ନୂଆଦିଲ୍ଲୀ : ଭାରତ ଶନିବାର ମଲ୍ଟିପଲ ଇଣ୍ଡିପେଣ୍ଡେଣ୍ଟଲୀ ଟାର୍ଗେଟେଡ ରି ଏଣ୍ଟ୍ରି ଭେଇକ୍ଲ (ଏମଆଇଆରଭି) ପ୍ରାଣଳୀ ଯୁକ୍ତ ଆଡଭାନ୍ସଡ ଅଗ୍ନି ମିଜାଇଲର ଉଡାଣ ପରୀକ୍ଷଣ ସଫଳ ହୋଇଥିବା ଘୋଷଣା କରିଛି। ଏହା ଦେଶର ରଣନୈତିକ ପ୍ରତିରକ୍ଷା କ୍ଷମତାର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହି ପରୀକ୍ଷଣ ଓଡ଼ିଶା ଉପକୂଳରେ ଡ.ଏ.ପି.ଜେ. ଅବଦୁଲ କଲାମ ଦ୍ୱୀପରୁ ହୋଇଥିଲା। ଯାହାର ଉଦ୍ଦେଶ୍ୟ ହୀନ୍ଦ ମହାସାଗର କ୍ଷେତ୍ରରେ ବ୍ୟାପ୍ତ ବିଶାଳ ଭୌଗଳିକ କ୍ଷେତ୍ରରେ ବିଭିନ୍ନ ଲକ୍ଷ୍ୟକୁ ଟାର୍ଗେଟ୍ କରିବା।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅନେକବାର ଭୂ ଭାଗ ଓ ଜାହାଜ ଆଧାରିତ ଷ୍ଟେସନରୁ ଟେଲିମେଟ୍ରି ଓ ଟ୍ରାକିଂ ଅପରେସନ ପରୀକ୍ଷଣ କରାଯାଇଥିଲା। ଏଥିରେ ମିଜାଇଲ ପ୍ରକ୍ଷେପଣରୁ ଆରମ୍ଭ କରି ସବୁ ପେ ଲୋଡର ପ୍ରଭାବ ପର୍ଯ୍ୟନ୍ତ ତାର ପ୍ରକ୍ଷେପଣ ପଥ ଉପରେ ନଜର ରଖାଯାଇଥିଲା। ସରକାର କହିଛନ୍ତି ଯେ ଉଡାଣ ତଥ୍ୟରୁ ପୁଷ୍ଟି ହେଉଛି ଯେ ପରୀକ୍ଷଣ କାଳରେ ମିସନର ସମସ୍ତ ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଛି।

ଏହି ସଫଳ ପରୀକ୍ଷଣ ଏମଆଇଆରଭି ଟେକନିକ୍ ମାଧ୍ୟମରେ ଗୋଟିଏ ମିଜାଇଲ ଉପଯୋଗ କରି ଅନେକ ରଣନୈତିକ ଟାର୍ଗେଟକୁ ଲକ୍ଷ୍ୟ କରିବାର ଭାରତର କ୍ଷମତାକୁ ପ୍ରଦର୍ଶିତ କରିଛି। ଏହି ମିଜାଇଲକୁ ରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ କରାଯାଇଛି। ଭାରତର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ସେନା ଓ ଉଦ୍ୟୋଗ ପାର୍ଟନରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସିଂହ କହିଛନ୍ତିଯେ ଏହି ଉପଲବ୍ଧି ପରିବର୍ତ୍ତିତ ସୁରକ୍ଷା ଚ୍ୟାଲେଞ୍ଜ ଓ ବଢୁଥିବା ବିପଦ ଆଶଙ୍କା ମଧ୍ୟରେ ଭାରତର ରକ୍ଷା ପ୍ରସ୍ତୁତିରେ ଏକ ଅବିଶ୍ୱସନୀୟ କ୍ଷମତା ଯୋଡିବ। ଏହି ପରୀକ୍ଷଣ ଏପରି ସମୟରେ ହୋଇଛି ଯେତେବେଳେ ଭାରତ ନିଜର ସୈନ୍ୟ ଆଧୁନିକରଣ ଅଭିଯାନରେ ରଣନୈତିକ ପ୍ରତିରୋଧ କ୍ଷମତାକୁ ମଜଭୁତ କରିବା ଓ ସ୍ୱଦେଶୀ ରକ୍ଷା ପ୍ରଯୁକ୍ତିର ସମ୍ପ୍ରସାରଣ କରିବା ଜାରି ରଖିଛି।