ମୁମ୍ବାଇ: ନଦୀରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର ପରେ ହଇଚଇ  । ଦୁହିଁଙ୍କ ଗୋଡ଼ ଲୁହା ଚେନ୍‌ ବା ଶିକୁଳିରେ ବନ୍ଧା ହୋଇଥିବା ଜଣାପଡ଼ିଛି । ତେବେ ସେମାନଙ୍କୁ ହତ୍ୟା କରି କେହି, ନଦୀରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ ବଢ଼ିଛି । ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା ।

ସାବଲଦେ ଅଞ୍ଚଳର ତାପି ନଦୀରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ଲୁହା ଚେନରେ ସେମାନଙ୍କ ଗୋଡ଼କୁ ଏକାଠି ବନ୍ଧା ଯାଇଛି । ତେବେ ମୃତକଙ୍କ ପରିଚୟ ମିଳିଛି । ଶ୍ୟାମହରି ପାଟିଲ ଏବଂ ପତ୍ନୀ ସପ୍ନା ପାଟିଲଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛି ପୁଲିସ । ସେମାନେ ଜଳଗାଁ ଜିଲ୍ଲାର ଅମଳନେର ବାସିନ୍ଦା । 

କିଛି ମାସ ଆଗରୁ ଦୁହେଁ ପ ବିବାହ କରିଥିଲେ, ହେଲେ ଏବେ ସେମାନଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ଏପରିକି ସ୍ବାମୀ-ସ୍ତ୍ରୀଙ୍କ ଗୋଡ଼କୁ ଏକାଠି କରି ଶିକୁଳିରେ ବନ୍ଧା ଯାଇଥିଲା । ପୁଲିସର ସୂଚନା ଅନୁଯାୟୀ, ଦୁହିଁଙ୍କ ଗୋଡ଼କୁ ଲୁହା ଚେନରେ ବାନ୍ଧି ତାଲା ପକାଯାଇଥିଲା । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୁଲିସ ସ୍ପଷ୍ଟ କରିନାହିଁ । 

ଅନ୍ୟପକ୍ଷରେ, ଯଦି ସେମାନେ ଆତ୍ମହତ୍ୟା କରିଛନ୍ତି, ତେବେ ସେମାନଙ୍କ ଗୋଡ଼କୁ କାହିଁକି ବାନ୍ଧିଲେ ? ଯଦି ଏହା ହତ୍ୟାକାଣ୍ଡ, ତେବେ ଲୁହା ଚେନରେ ଗୋଡକୁ ବାନ୍ଧି ତାଲା ପକାଇବା ପଛର ଉଦ୍ଦେଶ୍ୟ କଣ ? ଏବଂ ହତ୍ୟାକାଣ୍ଡ ପଛରେ କେଉଁମାନଙ୍କ ହାତ ରହିଛି ? ତଦନ୍ତ ସମୟରେ ଏହି ସବୁ ଦିଗ ଉପରେ ଧ୍ୟାନ ଦେଇ ତଦନ୍ତ କରିପାରେ ପୁଲିସ ।