ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅଶାନ୍ତ। ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପାଇଁ ସାରା ବିଶ୍ୱ ପ୍ରଭାବିତ। ହରମୁଜ ପ୍ରଣାଳୀ ପାୟତଃ ବନ୍ଦ। ବିଶ୍ୱରେ ବଢ଼ୁଛି ତେଲ ଏବଂ ଗ୍ୟାସର ସଙ୍କଟ। ଭାରତ ବି ଏଥିରୁ ବର୍ତ୍ତିନ। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି। ଏଲପିଜି ଅଭାବ। ଏସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। ହେବ କି ଲକଡାଉନ। କରୋନା ଭଳି ହେବ କି ସ୍ଥିତି ? ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା, ତର୍କ ବିତର୍କ। ଅନେକ ଭାଇରାଲ ପୋଷ୍ଟରେ ଲେଖାଯାଇଛି ଯେ ସରକାର କୋଭିଡ-୧୯ ମହାମାରୀ ସମୟରେ ଲାଗୁ ହୋଇଥିବା ଭଳି ଦେଶବ୍ୟାପୀ ଲକଡାଉନ ଲାଗୁ କରିବାକୁ ଯାଉଛନ୍ତି। ଏହି ଗୁଜବଗୁଡ଼ିକ ଜନସାଧାରଣଙ୍କ ଭୟ ଏବଂ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହା ସତ ନା ମିଛ ?

କେନ୍ଦ୍ର ସରକାର ଏବେ ଏହି ସମସ୍ତ ଗୁଜବକୁ ସ୍ପଷ୍ଟ ଭାବରେ ଖାରଜ କରିଦେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ଲକଡାଉନର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସରକାର ଏପରି ପଦକ୍ଷେପ ନେବାକୁ ମଧ୍ୟ ଚିନ୍ତା କରୁନାହାଁନ୍ତି। ସେ ଏହି କଷ୍ଟକର ସମୟରେ ଜନସାଧାରଣଙ୍କୁ ଶାନ୍ତ, ଦାୟିତ୍ୱବାନ ଏବଂ ଏକତା ରହିବାକୁ ନିବେଦନ କରିଛନ୍ତି।

ସଂସଦ ଭବନରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ମତକୁ ପୁନର୍ବାର ଦୋହରାଇଲେ। ସେ କହିଛନ୍ତି ଯେ ଲକଡାଉନର ରିପୋର୍ଟ ସମ୍ପୂର୍ଣ୍ଣ ଭ୍ରାମକ ଏବଂ ଲୋକମାନେ ଏହାକୁ ଅଣଦେଖା କରିବା ଉଚିତ।

ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସାଧାରଣ ଲୋକଙ୍କ ଉପରେ ବର୍ଦ୍ଧିତ ମୂଲ୍ୟ ବୋଝ କମ କରିବା ପାଇଁ ସରକାର ସମ୍ପ୍ରତି ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ରିଜିଜୁ କହିଛନ୍ତି ଯେ ସଂସଦରେ ସାଂସଦମାନେ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହାଁନ୍ତି।

ସରକାର ଏହା ମଧ୍ୟ କହିଛନ୍ତି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ଏବଂ ଅଧିକ ପେଟ୍ରୋଲ କିମ୍ବା ଗ୍ୟାସ ଗଚ୍ଛିତ କରିବାକୁ ଚେଷ୍ଟା ନ କରିବାକୁ ପରାମର୍ଶ ଦିଆଯାଉଛି। କାରଣ ଏହା ପ୍ରକୃତ ଅଭାବକୁ ଆହୁରି ଖରାପ କରିପାରେ। ବର୍ତ୍ତମାନ, ସରକାର ସମଗ୍ର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସାଧାରଣ ଶକ୍ତି ଯୋଗାଣ ବଜାୟ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି।