ବାଂଲାଦେଶ ନାଗରିକଙ୍କ ସହ ରହି ଆସିଛି । ବାଂଲାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ନୂଆଦିଲ୍ଲୀ ଚାହିଁଥାଏ । ସ୍ବଚ୍ଛ ଏବଂ ଅବାଧ ନିର୍ବାଚନକୁ ସଦାବେଳେ ସମର୍ଥନ କରାଯାଏ । ଏହାସହ ବାଂଲା ଅନ୍ତରୀଣ ସରକାର ଢାକାରେ ଅବସ୍ଥିତ ଭାରତୀୟ କୁଟନୀତିଜ୍ଞଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦାବି କରିଛି ଭାରତ ।